ଭିଡ ହତ୍ୟା:କେନ୍ଦ୍ର, ୧୦ ରାଜ୍ୟକୁ ସୁପ୍ରିମକୋର୍ଟ ନୋଟିସ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଭିଡହତ୍ୟା ରୋକିବାକୁ କ’ଣ ସବୁ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ଜଣାଇବା ଲାଗି ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାର,ଜାତୀୟ ମାନବାଧିକାର କମିଶନ ଓ ୧୦ଟି ରାଜ୍ୟର ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଏହି ରାଜ୍ୟଗୁଡିକ ମଧ୍ୟରେ ଅଛନ୍ତି ଉତ୍ତରପ୍ରଦେଶ, ଜମ୍ମୁ-କାଶ୍ମୀର, ଝାଡଖଣ୍ଡ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ଗୁଜରାଟ, ବିହାର, ଆସାମ, ମଧ୍ୟପ୍ରଦେଶ ଓ ଦିଲ୍ଲୀ ।
‘ଆଣ୍ଟି କରପସନ କାଉନ୍ସିଲ ଅଫ୍ ଇଣ୍ଡିଆ ଟ୍ରଷ୍ଟ’ ପକ୍ଷରୁ ଦାଖଲ କରାଯାଇଥିବା ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ୍) ଉପରେ ଶୁଣାଣି କରି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଓ ବିଚାରପତି ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନୋଟିସ ଜାରି କରିଛନ୍ତି । ଟ୍ରଷ୍ଟ ତାର ପିଟିସନରେ ଦର୍ଶାଇଥିଲା ଯେ ଭିଡହତ୍ୟା ରୋକିବାକୁ ଗତବର୍ଷ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀକୁ କେନ୍ଦ୍ର କିମ୍ବା ରାଜ୍ୟ ସରକାରମାନେ ମାନୁନାହାନ୍ତି । ତେଣୁ ସେମାନଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଚଳାଯାଉ । ଏଥିସହିତ ଉକ୍ତ ନିର୍ଦ୍ଦେଶାବଳୀକୁ ସେମାନେ ଯେଭଳି କଡାକଡି ଭାବେ ପାଳନ କରିବେ ସେଥି ଲାଗି ନିର୍ଦ୍ଦେଶ ଦିଆଯାଉ । ପିଟିସନର ତୁରନ୍ତ ଶୁଣାଣି କରିବାକୁ ମଧ୍ୟ ଆବେଦନକାରୀ ଦର୍ଶାଇଥିଲେ । କିନ୍ତୁ ଗତ ସପ୍ତାହରେ ସୁପ୍ରିମକୋର୍ଟ ଏହାର ତୁରନ୍ତ ଶୁଣାଣି କରିବା ଲାଗି ମନା କରିଦେଇଥିଲେ ।
ଦେଶରେ ଭିଡହତ୍ୟା ଘଟଣା ବୃଦ୍ଧି ପାଇବା ପରିପ୍ରେକ୍ଷୀରେ ତାକୁ ରୋକିବା ଲାଗି ଗତବର୍ଷ ଜୁଲାଇ ୧୮ ତାରିଖରେ ସୁପ୍ରିମକୋର୍ଟ କେତେକ ନୀତି ନିର୍ଦ୍ଦେଶାବଳୀ ଜାରି କରିଥିଲେ । ଭିଡହତ୍ୟା ଓ ଗୋ ସୁରକ୍ଷା ନାମରେ ହେଉଥିବା ହିଂସାକୁ ସର୍ବୋଚ୍ଚ ଅଦାଲତ ନିନ୍ଦା କରିବା ସହିତ ଏହା ଯୋଗୁ ବ୍ୟାପକ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜୁଥିବା କହିଥିଲେ । ସବୁ ଜିଲ୍ଲାରେ ଜଣେ ଲେଖାଏଁ ନୋଡାଲ ଅଫିସର ନିଯୁକ୍ତ କରିବା ସହ ପାଟ୍ରୋଲିକୁ କଡାକଡି କରିବା ଏବଂ ଭିଡହତ୍ୟା ମାମଲାର ବିଚାର ୬ମାସ ଭିତରେ ସାରିବକୁ କୋର୍ଟ କହିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons