ନବରଙ୍ଗପୁର,(ଗଗନ ଗନ୍ତାୟତ୍ତ): ସ୍ତ୍ରୀ ସହ ଅନୈତିକ ସମ୍ପର୍କ ସନେ୍ଦହରେ ହତ୍ୟାକାଣ୍ଡ । କଟାମୁଣ୍ଡ ଧରି ଗାଁ ଦାଣ୍ଡରେ ବୁଲିଲା ଅଭିଯୁକ୍ତ । ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ହାତିବାଡି ଗାଁରେ । ଶେଷରେ ଅଭିଯୁକ୍ତ ଥାନାରେ ଆତ୍ମସମର୍ପଣ କରିଛି । ଅଭିଯୁକ୍ତ ହେଲା ଗାଁର ଡମ୍ବରୁ ଗୌଡ । ହତ୍ୟାର ଶିକାର ହୋଇଛନ୍ତି ସେହି ଗାଁର ରତନ ଗୌଡ । ଡମ୍ବରୁ ଓ ରତନ ସମ୍ପର୍କରେ ଶଳା ଭିଣୋଇ ଜଣାପଡିଛି ।
ପୁଲିସ ସୂଚନା ଅନୁସାରେ, ଡମ୍ବରୁର ପିଉସୀ ଝିଅକୁ ରତନ ବିବାହ କରିଥିଲେ । ଡମ୍ବରୁର ସ୍ତ୍ରୀଙ୍କ ସହ ରତନଙ୍କର ସମ୍ପର୍କ ଥିଲା । ତେବେ ଏହା ଅନୈତିକ ବୋଲି ଡମ୍ବରୁ ସନେ୍ଦହ କରି ଆସୁଥିଲା । ଗତ ଶୁକ୍ରବାର ଦିନ ସାଢେ ୧ଟାରେ ରତନ ଗାଁ ନିକଟ ନାଳକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ଡମ୍ବରୁ ଏକ ଟାଙ୍ଗିଆ ଧରି ରତନଙ୍କୁ ଆକ୍ରମଣ କରିଥିଲା । ଟାଙ୍ଗିଆ ଚୋଟରେ ଡମ୍ବରୁ ରତନଙ୍କ ମୁଣ୍ଡକୁ ଶରୀରରୁ ଅଲଗା କରି ଦେଇଥିଲା । ଏତିକିରେ ଡମ୍ବରୁର ରାଗ ଥମି ନଥିଲା । ରତନଙ୍କ କଟା ମୁଣ୍ଡକୁ ଧରି ଡମ୍ବରୁ ଘଟଣାସ୍ଥଳରୁ ଆସି ଗାଁ ଦାଣ୍ଡରେ ବୁଲିଥିଲା । ଏହାକୁ ଦେଖି ଗାଁ ଲୋକେ ଭୟଭୀତ ହେବା ସହ ଉତ୍ତ୍ୟକ୍ତ ହୋଇ ପଡିଥିଲେ । ପରେ ଡମ୍ବରୁ ମୁଣ୍ଡଟିକୁ ନେଇ ନାଳ ନିକଟରେ ପଡିଥିବା କଟା ଶରୀର ପାଖରେ ରଖି ଦେଇଥିଲା । ପରେ ଏକ ସାଇକେଲ ଧରି ଡମ୍ବରୁ ସେହିଦିନ ସନ୍ଧ୍ୟାରେ ଝରିଗାଁ ଥାନାରେ ଆତ୍ମ ସମର୍ପଣ କରିଥିଲା । ରତନଙ୍କ ମୁଣ୍ଡକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଡମ୍ବରୁ ପୁଲିସ ଆଗରେ କହିଥିଲା । ତୁରନ୍ତ ପୁଲିସ ନାଳ ନିକଟରେ ପହଞ୍ଚି ରତନଙ୍କ ଶବକୁ ଖୋଜାଖୋଜି କରିଥିଲା । ଅନ୍ଧାର ରାତି ଓ ଘାସବୁଦା ଥିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଶବ ମିଳି ନଥିଲା । ପରେ କଟାମୁଣ୍ଡ ଓ ଶରୀର ଠାବ ହୋଇଥିଲା । ପୁଲିଏ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏ ସମ୍ପର୍କରେ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ଓ ତଦନ୍ତ ଆରମ୍ଭ ହୋଇଥିବା ଥାନା ଅଧିକାରୀ ଉମେଶ ସାହୁ କହିଛନ୍ତି ।
Comments are closed, but trackbacks and pingbacks are open.