ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାର ମଧ୍ୟ ସମ୍ଭାଳିବେ
ଭୁବନେଶ୍ୱର,(ବି.ବି.ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଏଣିକି ‘୫ ଟି’ କାର୍ଯ୍ୟକ୍ରମର ସଚିବ ଭାବେ ଦାୟିତ୍ୱ ତୁଲାଇବେ । ସରକାର ତାଙ୍କୁ ଆଜି ଏ ଗୁରୁତ୍ୱପୂର୍ଣ୍ଣ ପଦବିରେ ନିଯୁକ୍ତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପଦ ସହ ଏ ନୂଆ ଦାୟିତ୍ୱକୁ ଶ୍ରୀ ପାଣ୍ଡିଆନ ତୁଲାଇବେ । ସରକାରଙ୍କର ସମସ୍ତ ବିଭାଗ କିଭଳି ନିଷ୍ଠା ଓ ତତ୍ପରତାର ସହ ଏ ‘୫ ଟି’କୁ ଫୋକସ୍ କରି ପ୍ରଶାସନକୁ ଲୋକାଭିମୁଖୀ କରିବା ସହ ରାଜ୍ୟର ବିକାଶକୁ ଆଗେଇନେବେ ଶ୍ରୀ ପାଣ୍ଡିଆନ ଏହାକୁ ଦେଖିବେ ।
ଉଲ୍ଲେଖଯୋଗ୍ୟ, କ୍ରମାଗତ ୫ମ ପାଳି ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିବା ପରେ ମୁଖ୍ୟମନ୍ତ୍ରୀ ‘୫ ଟି’ ଦଳଗତ କାର୍ଯ୍ୟ, ସ୍ୱଛତା, ବୈଷୟିକ ଜ୍ଞାନ, ପରିବର୍ତ୍ତନ ଓ ସମୟ (ଟିମ୍ ୱାର୍କ, ଟ୍ରାନସ୍ପରେନ୍ସି, ଟେକ୍ନୋଲୋଜି, ଟ୍ରାନସଫରମେସନ, ଟାଇମ୍)କୁ ଗୁରୁତ୍ୱ ଦେଇଆସୁଛନ୍ତି । ସଶକ୍ତ ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଅଫିସରମାନେ ୫ ‘ଟି’କୁ ପୂରାକୁ ପୂରା ଫୋକସ୍ କରନ୍ତୁ । ଏ ୫ ଟି ମନ୍ତ୍ର ହିଁ ଆମ ରାଜ୍ୟକୁ ଆଗକୁ ନେଇପାରିବ । ସରକାରଙ୍କର ସବୁ ବିଭାଗ ଶାସନ ବ୍ୟବସ୍ଥାରେ ସଂସ୍କାର ଆଣି ଏ ନୂଆ ଫର୍ମୁଲାରେ କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । କେବଳ ଅଫିସର ନୁହନ୍ତି, ସମସ୍ତ ମନ୍ତ୍ରୀ ଓ ଦଳୀୟ ବିଧାୟକମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ‘୫ ଟି’ର ମନ୍ତ୍ର ଫୁଙ୍କିଛନ୍ତି ।
Comments are closed, but trackbacks and pingbacks are open.