ଭଞ୍ଜନଗର: ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ସତର୍କତା ପରାମର୍ଶକୁ ଅଣଦେଖା କରି ଭୋଜିଭାତ ଆୟୋଜନ କରିଥିବା ଗଞ୍ଜାମ ଜିଲ୍ଲା ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ଠାରୁ ୧୫ ହଜାର ଟଙ୍କା ଜରିମାନା ଆଦାୟ କରିଛି ପ୍ରଶାସନ । ସୋମବାର ମଧ୍ୟାହ୍ଣରେ ଶହ ଶହ ଲୋକ କୋଭିଡ୍ ସଂକ୍ରମଣ କଟକଣାକୁ ଫୁ କରି ଭୋଜି ଖାଇଯିବା ପରେ ସନ୍ଧ୍ୟାରେ ପହଞ୍ଚିଥିଲା ପୁଲିସ ଓ ପ୍ରଶାସନ । ବିଧାୟକଙ୍କ ସମେତ ଆଉ ଜଣଙ୍କ ଠାରୁ ଜରିମାନା ଆଦାୟ କରିଥିଲା । ତେଣେ ବିଧାୟକ ଗତକାଲି ଗୋଟିଏ ପ୍ରକାର କଥା କହିଥିବା ବେଳେ ବୁଧବାର ଆଉ ଏକ ପ୍ରକାର କଥା କହିଛନ୍ତି । ଗତକାଲି ଭୋଜି ନୁହେଁ, ପ୍ରସାଦ ସେବନ ବୋଲି ସଫେଇ ଦେଇଥିବା ବେଳେ ମଙ୍ଗଳବାର ଏହା ତାଙ୍କର ନୁହେଁ ତାଙ୍କ ପଡୋଶୀଙ୍କ ଭୋଜି ଥିଲା ବୋଲି କହି ନିଜ ଉପରୁ ଦୋଷ ହଟାଇବାକୁ ଚେଷ୍ଟା କରିଛନ୍ତି । ତଥାପି ବିଧାୟକଙ୍କ ବିରୋଧରେ ପୁଲିସର ଦ୍ୱାରସ୍ଥ ହୋଇଛି ବିଜେପି । ସୋରଡା ଥାନାରେ ବିଧାୟକଙ୍କ ନାଁରେ ଏତଲା ଦେଇଛନ୍ତି ବିଜେପି ନେତୃବୃନ୍ଦ । ସେପଟେ ଆଜି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋରଡ଼ାରେ ପହଞ୍ଚି ‘କାର୍ଯ୍ୟାନୁÂାନ ହୋଇଥିବା’ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ସୋରଡା ବିଧାୟକଙ୍କ ପିତା ମହାଦେବ ସ୍ୱାଇଁଙ୍କ ସୋମବାର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଥିଲା । ପୈତୃକ ଗ୍ରାମ ଅମୃତୁଲୁରେ ଏହି ଉପଲକ୍ଷେ ପଞ୍ଚାୟତ ଅଫିସ୍ରେ ପ୍ରତିମୂର୍ତ୍ତି ସ୍ଥାପନ ସହ ରକ୍ତଦାନ ଶିବିର, ୧୦୮ ହନୁମାନ ଚାଳିଶା ଓ ବ୍ରାହ୍ମଣ ଭୋଜନ ସାଙ୍ଗକୁ ଭଜନ ସମାରୋହ ଓ ସଂକୀର୍ତ୍ତନ କାର୍ଯ୍ୟକ୍ରମ କରାଯାଇଥିଲା । ଶହ ଶହ ଲୋକ କୋଭିଡ୍ କଟକଣାକୁ ଅମାନ୍ୟ କରି ଏକାଠି କଦଳୀପତ୍ର ପକାଇ ଭୋଜି ଖାଇଥିବା ଫଟୋ ଓ ଭିଡିଓ ଭାଇରାଲ୍ ହୋଇଥିଲା । ନିକଟରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଚେତାଇ ଦେଇଥିଲେ ଯେ କୋଭିଡ୍ ବିପଦ ଟଳିନି । ତୃତୀୟ ଲହର ପାଇଁ ରାଜ୍ୟବାସୀ ସତର୍କ ରୁହନ୍ତୁ ଓ କୋଭିଡ୍ ସମ୍ବନ୍ଧୀୟ ସମସ୍ତ କଟକଣାକୁ କଡାକଡି ପାଳନ କରନ୍ତୁ । ହେଲେ ବିଧାୟକଙ୍କ ରକ୍ତଦାନ ଶିବିର ହେଉ କିମ୍ବା ଭୋଜିଭାତ, ସବୁଠି ଦେଖିବାକୁ ମିଳିଥିଲା ଭିଡ । ନା ଥିଲା ସାମାଜିକ ଦୂରତା ନା ଥିଲା ବିଶୋଧନର କୌଣସି ବ୍ୟବସ୍ଥା । ଏହି ଘଟଣା ବିଧାୟକଙ୍କୁ ମହଙ୍ଗା ପଡ଼ିଛି । ଦିନରେ ଶହ ଶହ ଲୋକଙ୍କ ଭୋଜିଭାତ ଚାଲିଥିଲା ବେଳେ ପୁଲିସ କିମ୍ବା ପ୍ରଶାସନିକ ଅଧିକାରୀଙ୍କ ଦେଖା ମିଳି ନଥିଲା । ତେବେ ସନ୍ଧ୍ୟାରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଘଟଣାସ୍ଥଳରେ ଚଢ଼ଉ କରିବାକୁ ନିଦେ୍ର୍ଧଶ ଦେଇଥିଲେ । ସେହିପରି ଗଞ୍ଜାମ ଏସ୍ପି ମଧ୍ୟ ସ୍ଥାନୀୟ ଥାନାକୁ ନିଦେ୍ର୍ଧଶ ଦେଇଥିଲେ । ଥାନା ଅଧିକାରୀ ରମେଶ ପ୍ରଧାନଙ୍କ ସୂଚନା ଅନୁସାରେ ଅପରାହ୍ଣ ୫ଟା ୩୦ରୁ ୬ଟା ମଧ୍ୟରେ ସୋରଡ଼ା ତହସିଲଦାର ରବୀନ୍ଦ୍ର ମିଶ୍ର ଓ ସେ ଗାଁକୁ ଯାଇ ଘଟଣାସ୍ଥଳ ତନାଘନା କରିଥିଲେ । ବିଧାୟକ ପୂର୍ଣ୍ଣ ସ୍ୱାଇଁଙ୍କ ଉପରେ ୧୫ ହଜାର ଟଙ୍କା ଓ ତାଙ୍କ ପଡୋଶୀ କୁହାଯାଉଥିବା ବନମାଳୀ ବିଶୋୟୀଙ୍କ ଠାରୁ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଥାନା ଅଧିକାରୀ କହିଛନ୍ତି ।
ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋରଡ଼ା ଗସ୍ତ କରିଥିବା ବେଳେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ- ଭଞ୍ଜନଗର ଉପଜିଲ୍ଲାପାଳ କାର୍ଯ୍ୟାନୁÂାନ ଗ୍ରହଣ କରିଛନ୍ତି । ଫାଇନ୍ ମଧ୍ୟ ଆଦାୟ କରାଯାଇଛି । ଏସ୍ପି ଓ ଉପଜିଲ୍ଲାପାଳଙ୍କ ଦ୍ୱାରା କାର୍ଯ୍ୟାନୁÂାନ ନିଆଯାଇଥିବା ଜିଲ୍ଲାପାଳ କହିଛନ୍ତି । ସେହିପରି ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ୍ କହିଛନ୍ତି ଯେ- ଏହି ଘଟଣାକୁ ନେଇ ପ୍ରଶାସନ ସଜାଗ ରହିଛି । କଟକଣା ଉଲ୍ଲଂଘନ ଅଭିଯୋଗରେ ଜରିମାନା ଆଦାୟ କରାଯାଇଛି । ସେହିପରି ଗଞ୍ଜାମ ଏସ୍ପି ବ୍ରିଜେଶ ରାୟଙ୍କୁ ପଚାରିବାରେ ଆଇନ ତା ବାଟରେ କାମ କରିବ ବୋଲି ସ୍ପଷ୍ଟ କରିଛନ୍ତି ।
ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ମଙ୍ଗଳବାର ନିଜ କଥା ବଦଳାଇଛନ୍ତି । ସୋମବାର ଘଟଣାକୁ ନେଇ ତୁମ୍ଭିତୋଫାନ ହେବା ପରେ ସେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ- କଟକଣାକୁ ମାନି ଜୀବନ ବିନ୍ଦୁ ରକ୍ତଦାନ ଶିବିର ହୋଇଥିଲା । କୌଣସି ଭୋଜି ହୋଇ ନଥିଲା, କେବଳ ଗାଁ ଲୋକ ପ୍ରସାଦ ସେବନ କରିଥିଲେ, ତାହା ମଧ୍ୟ ଗ୍ରାମବାସୀ ଆୟୋଜନ କରିଥିଲେ । ହେଲେ ମଙ୍ଗଳବାର ସେ କହିଛନ୍ତି ଯେ- ଆୟୋଜିତ ରକ୍ତଦାନ ଶିବିରରେ ୫ ଶହରୁ ଊଦ୍ଧ୍ୱର୍ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି । ରକ୍ତଦାତାଙ୍କୁ ଖାଇବାକୁ ଦେବା ବନେ୍ଦାବସ୍ତ କରାଯାଇଥିଲା । ଏଥିପାଇଁ ପୁରୀରୁ ଅବଢ଼ÿା ମହାପ୍ରସାଦ ଅଣାଯାଇ ପ୍ରତ୍ୟେକ ରକ୍ତଦାତାଙ୍କୁ କଦଳୀପତ୍ରରେ ଖାଇବାକୁ ଦିଆଯାଇଥିଲା । ସେ ଆହୁରି ସଫେଇ ଦେଇଛନ୍ତି ଯେ- ଗ୍ରାମର ବନମାଳୀ ବିଶୋୟୀଙ୍କ ପନôୀ ଜମ୍ଭୁଙ୍କ ଏକାଦଶାହ ଉପଲକ୍ଷେ ଆଉ ଏକ ଭୋଜିଭାତର ଆୟୋଜନ ହୋଇଥିଲା । ସେଠାରେ ମଧ୍ୟ ଗ୍ରାମବାସୀ ଭୋଜିଭାତ ଖାଇଥିଲେ । ଏସବୁ ପାଖାପାଖି ଗୋଟିଏ ସ୍ଥାନରେ ହୋଇଥିବାରୁ ଏହାକୁ ବିଧାୟକଙ୍କ ପିତାଙ୍କ ଶ୍ରାଦ୍ଧବାର୍ଷିକୀ ଗହଳି ବୋଲି ଭିଡିଓ ଭାଇରାଲ କରାଯାଇଥିବାନେଇ ସୋରଡ଼ା ବିଧାୟକଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ- ରକ୍ତଦାନ ଶିବିରରେ ଆସିକା ସାଂସଦ ପ୍ରମିଳା ବିଶୋୟୀ, ରାଜ୍ୟ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ସଂଯୋଜକ ସୁବାସ ଚନ୍ଦ୍ର ମହାରଣା ପ୍ରମୁଖ ଯୋଗ ଦେଇଥିଲେ ।
ତେଣେ ସୋରଡା ବିଧାୟକଙ୍କ ବିରୋଧରେ ଅଭିଯୋଗ କରିଛି ବିଜେପି ଓ କଂଗ୍ରେସ । କୋଭିଡ୍ ନିୟମ ଉଲ୍ଲଂଘନ କରାଯାଇଥିବା ନେଇ ଘୁମୁସର ଜିଲ୍ଲା ବିଜେପି ପକ୍ଷରୁ ସୋରଡ଼ା ଥାନାରେ ମଙ୍ଗଳବାର ଏତଲା ସୋରଡ଼ା ବ୍ଲକ୍ ବିଜେପି ସଭାପତି ଜଗା ପାତ୍ର ଥାନାରେ ଏତଲା ଦାୟର କରିଥିବା ବେଳେ ଘୁମୁସର ଜିଲ୍ଲା ବିଜେପି ସଭାପତି ଗୋକୁଳାନନ୍ଦ ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀଳମଣି ବିଶୋୟୀ, ଜିଲ୍ଲା ସାଧାରଣ ସମ୍ପାଦକ ରଞ୍ଜନ ରାଉତ, ବରିÂ ବିଜେପି ନେତା ଭଗବାନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଏଭଳି ଘଟଣାକୁ ବିଜେପି ପକ୍ଷରୁ ଦୃଢ ନିନ୍ଦା କରାଯାଇଛି । ଏଯାଏଁ କୋଭିଡ କଟକଣା ସଂପୂର୍ଣ୍ଣ ହଟିନାହିଁ । ସୀମିତ ଲୋକଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ସକାଶେ ଅନୁମତି ଥିଲେ ହେଁ ବିଧାୟକ କିଭଳି ଏତେବଡ଼ ଆୟୋଜନ କରିଥିଲେ ବୋଲି ନୀଳମଣି ବିଶୋୟୀ ପ୍ରଶ୍ନ ଉଠାଇଛନ୍ତି । ସେହିପରି ଶହ ଶହ ଲୋକଙ୍କୁ ରୋଷେଇ କରି ଖାଇବାକୁ ଦେବା ନେଇ ସୋରଡା ବିଧାନସଭା କ୍ଷେତ୍ର କଂଗ୍ରେସ ପ୍ରାର୍ଥୀ ତଥା ଓପିସିସି ସଦସ୍ୟ ଇଂ ସଂଗ୍ରାମ କେଶରୀ ମହାନ୍ତି ଗଞ୍ଜାମ ଜିଲ୍ଲାପାଳଙ୍କୁ ଅଭିଯୋଗପତ୍ର ପଠାଇଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.