
ରାଜନଗର,(ବି.ବି.ବୁ୍ୟରୋ): ଓଡ଼ିଶା ଜୀବିକା ମିସନର ରାଜନଗର ବ୍ଲକ୍ ସଂଯୋଜକ ରଶ୍ମିରଂଜନ ଦାଶଙ୍କୁ ଘରେ ପଶି ମରଣାନ୍ତକ ଆକ୍ରମଣ କରିବା ଘଟଣାରେ ରାଜନଗର ପୁଲିସ ଭୁବନେଶ୍ୱରରୁ ୬ଜଣଙ୍କୁ ଧରିଛି । ଆକ୍ରମଣ ବେଳେ ଅଭିଯୁକ୍ତମାନେ ବ୍ୟବହାର କରିଥିବା କାର୍କୁ ମଧ୍ୟ ପୁଲିସ ଜବତ କରିଛି । ଏହି ଘଟଣାରେ ଆଜି ସୁଦ୍ଧା ଜଣେ ମହିଳା ଜେଲ୍ ଯାଇଥିବା ବେଳେ ମହିଳାଙ୍କ ସ୍ୱାମୀଙ୍କ ସମେତ ୭ଜଣଙ୍କୁ ପୁଲିସ ରାଜନଗର ଥାନାରେ ରଖି ପଚରାଉଚରା କରୁଛି । ସେମାନେ ଅପରାଧ କିପରି ଘଟାଇଲେ, ଷଡ଼ଯନ୍ତ୍ର ପଛରେ କିଏ କିଏ ରହିଛନ୍ତି, ବ୍ଲୁ ପ୍ରିଣ୍ଟ କିପରି ପ୍ରସ୍ତୁତ ହୋଇଥିଲା ସେ ନେଇ ପୁଲିସ ପଚରାଉଚରା କରିଛି । ୭ଜଣଙ୍କ ଭିତରୁ କେଉଁମାନେ ଘଟଣା ଦିନ ଆକ୍ରମଣ କରିବାକୁ ଆସିଥିଲେ ଓ କେଉଁମାନେ ପ୍ରଚ୍ଛଦପଟରେ ଥିଲେ ସେ ନେଇ ଆସନ୍ତାକାଲି ପୁଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ବିବରଣୀ ଦିଆଯିବ ବୋଲି ସୂଚନା ଦିଆଯାଇଛି ।
ଖବରରୁ ପ୍ରକାଶ ଯେ, ଚଳିତ ମାସ ୧୩ ତାରିଖ ରାତି ପ୍ରାୟ ୩ଟାରେ ରାଜନଗର ଓଡ଼ିଶା ଜୀବିକା ମିସନର ରାଜନଗର ବ୍ଲକ୍ ସଂଯୋଜକ ରଶ୍ମିରଂଜନ ଦାଶଙ୍କ ଘରର କବାଟ ବାଡେ଼ଇ ବିଡିଓ ଓ ଆଇଆଇସି ଡାକୁଛନ୍ତି କହି ସଂପୃକ୍ତ ଅପରାଧୀମାନେ ଡାକିଥିଲେ । ରଶ୍ମିରଂଜନ ଗ୍ରୀଲ ଖୋଲିବା କ୍ଷଣି ସେମାନେ ତାଙ୍କୁ ଭୁଜାଲିରେ ଅତର୍କିତ ଆକ୍ରମଣ କରିଥିଲେ । ରଶ୍ମିରଂଜନ ଦୌଡ଼ି ଯାଇ ନିଜ ବେଡ୍ରୁମ୍ ଭିତରକୁ ପଶି ଯାଇଥିଲେ । ଅପରାଧୀମାନେ ଘରର ବେଡ୍ରୁମ୍ ଭିତରେ ପଶି ଅତି ନିର୍ମମ ଭାବେ ତାଙ୍କୁ ହାଣିଥିଲେ । ସଂପ୍ରତି ସେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି । ରାଜନଗର ଆଇଆଇସି ତପନ ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଥିଲା । ଗତକାଲି ରାତିରେ ଭୁବନେଶ୍ୱରର ଦୁଇଟି ସ୍ଥାନରୁ ପୁଲିସ ୬ଜଣଙ୍କୁ ଧରିବାରେ ସଫଳ ହୋଇଛି । ଏହି ଆକ୍ରମଣ ଯୋଜନାର ମୁଖ୍ୟ ତଥା ଜେଲ୍ ଯାଇଥିବା ନିଲମ୍ବିତ ଏମ୍ବିକେ ମନୋରମା ମାହୁନ୍ତଙ୍କ ପୁଅ ରାଜନଗର ଥାନା ଅନ୍ତର୍ଗତ ଫିରିକିଦାଣ୍ଡି ଗାଁର ରମ୍ୟ ରଂଜନ ମାହୁନ୍ତ (୨୧), ମନୋରମାଙ୍କ ଭାଇଙ୍କ ପୁଅ ଶ୍ରୀରାମପୁର ଗାଁର ଦେବୀ ପ୍ରସାଦ ଜେନା (୨୧), ଭୁବନେଶ୍ୱର ଶୈଳଶ୍ରୀ ବିହାରର ବିଶ୍ୱ ବିଜୟ ସିଂ(୧୯), ଭୁବନେଶ୍ୱର ଝାରପଡ଼ା ଅଂଚଳର ସଂଜୀବ ସ୍ୱାଇଁ (୨୫), ଭୁବନେଶ୍ୱର ପୁରୁଣା ବସ୍ଷ୍ଟାଣ୍ଡ ଅଂଚଳର ପ୍ରଭୁ ତ୍ରିପାଠୀ (୨୫), ନୟାପଲ୍ଲୀ ଅଂଚଳର ଦେବାଶିଷ ମଙ୍ଗରାଜ (୧୮)ଙ୍କୁ ପୁଲିସ ଗତକାଲି ପୁଲିସ ଭୁବନେଶ୍ୱର ଅଂଚଳରୁ ଧରିବାରେ ସକ୍ଷମ ହୋଇଛି । ଏମାନଙ୍କ ମଧ୍ୟରୁ ଦେବୀ ପ୍ରସାଦ ଜେନା, ବିଶ୍ୱ ବିଜୟ ସିଂ, ରମ୍ୟ ରଂଜନ ମାହୁନ୍ତ ଘଟଣା ଦିନ ନିଜେ ଆସି ଭୁଜାଲିରେ ରଶ୍ମିରଂଜନଙ୍କୁ ଆକ୍ରମଣ କରିଥିବା ପୁଲିସ ନିକଟରେ ସ୍ୱୀକାର କରିଛନ୍ତି । ଅନ୍ୟମାନଙ୍କର ସଂପୃକ୍ତି ରହିଛି ନା ନାହିଁ, ସେ ନେଇ ପୁଲିସ ତଦନ୍ତ ଜାରି ରଖିବା ସହିତ ଅଭିଯୁକ୍ତମାନଙ୍କୁ ପଚରାଉଚରା କରୁଛି । ପୁଲିସ ଏହି ଘଟଣାରେ ଅପରାଧୀମାନେ ବ୍ୟବହାର କରିଥିବା କାର୍(ଓଡି୦୫ ୮ଏ ୬୬୩୯)କୁ ଜବତ କରିଛି । ଏହି ଘଟଣାରେ ଜେଲ ଯାଇଥିବା ପୂର୍ବତନ ଏମ୍ବିକେ ମନୋରମାଙ୍କ ସ୍ୱାମୀ ରବୀନ୍ଦ୍ରଙ୍କୁ ପୁଲିସ ଥାନାରେ ରଖି ପଚରାଉଚରା କରୁଛି ।


Comments are closed, but trackbacks and pingbacks are open.