ନବରଙ୍ଗପୁର, (ବି.ବି.ନୁ୍ୟଜ୍): ଏକ ଜଳପ୍ରକଳ୍ପର ବିଲ୍ ପାଇଁ ଠିକାଦାରଙ୍କ ପାଖରୁ ୩୦ହଜାର ଟଙ୍କା ନେଉଥିବା ବେଳେ ଜିଲ୍ଲା ଜଳ ଓ ପରିମଳ ବିଭାଗ ସହକାରୀ ନିର୍ବାହୀଯନ୍ତ୍ରୀ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଗିରଫ ଯନ୍ତ୍ରୀଜଣଙ୍କ ହେଲେ ମହୋନ ପାତ୍ର । ଉମରକୋଟରେ ସହକାରୀ ନିର୍ବାହୀଯନ୍ତ୍ରୀ ଭାବେ ସେ କାମ କରୁଛନ୍ତି । ଆଜି ଅପରାହ୍ନରେ ତାଙ୍କ ବାସଭବନରେ ଠିକାଦାର ବାନାମ୍ବର ପଣ୍ଡାଙ୍କଠାରୁ ଟଙ୍କା ନେବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଅଧିକାରୀ ତାଙ୍କୁ ଗିରଫ କରିଥିଲେ । ସୂଚନା ଅନୁଯାୟୀ, ଠିକାଦାର ଶ୍ରୀ ପଣ୍ଡା ଡାବୁଗାଁ ବ୍ଲକ ଫୁଲଭଟା ଗାଁରେ ୭୦ଲକ୍ଷ ୮୩ହଜାର ଟଙ୍କାର ଏକ ଜଳଯୋଗାଣ ପ୍ରକଳ୍ପ କାମ କରିଥିଲେ । ବର୍ତ୍ତମାନ ସୁଦ୍ଧା ୩ ଥରରେ ୫୦ଲକ୍ଷ ଟଙ୍କାର ବିଲ୍ ଉଠାଇଥିବା ବେଳେ ଚତୁର୍ଥ ପାଳିରେ ୧୮ଲକ୍ଷ ଟଙ୍କାର ବିଲ୍ ସମେତ ଫାଇନାଲ ବିଲ୍ ପାଇଁ ସହକାରୀଯନ୍ତ୍ରୀ ୩୦ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏନେଇ ଭିଜିଲାନ୍ସ ନିକଟରେ ଶ୍ରୀ ପଣ୍ଡା ଅଭିଯୋଗ କରିବା ପରେ ଚଢଉ କରାଯାଇଥିଲା । ଚଢଉ ବେଳେ ଜୟପୁର ଭିଜିଲାନ୍ସ ଡିଏସପି ସୁଶାନ୍ତକୁମାର ବିଶ୍ୱାଳ, ଇନ୍ସପେକ୍ଟର ସୁବାସ ଚନ୍ଦ୍ର ବିଷୋୟୀ, ପ୍ରମିଳା ସୁନା, ଦୀନବନ୍ଧୁ ବେହେରା, ରୁନା ପଣ୍ଡା, ପ୍ରଭାକର ପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ ।
Comments are closed, but trackbacks and pingbacks are open.