ଭୋଗରାଇ (ବି.ବି.ନୁ୍ୟଜ୍): ଆଶ୍ଚର୍ଯ୍ୟ, ବିଜ୍ଞାନ ଯୁଗରେ ମଧ୍ୟ ଭୂତ ଛଡ଼ାଇବା ନାଁରେ ବେତ ମାଡ଼ । ଚନ୍ଦ୍ରରେ ବାସ କରିବା ଲାଗି ସ୍ୱପ୍ନ ଦେଖୁଥିବା ମଣିଷ ଭୂତ ଛଡ଼ାଇବା ପାଇଁ ଏବେ ବି ଗୁଣିଆ ଉପରେ ଭରସା କରୁଛି । ବଞ୍ଚି ରହିଛି ଅନ୍ଧବିଶ୍ୱାସର ପରମ୍ପରା । କୋମଳମତି ଶିଶୁ ପୁତ୍ରକୁ ଅତି ନିର୍ଦ୍ଧୟ ଭାବେ ପିଟାମରା କରି ମୁହଁରେ ଜୋତା ଧରାଇବାକୁ ପର୍ଯ୍ୟନ୍ତ କଥା ଯାଉଚି । ଏକଥା ଦେଖିବାକୁ ମିଳିଛି ରାଜ୍ୟର ସର୍ବାଧିକ ଶିକ୍ଷିତ ଜିଲ୍ଲା ବାଲେଶ୍ୱର ଭୋଗରାଇ ବ୍ଲକ୍ରେ । ଏଭଳି ଘଟଣାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି । ସାମାଜିକ ଗଣମାଧ୍ୟମରେ ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ମଧ୍ୟ ପୁଲିସ, ପ୍ରଶାସନ ନିରବଦ୍ରଷ୍ଟା ସାଜିବା ସଚେତନ ନାଗରିକଙ୍କୁ ମର୍ମାହତ କରିଛି ।
ଭୋଗରାଇ ବ୍ଲକ୍ କମର୍ଦ୍ଧା ଥାନା ଅଞ୍ଚଳରେ ଏଭଳି କୁଂସ୍କାରଯୁକ୍ତ ଅମାନବୀୟ କାର୍ଯ୍ୟକଳାପ ବୁଧବାର ଦେଖିବାକୁ ମିଳିଛି । ମହାଗବ ଅଞ୍ଚଳର ନିତାଇ ସାମଲଙ୍କ ୭ ବର୍ଷର ପୁଅ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲା । ନିତାଇ ତାଙ୍କ ପୁଅକୁ ଦାହୁଣଦା ପଞ୍ଚାୟତ ଅନ୍ତର୍ଗତ ରାଣୀଗୁଡ଼ା ଗ୍ରାମର ଜନୈକ ଗୁଣିଆ ପାଖକୁ ଆଜି ନେଇଯାଇଥିଲେ । ରାଣୀଗୁଡ଼ା ତାରିଣୀ ମନ୍ଦିର ପାଖରେ ମା’ ମନସା ଦେବୀଙ୍କୁ ରଖି ପୂଜାର୍ଚ୍ଚନା ସହ ସେହି ଗ୍ରାମର ଗୁଣିଆ ଅଜୟ ରାଉଳ (ଚୁଣ୍ଟିଆ) ଏବଂ ତାଙ୍କ ସ୍ତ୍ରୀ ପିଲାଟିକୁ ଦେଖି ତାକୁ ଭୂତ ଲାଗିଛି ବୋଲି କହିଥିଲେ । ଝଡ଼ାଫୁଙ୍କା କଲେ ସେ ସୁସ୍ଥ ହୋଇଯିବ ବୋଲି ପିଲାର ବାପାଙ୍କୁ ପରାମର୍ଶ ଦେଇଥିଲେ । ପୁଅ ଶରୀରରୁ ଭୂତ ଛଡ଼ାଇବା ପାଇଁ ରାଜି ହୋଇଯାଇଥିଲେ ନିତାଇ । ଫଳରେ ବୁଧବାର ମଧ୍ୟାହ୍ନରେ ଗୁଣିଆ ଅଜୟ, ତାଙ୍କ ସ୍ତ୍ରୀ ମିଳିତ ଭାବେ ପିଲାଟିକୁ ସେହି ଗ୍ରାମର ରାସ୍ତା ପାଶ୍ୱର୍ସ୍ଥ ଏକ ପଡ଼ିଆକୁ ନେଇ ସେଠାରେ ଭୂତ ଛଡ଼ାଇବା କାର୍ଯ୍ୟ ଆରମ୍ଭ କରିଥିଲେ । ଅଜୟ ଏକ କଣ୍ଟା ଢାଳ ଏବଂ ତାଙ୍କ ପତ୍ନୀ ଗୋଟିଏ ବେତ ବାଡ଼ିରେ ପିଲାଟିକୁ ଅତି ଅମାନବୀୟ ଢଙ୍ଗରେ ଦୀର୍ଘ ସମୟ ଧରି ନିର୍ଦ୍ଧୁମ ପିଟି ଥିଲେ । କେବଳ ଏତିକି ନୁହେଁ, ପିଲାଟିକୁ ଜୋତା କାମୁଡ଼ି ଧରିବାକୁ ବାଧ୍ୟ କରିଥିଲେ । ଏଭଳି ଯନ୍ତ୍ରଣାଦାୟକ ନିର୍ଯାତନା ସହି ନପାରି ପିଲାଟି ଅଚେତ ହୋଇଯାଇଥିଲା । ରାସ୍ତାରେ ଯାଉଥିବା ବହୁ ଲୋକଙ୍କ ସହିତ ନିତାଇ ମଧ୍ୟ ଦେଖଣାହାରୀ ସାଜିଥିଲେ । ରାସ୍ତାରେ ଯାଉଥିବା ଜନୈକ ଯୁବକ ଏହି ସମସ୍ତ ଘଟଣାର ଭିଡିଓ ନିଜ ମୋବାଇଲରେ କଏଦ୍ କରି ଭାଇରାଲ କରିଥିଲେ । ଫଳରେ ଏହା ଲୋକ ଲୋଚନକୁ ଆସିଥିଲା । ଏନେଇ ନିତାଇଙ୍କୁ ଯୋଗାଯୋଗ କରିବାରୁ ଗୁଣିଆ ତାଙ୍କ ହିସାବରେ ଝଡ଼ାଫୁଙ୍କା କାର୍ଯ୍ୟ କରି ତାଙ୍କ ପୁଅକୁ ସୁସ୍ଥ କରିଛନ୍ତି ବୋଲି କହିଛନ୍ତି । ଅନ୍ୟପକ୍ଷରେ ଗୁଣିଆ ଅଜୟ କହିଛନ୍ତି ଯେ ସାଧାରଣତଃ ଏହି କାର୍ଯ୍ୟ ରାତିରେ କରାଯାଇଥାଏ । ମାତ୍ର ଆଜି ଏହା ଦିନରେ କରିଥିବାରୁ ସମସ୍ତେ ଦେଖିଲେ । ଭୂତ ଛଡ଼ାଇବା ଲାଗି ପିଟାମରା ସହ ମୁହଁରେ ଜୋତା କାମୁଡ଼ି ଥାଆନ୍ତି ବୋଲି ସେ କହିଥିଲେ । ଏହାପରେ ସେ ଯେଉଁଠି ପଡ଼ିଯିବ, ସେଇଠି ତା’ ଦେହରୁ ହାୱା (ଭୂତ, ପ୍ରେତ, ଡାହାଣୀ, ଯୋଗିନୀ ଇତ୍ୟାଦି) ବାହାରିଯାଏ ।ସେହିଠାରେ ଭୂତ ଲାଗିଥିବା ବ୍ୟକ୍ତିକୁ ଓଲଟାଇ ଦେଇ ଭୂତ ଜୋତା ଛାଡ଼ି ପଳାଇଯାଏ । ଏହିଭଳି ଭାବେ ସେ ବହୁ ଲୋକଙ୍କ ଶରୀରରୁ ଭୂତ ଛଡ଼ାଇଛନ୍ତି ବୋଲି ଗୁଣିଆ ଅଜୟ କହିଛନ୍ତି ।ଏହି ଖବର ପ୍ରଚାରିତ ହେବା ପରେ କମର୍ଦ୍ଧା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ହେଲେ ସେଠାରେ କେହି ନଥିବା ଦେଖି ଫେରି ଆସିଥିବା ଜଣାପଡ଼ିଛି । ପୁଲିସରେ ଅଭିଯୋଗ ହୋଇନଥିଲେ ମଧ୍ୟ ଏଭଳି ଏକ ଅନ୍ଧବିଶ୍ୱାସ ଜନିତ ଶିଶୁ ନିର୍ଯାତନା ଘଟଣାରେ ପୁଲିସ ପ୍ରଶାସନ ଚୁପ୍ ରହିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।


Comments are closed, but trackbacks and pingbacks are open.