ଭିତରକନିକାରେ ୬୦ ହଜାର ଦେଶୀୟ ପକ୍ଷୀଙ୍କ ସମାଗମ

Get real time updates directly on you device, subscribe now.

ରାଜନଗର,(ବି.ବି.ନ୍ୟୁଜ୍): ପ୍ରକୃତିର ବିସ୍ମୟ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀମାନଙ୍କ ଭିଡ଼ ଦିନକୁ ଦିନ ବଢିବାରେ ଲାଗିଛି । ମୌସୁମୀର ଆଗମନରେ ଜୁନ ଦ୍ୱିତୀୟ ସପ୍ତାହ ପରଠୁଁ ଦେଶୀୟ ପକ୍ଷୀମାନେ ଏଠାରେ ଭିଡ ଜମାଇଛନ୍ତି । ରଙ୍ଗ ବେରଙ୍ଗ ପକ୍ଷୀଙ୍କ କାକଳିରେ ଜାତୀୟ ଉଦ୍ୟାନର ପରିବେଶ ମୁଖରିତ ହେବାରେ ଲାଗିଛି । ଶନିବାର ସୁଦ୍ଧା ଏଠାରେ ପ୍ରାୟ ୬୦ ହଜାରରୁ ଊଦ୍ଧ୍ୱର୍ ଦେଶୀୟ ପକ୍ଷୀଙ୍କ ସମାଗମ ହୋଇଥିବା ବନ ବିଭାଗ ସୂତ୍ରରୁ ସୂଚନା ମିଳିଛି । ଜାତୀୟ ଉଦ୍ୟାନର ପକ୍ଷୀ ବିହାର ରୂପେ ପରିଚିତ ବଗଗହନର ପରିବେଶ ସନ୍ତୁଳିତ ରହୁଥିବାରୁ ଦେଶୀୟ ପକ୍ଷୀଗୁଡ଼ିକ ଏବେ ସେମାନଙ୍କର ନୂଆଠିକଣା ମଠଆଡିଆରେ ବସା ବାନ୍ଧିବାରେ ଲାଗିଛନ୍ତି । ପ୍ରାୟ ୧୫ ହଜାରରୁ ଊଦ୍ଧ୍ୱର୍ ପକ୍ଷୀ ବସା ବାନ୍ଧି ସାରିଲେଣି । ସୂର୍ଯ୍ୟ ଉଦୟ ହେବା କ୍ଷଣି ପକ୍ଷୀମାନେ ବସା ବାନ୍ଧିବାରେ ନିମଗ୍ନ ରହୁଛନ୍ତି । ଦଳଦଳ ହୋଇ ପୁରୁଷ ପକ୍ଷୀମାନେ ଭିତରକନିକାର ନୀଳ ଆକାଶରେ ଉଡିବା ସହିତ ଏହାର ଚାରିପାଖେ ଥିବା ଆର୍ଦ୍ରଭୂମିରୁ ଖାଦ୍ୟ ସଂଗ୍ରହ କରିବାର ଦୃଶ୍ୟ ବେଶ୍ ମନୋମୁଗ୍ଧକର । ଅଧିକାଂଶ ପକ୍ଷୀ ବସା ବାନ୍ଧିବା ପାଇଁ କାଠିକୁଟା ସଂଗ୍ରହ କରି ଫେରିବାର ଦୃଶ୍ୟ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରୁଛି । ଦେଶୀୟ ପକ୍ଷୀମାନଙ୍କ ମଧ୍ୟରେ ୮ ପ୍ରକାର କିଙ୍ଗ୍ଫିସର୍, ୧୦ ପ୍ରକାର ବଗ, ଛଞ୍ଚାଣ, ଗେଣ୍ଡାଳିଆ, ଦା’ବେଣ୍ଟିଆ, ହଳଦୀବସନ୍ତ, ଶୁଆ, ଶାରୀ, କପୋତ ପ୍ରଭୃତି ପକ୍ଷୀ ଜାତୀୟ ଉଦ୍ୟାନରେ ଭିଡ ଜମାଇଛନ୍ତି । ଆଗନ୍ତୁକ ପକ୍ଷୀମାନଙ୍କ ଗଣନା କାର୍ଯ୍ୟ ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ବନ ବିଭାଗ ସୂତ୍ରରୁ ଜଣାପଡିଛି । ଏହି ଗଣନା କାର୍ଯ୍ୟରେ ୮ଟି ଟିମ୍ ସାମିଲ ହେବ । ଏହାଛଡା ଜାତୀୟ ଉଦ୍ୟାନ ଚାରିପାଖେ ବସବାସ କରୁଥିବା ପେସାଦାର ଶିକାରୀମାନେ ଯେଭଳି ଏହି ଆଗନ୍ତୁକ ପକ୍ଷୀମାନଙ୍କୁ ଶିକାର କରିନପାରିବେ ସେଥିପାଇଁ ରାଜନଗର ବନ ବିଭାଗ ସଜାଗ ରହିଥିବା କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons