
ଭଞ୍ଜନଗର,(ବି.ବି.ନୁ୍ୟଜ): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭଞ୍ଜନଗର ଉପଖଣ୍ଡସ୍ତରୀୟ ପଶୁଧନ ଅଧିକାରୀ(ଏସ୍ଡିଭିଓ) ମାନସରଞ୍ଜନ ଦାସ । ପେନ୍ସନ୍ ପେପର୍ କାମ କରାଇ ଦେବା ପାଇଁ ଗାଙ୍ଗପୁର ଥାନା ଅନ୍ତର୍ଗତ ବି‚ଣା ଗ୍ରାମର ଜଗବାନ୍ଧୁ ସେଠୀଙ୍କଠାରୁ ଏସ୍ଡିଭିଓ ୧୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ କର୍ମଚାରୀ ତାଙ୍କୁ ମାଡ଼ି ବସିଥିଲେ ।
ସୂଚନା ଅନୁସାରେ, ଭଞ୍ଜନଗର ପଶୁଧନ ଚିକିତ୍ସାଳୟରେ ଭେଟେନାରୀ ଟେକ୍ନିସିଆନ୍ ଜଗବନ୍ଧୁ ସେଠୀ ଚାକିରି କରିଥିଲେ । ଅବସର ନେବା ପରେ ପେନ୍ସନ୍ କାଗଜପତ୍ର କରାଇଦେବାକୁ ଜଗବନ୍ଧୁ ବାରମ୍ବାର ଏସ୍ଡିଭିଓ ମାନସଙ୍କ ପାଖରେ ଗୁହାରି କରିଥିଲେ । ମାତ୍ର ପେନସନ୍ ପେପର କରାଇ ଦେବାକୁ ଜଗବନ୍ଧୁଙ୍କୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଏସ୍ଡିଭିଓ ମାନସ । ଏଥିପାଇଁ ଜଗବନ୍ଧୁଙ୍କୁ ବାରମ୍ବାର ଦୌଡ଼ିବାକୁ ପଡ଼ିଥିଲା । ଶେଷରେ ନିରାଶ ହୋଇ ଘଟଣା ସଂପର୍କରେ ସେ ବ୍ରହ୍ମପୁର ଭିଜିଲାନ୍ସକୁ ଜଣାଇଥିଲେ ।
ଆଜି ଭିଜିଲାନ୍ସ ଡିଏସ୍ପି ହେନେରି କୁଲୁ, ଆଇଆଇସି ବୈଦେଇ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ପଶୁଧନ କେନ୍ଦ୍ର ବାହାରେ ଭିଜିଲାନ୍ସ ଅଫିସର ଛପି ରହିଥିଲେ । ପୂର୍ବ ପ୍ରସ୍ତୁତି ଅନୁଯାୟୀ ଜଗବନ୍ଧୁ କେମିକାଲ୍ ବୋଳା ୧୫ ହଜାର ଟଙ୍କା ଏସ୍ଡିଭିଓ ମାନସଙ୍କୁ ଦେଇଥିଲେ । ଉକ୍ତ ଟଙ୍କାକୁ ଗ୍ରହଣ କରିବା ସମୟରେ ଭିଜିଲାନ୍ସ ଟିମ୍ ମାନସଙ୍କୁ କାବୁ କରି ନେଇଥିଲେ । ଭିଜିଲାନ୍ସ ଟିମ୍ ଏହାପରେ ମାନସଙ୍କ ସରକାରୀ କ୍ୱାର୍ଟର୍ସ ଓ ନୟାଗଡ଼ ଜିଲ୍ଲା ଦଶପଲ୍ଲାସ୍ଥିତ ତାଙ୍କ ବାସଭବନରେ ଏକକାଳୀନ ଚଢ଼ଉ କରି କାଗଜପତ୍ର ଜବତ କରିଛନ୍ତି । ଏଠାରୁ ମାନସଙ୍କୁ ଗିରଫ କରି ବ୍ରହ୍ମପୁର ଭିଜିଲାନ୍ସ ଏସ୍ପିଙ୍କ କାର୍ଯ୍ୟାଳୟକୁ ନିଆଯାଇଛି । ପରେ ତାଙ୍କୁ କୋର୍ଟଚାଲଣ କରାଯାଇଥିବା ଭିଜିଲାନ୍ସ ଏସ୍ପି ସୂଚନା ଦେଇଛନ୍ତି ।


Comments are closed, but trackbacks and pingbacks are open.