ଭେଡେ଼ନ ନଦୀରେ ଶ୍ରମଦାନ କରି ବାଲି ବନ୍ଧ କଲେ ଚାଷୀ

Get real time updates directly on you device, subscribe now.

କୁଚିଣ୍ଡା,(ବି.ବି.ନୁ୍ୟଜ): ଖରାଟିଆ ପନିପରିବା ଚାଷ ପାଇଁ ପାଣି ପାଉନାହାନ୍ତି ଚାଷୀ । ପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କ ପ୍ରତିଶ୍ରୁତି ପାଣିର ଗାର ହୋଇଛି । ବ୍ୟାରେଜ୍ ନିର୍ମାଣ ପାଇଁ ଖୋଦ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ ଦେଇଥିଲେ ମଧ୍ୟ କାମ ଆରମ୍ଭ ହୋଇପାରିନି । ଫଳରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନିକଟ ଭେଡେ଼ନ ନଦୀରେ ଜଳସେଚନ ପାଇଁ ଚାଷୀମାନେ ଶ୍ରମଦାନ କରି ବାଲି ବନ୍ଧା କରି ପାଣି ଅଟକାଇଛନ୍ତି । ଚନ୍ଦନୀମାଲ ଓ କୁଲେଇଗଡ଼ର ଶତାଧିକ ଚାଷୀ ଏଥିରେ ସାମିଲ ହୋଇ ବନ୍ଧା ବାନ୍ଧିଛନ୍ତି ।
ଏହି ଅଞ୍ଚଳରେ ଚାଷୀ ଖରାଟିଆ ପନିପରିବା ଚାଷ କରିଥାନ୍ତି । ବିଶେଷ କରି ଏହି ଅଞ୍ଚଳରେ ଲଙ୍କା ଚାଷକୁ ଚାଷୀ ଏକ ଅର୍ଥକାରୀ ଫସଲ ଭାବେ ଗ୍ରହଣ କରିଥାନ୍ତି । ଏହାବ୍ୟତିତ ଚିନାବାଦାମ, ସୋରିଷ, ମୁଗ ଆଦି ଚାଷ କରିଥାନ୍ତି । ବର୍ତ୍ତମାନ ଚାଷୀ ଚାଷ କାର୍ଯ୍ୟରେ ଲାଗିଲେଣି । ହେଲେ ବିଲକୁ ଜଳସେଚନ ଚିନ୍ତାରେ ରହିଛନ୍ତି । ଖରା ଦିନରେ ଏଠାରେ ନଦୀର ସ୍ରୋତ କମି ଯାଉଥିବାରୁ ଜଳସେଚନ ପାଇଁ ପାଣିର ଘୋର ଅଭାବ ଦେଖାଦେଇଥାଏ । ଯାହାଫଳରେ ଏହି ଦୁଇ ପଞ୍ଚାୟତର ଶତାଧିକ ଚାଷୀ ନିଜ ପରିଶ୍ରମରେ ବାଲି ବନ୍ଧା କରିଛନ୍ତି ।
ଏଠାରେ ପ୍ରତି ବର୍ଷ ଏହିପରି ଭାବରେ ବାଲି ବନ୍ଧା ତିଆରି ହୋଇଥାଏ । ପ୍ରଶାସନ ପାଖରେ ବ୍ୟାରେଜ୍ ନିର୍ମାଣ ପାଇଁ ବାରମ୍ୱାର ଦାବି ହୋଇ ଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନାହିଁ । ରାଜନେତାମାନେ ମଧ୍ୟ ଏହି ଅଞ୍ଚଳର ଚାଷର ଉନ୍ନତି ପାଇଁ ବଡ଼ ବଡ଼ ଭାଷଣରେ ଜଳସେଚନ ବ୍ୟବସ୍ଥା କରି ଚାଷୀର ଦୁଃଖ ଦୂର କରିବା କଥା କହନ୍ତି । ହେଲେ କୌଣସି ପ୍ରତିଶ୍ରୁତି କାର୍ଯ୍ୟକାରୀ ହେଉନଥିବା ଚାଷୀମାନେ କହିଛନ୍ତି ।
ସୂଚନା ଥାଉ ୨୦୧୪ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ବଦୁଲାପାଲିଠାରେ ଏକ ବ୍ୟାରେଜ୍ ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ଗୋଟିଏ ପାଦ ମଧ୍ୟ କାମ ଆଗକୁ ବଢ଼ି ପାରିନାହିଁ । ପ୍ରତି ବର୍ଷର ଦୁଃଖ ଦୂର କରିବାକୁ ହେଲେ ସ୍ଥାୟୀ ଚେକ୍ ଡ୍ୟାମ୍ ନର୍ମାଣ କରାଯିବା ନିହାତି ଜରୁରି ବୋଲି ଚାଷୀ ମତ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons