ଭିଜିଲାନ୍ସ ଜାଲରେ ମୁକୁନ୍ଦପୁରପାଟଣା ଜିଆରଏସ୍

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନୁ୍ୟଜ): କୋଟିପତି ଜିଆରଏସ୍ ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି । କେନ୍ଦୁଝର ଜିଲ୍ଲାର ଆଦର୍ଶ ପଞ୍ଚାୟତ କୁହାଯାଉଥିବା ଘଟଗାଁ ବ୍ଲକ୍ର ମୁକୁନ୍ଦପୁରପାଟଣା ପଞ୍ଚାୟତର ଜିଆରଏସ୍ ସୌଭାଗ୍ୟଲକ୍ଷ୍ମୀ ତ୍ରିପାଠୀଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ବିଭାଗ ତାଜୁବ୍ ହୋଇପଡିଛନ୍ତି । ସମ୍ପତ୍ତିକୁ ଆକଳନ କରିବା ପାଇଁ କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଓ ବାରିପଦା ଭିଜିଲାନ୍ସର ଅଧିକାରୀ ନାକେଦମ୍ ହୋଇପଡିଛନ୍ତି । ଜଣେ ମହିଳା ଜିଆରଏସ୍ଙ୍କ ଘରୁ ୨ କୋଟି ୬୭ ଲକ୍ଷ ୭୫ ହଜାର ୬୩୪ ଟଙ୍କା ଠାବ କରାଯାଇଥିବା ଚର୍ଚ୍ଚାର ବିଷୟ ହୋଇଛି ।
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ମୁକୁନ୍ଦପୁରପାଟଣା ପଞ୍ଚାୟତର ଜିଆରଏସ ସୌଭାଗ୍ୟଲକ୍ଷ୍ମୀ ତ୍ରିପାଠୀଙ୍କ ଘରେ ମଙ୍ଗଳବାର ସକାଳୁ ଭିଜିଲାନ୍ସ ଚଢ଼ଉ କରିଥିଲା । ଘଟଗାଁରେ ଥିବା ତାଙ୍କ ବାସଭବନ, ସାବିତ୍ରୀ ଗେଷ୍ଟ ହାଉସ୍ ସମେତ ଭିଜିଲାନ୍ସ କର୍ମଚାରୀ ମାନେ ପଞ୍ଚାୟତ କାର୍ଯ୍ୟାଳୟ ଯାଇ କାଗଜପତ୍ର ଯାଞ୍ଚ କରିଥିଲେ । ଏହାବ୍ୟତୀତ ସୌଭାଗ୍ୟଲକ୍ଷ୍ମୀଙ୍କ ବ୍ୟାଙ୍କ୍ ଆକାଉଣ୍ଟ ମଧ୍ୟ ଛାନଭିନ୍ କରିଥିଲେ । ୨ କୋଟି ୬୭ ଲକ୍ଷ ୭୫ ହଜାର ୬୩୪ ଟଙ୍କାର ମୋଟ ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ ହୋଇଛି । ସେଥିମଧ୍ୟରୁ ନଗଦ ୨୮ ହଜାର ଟଙ୍କା ଜବତ ହୋଇଥିବାବେଳେ ୧ କୋଟି ୪୪ ଲକ୍ଷ ୮୩ ହଜାର ୪୦୬ ଟଙ୍କା ଘଟଗାଁର ଏସ୍ବିଆଇ, ବ୍ୟାଙ୍କ ଅଫ୍ ଇଣ୍ଡିଆ, ପିଏନ୍ବି ଓ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ବ୍ୟାଙ୍କରେ ଜମାଥିବା ଭିଜିଲାନ୍ସ ବିଭାଗ ତନଖି ପରେ ଜଣାପଡିଛି ।
ଜିଆର୍ଏସ୍ଙ୍କ ୩ ଲକ୍ଷ ୫୦ ହଜାର ଟଙ୍କା ଏକ ହୁ୍ୟଣ୍ଡାଇ ସେଣ୍ଟେ୍ରା କାର୍, ଗୋଟିଏ ମହିନ୍ଦ୍ରା ଅଟୋ ୨ ଲକ୍ଷ ୮୮ ହଜାର ଟଙ୍କାର, ଗୋଟିଏ ବାଇକ୍ ୫୯ ହଜାର ଟଙ୍କାର ଜବତ ହୋଇଛି । ଏହା ସହ ଘଟଗାଁ ମୌଜାରେ ୩ଟି ମୂଲ୍ୟବାନ ପ୍ଲଟ୍ ମଧ୍ୟ ଠାବ ହୋଇଛି । ଦୁଇଟି କୋଠାର ମୂଲ୍ୟ ମଧ୍ୟ ୮୬ ଲକ୍ଷ ଟଙ୍କାର ଆକଳନ କରାଯାଇଛି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାରା ଦେଶରେ ମୁକୁନ୍ଦପୁରପାଟଣା ଏକ ଆଦର୍ଶ ପଞ୍ଚାୟତ ଭାବେ ପରିଚିତ ଥିବା ବେଳେ ପଞ୍ଚାୟତର ଜିଆର୍ଏସ୍ ଭାବେ ଶ୍ରୀମତୀ ତ୍ରିପାଠୀ କାର୍ଯ୍ୟ କରୁଛନ୍ତି । ପଞ୍ଚାୟତର ମନେରଗା କାମରେ ତାଙ୍କ ସ୍ୱାମୀ ସଞ୍ଜୟ କୁମାର ମିଶ୍ରଙ୍କ ଆକାଉଣ୍ଟକୁ ଗତ ୪ ବର୍ଷ ମଧ୍ୟରେ ୨ କୋଟି ୪ ଲକ୍ଷ ୬୪ ହଜାର ୯୦୦ ଟଙ୍କା ଟ୍ରାନ୍ସଫର ହୋଇଥିବା ଚର୍ଚ୍ଚାର ବିଷୟ ହୋଇଛି ।
ବାଲେଶ୍ୱର ଭିଜିଲାନ୍ସ ବିଭାଗ ଡିଏସ୍ପି ସନ୍ତୋଷ କୁମାର ସାମନ୍ତରାୟ, ଭଦ୍ରକ ଭିଜିଲାନ୍ସ ବିଭାଗ ଡିଏସ୍ପି ବି.ସି. ମୁର୍ମୁ, ଇନ୍ସିପେକ୍ଟର ହେମାମାଳିନୀ ନାଏକ, ସୁଲୋଚନା ନାଏକ, ଦୈତାରୀ ଘଡାଇ, ସୁଶିଲ ଏକ୍କା, ଡି କେ ନାୟକ, ଜୟନ୍ତୀ ଦଳାଇ, ଜସ୍ମିତା ପହି, ଏଏସ୍ଆଇ ନବକିଶୋର ଦାସ, ଏସ. ସାହୁ, ୟୁ ମହାନ୍ତ, ରାଜଶ୍ରୀ ଷଢ଼ଙ୍ଗୀ, ରମେଶ ପାତ୍ର ପ୍ରମୁଖ ଏହି ଚଢ଼ଉରେ ସାମିଲ ହୋଇଥିଲେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଏହାକୁ ରାଜନୈତିକ ଷଡ଼ଯନ୍ତ୍ର ବୋଲି କହିଛନ୍ତି ଜିଆରଏସଙ୍କ ସ୍ୱାମୀ ସଞ୍ଜୟ କୁମାର ମିଶ୍ର ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons