ଭବାନୀପାଟଣା,(ବି.ବି.ନୁ୍ୟଜ୍): ଏକ ଜମିଜମା ମାମଲା ଦଫାରଫା କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଏଏସ୍ଆଇ ରାଜକପୁର ବେହେରା ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ପୁଲିସ ତାଙ୍କୁ ଗିରଫ କରିବା ସହ ତାଙ୍କ ଗୋଲାମୁଣ୍ଡାସ୍ଥିତ ସରକାରୀ କ୍ୱାର୍ଟର ଏବଂ ଉକ୍ରେଲାରେ ପୈତୃକ ବାସଭବନରେ ମଧ୍ୟ ତଲାସି କରିଥିବା ସୂଚନା ମିଳିଛି ।
ସୂଚନାମତେ, ଗୋଲାମୁଣ୍ଡା ଥାନା ଡୁଡକେଲ ଗାଁର ତ୍ରିନାଥ ନାଏକ ଓ ଦୟାନିଧି ଭତ୍ରିଆଙ୍କ ପରିବାର ମଧ୍ୟରେ ଜମିଜମା ଘଟଣାକୁ ନେଇ ଉଭୟ ପକ୍ଷରୁ ଗୋଲାମୁଣ୍ଡା ଥାନାରେ ଏତଲା ହୋଇଥିଲା । ତେବେ ଏହି ମାମଲାରେ ଏଏସ୍ଆଇ ଶ୍ରୀ ବେହେରା ତ୍ରିନାଥ ନାଏକ ସମେତ ତାଙ୍କ ପରିବାରର ଛଅ ଜଣଙ୍କ ନାମରେ ତା.୨୫.୦୬.୨୦୧୯ ରିଖରେ ମାମଲା ରୁଜୁ କରିଥିଲେ । ତ୍ରିନାଥଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲେ । ଜାମିନରେ ତ୍ରିନାଥ ଜେଲରୁ ମୁକୁଳିବା ପରେ ଏଏସ୍ଆଇ ରାଜକପୁରତାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଟଙ୍କା ନ ଦେଲେ ପରିବାରର ଅନ୍ୟ ୫ ଜଣଙ୍କୁ ମଧ୍ୟ ବାନ୍ଧି କୋର୍ଟଚାଲାଣ କରବେ ବୋଲି ଧମକ ଦେଇଥିବା ଅଭିଯୋଗ ହୋଇଥିଲା । ବାରମ୍ବାର ଫୋନ ଯୋଗେ ୧୦ ହଜାର ଟଙ୍କା ଦାବି କରିବା ସହ ଟଙ୍କା ଦେଲେ ମାମଲାରୁ ପାଞ୍ଚ ଜଣଙ୍କର ନାମ କାଟି ଦେବି ଓ ଫାଇନାଲ ଚାର୍ଜସିଟ୍ କରିଦେବି ବୋଲି ଏଏସ୍ଆଇ କହୁଥିଲେ । ବାରମ୍ବାର ଏଭଳି ଟଙ୍କା ମାଗିବା ଫଳରେ ତ୍ରିନାଥ ଏ ସମ୍ପର୍କରେ ଭବାନୀପାଟଣା ଭିଜିଲାନ୍ସ ଡିଏସ୍ପିଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । ଯୋଜନା ମୁତାବକ ଆଜି ଦିନ ପ୍ରାୟ ଦୁଇଟା ବେଳେ ଗୋଲାମୁଣ୍ଡା ଥାନା ପରିସରରେ ତ୍ରିନାଥ ୧୦ ହଜାର ଟଙ୍କା ଏଏସ୍ଆଇଙ୍କୁ ଦେଉଥିବା ବେଳେ ପୂର୍ବରୁ ଛକି ରହିଥିବା ଭବାନୀପାଟଣା ଭିଜିଲାନ୍ସ ଡିଏସ୍ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଭିଜିଲାନ୍ସ ଅଧିକାରୀମାନେ ଲାଞ୍ଚୁଆ ଏଏସ୍ଆଇଙ୍କୁ କାବୁ କରି ନେଇଥିଲେ । ଏଏସ୍ଆଇ ରାଜକପୁରଙ୍କୁ ଗିରଫ କରି ଗୋଲାମୁଣ୍ଡାରେ ସେ ରହୁଥିବା ଏକ ବ୍ଲକ୍ କ୍ୱାର୍ଟରରେ ମଧ୍ୟ ଭିଜିଲାନ୍ସ ବିଭାଗ ଖାନତଲାସ କରିଥିଲା । ତେବେ ତାଙ୍କ ସରକାରୀ ବାସଭବନରୁ କୌଣସି ଜିନିଷ ମିଳିନାହିଁ ବୋଲି ଭିଜିଲାନ୍ସ ଡିଏସ୍ପି ଶ୍ରୀ ମହାନନ୍ଦ ସୂଚନା ଦେଇଛନ୍ତି । ଏଥିସହ ଏଏସ୍ଆଇଙ୍କ କେସିଙ୍ଗା ଥାନା ଉକ୍ରେଲାରେ ଥିବା ନିଜ ବାସଭବନରେ ମଧ୍ୟ ଭିଜିଲାନ୍ସ ଟିମ୍ ବର୍ତ୍ତମାନ ଚଢ଼ଉ ଜାରି ରଖିଛି ବୋଲି ଡିଏସ୍ପି ପ୍ରକାଶ କରିଛନ୍ତି ।
Comments are closed, but trackbacks and pingbacks are open.