
ନୂଆଦିଲ୍ଲୀ:ଟିକେ ଗରମ ନ ହେଉଣୁ ଆମେ ଏସି(ଏୟାର୍ କଣ୍ଡିସନର) ଲଗାଇଦେଉଛୁ । ସାମାନ୍ୟ ଉତ୍ତାପ ସହିବାକୁ ଆମେ ପ୍ରସ୍ତୁତ ନୁହେଁ । ଆଧୁନିକ ଜୀବନଶୈଳୀ ସହ ଆମ ମଧ୍ୟରେ ବଢ଼ୁଥିବା ଏହି ଅଭ୍ୟାସ ଯେ କେତେ ଭୟଙ୍କର ତାହା କଳନା କରିବା କଷ୍ଟକର । ବିଶ୍ୱ ତାପନ ଉପରେ ଏହାର ସାଂଘାତିକ ପ୍ରଭାବ ପଡ଼ୁଛି । ପାଣିପାଗ ବଦଳିବା ସହ ଏସିର ଚାହିଦା ବଢ଼ିଚାଲିଛି । ଶୀତଳ ବାୟୁର ବର୍ଦ୍ଧିତ ଚାହିଦା ଅର୍ଥାତ୍ ଅଧିକ ଶକ୍ତି ଆବଶ୍ୟକତା । ଅଧିକ ଶକ୍ତି ଆବଶ୍ୟକତା ଅର୍ଥାତ ଅଧିକ ପ୍ରଦୂଷଣ । ବିଶ୍ୱ ତାପନ ବଢ଼ାଇବାରେ ଏସି ପ୍ରମୁଖ ଭୂମିକା ଗ୍ରହଣ କରୁଛି ତାହା ଅନେକେ ଜାଣି ନ ଥିବେ ।
ଏସିରେ ସାଧାରଣତଃ ଏକ ଗ୍ରୀନ୍ହାଉସ ଗ୍ୟାସ ବ୍ୟବହାର ହୋଇଥାଏ, ଯାହାକୁ ହାଇଡ୍ରୋଫ୍ଲୁରୋକାର୍ବନ କୁହାଯାଇଥାଏ । ଏହା ଶତାବ୍ଦୀ ଶେଷ ସୁଦ୍ଧା ଅତିରିକ୍ତ ୦.୪ସି ତାପନ ଯୋଡିବ ବୋଲି ଆକଳନ କରାଯାଉଛି । ଏହାର ବିକଳ୍ପ ଆଣି ଏହାକୁ ପର୍ଯ୍ୟାୟକ୍ରମେ ହଟାଇ ଦେବା ପାଇଁ ଚେଷ୍ଟା କରାଯିବା ଦରକାର ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।
ସର୍ଭେ ଅନୁସାରେ ଏୟାର୍ କଣ୍ଡିସନିଂ ୟୁନିଟ୍ର ଚିମ୍ନୀ ବାହାରକୁ ଗରମ ବୟୁ ଛାଡିଥାଏ । ଏହିଭଳି ଭାବେ ଘରେ ଘରେ ଏସି ଲାଗିଥିବାରୁ କେତେ ମାତ୍ରାରେ ଉତ୍ତପ୍ତ ବାୟୁ ପ୍ରସାରିତ ହେଉଛି ତାହାର ହିସାବ କରିହେବନି । ବିଶେଷକରି ସହରାଞ୍ଚଳରେ ଗରମ ଅଧିକ ହେବାର କାରଣ ହେଉଛି ଏସି । ଏସି ଯୋଗୁ ସହରଗୁଡିକ ‘ଅର୍ବାନ ହିଟ୍ ଆଇଲାଣ୍ଡ୍’ ଭାବେ ପରିଣତ ହୋଇଗଲାଣି । ଗାଁଗଣ୍ଡାରେ କାଁ ଭାଁ ଏସି ଲାଗୁଥିବାରୁ ଏଠାରେ ତାପମାତ୍ରା କମ୍ ରହିଥାଏ ।
ବ୍ଲୁମ୍ବର୍ଗ ନ୍ୟୁ ଏନର୍ଜି ଫାଇନାନ୍ସ(ବିଏନ୍ଇଏଫ୍)ର ଅନୁମାନ ଅନୁସାରେ ଆବାସିକ ଏବଂ ବ୍ୟବସାୟିକ ଅଞ୍ଚଳରେ ଏସିର ବର୍ଦ୍ଧିତ ଚାହିଦା ଯୋଗୁ ୨୦୫୦ ସୁଦ୍ଧା ବିଦ୍ୟୁତ୍ ଆବଶ୍ୟକତା ୧୪୦%ରୁ ଅଧିକ ବଢ଼ିଯିବ । ଶକ୍ତି ଚାହିଦାରେ ଯେଉଁ ବୃଦ୍ଧି ଘଟିବ ତାହା ୟୁରୋପୀୟ ସଂଘର ମୋଟ ବିଦ୍ୟୁତ୍ ଆବଶ୍ୟକତା ସହ ସମାନ । ଚଳିତ ଶତାବ୍ଦୀର ମଧ୍ୟଭାଗରେ ବିଦ୍ୟୁତ୍ ଚାହିଦାର ୧୨.୭% ଏୟାର୍ କଣ୍ଡିସନିଂ ପାଇଁ ବ୍ୟବହାର ହେଉଥିବ । ବତ୍ତର୍ମାନ ଏହା ପ୍ରାୟ ୯% ରହିଛି । ଆଗକୁ ଏସି ପାଇଁ ବଢ଼ିବାକୁ ଥିବା ଶକ୍ତି ଆବଶ୍ୟକତାର ଅଧିକ ଭାଗ ସୌରଶକ୍ତି ଦ୍ୱାରା ଭରଣା କରାଯିବ । ପାଣିପାଗ ପରିବର୍ତ୍ତନ ଯୋଗୁ ସମ୍ପ୍ରତି ତାପମାତ୍ରା ଏତେ ମାତ୍ରାରେ ବଢ଼ିଯାଇଛି ଯେ ସୂର୍ଯ୍ୟାସ୍ତ ପରେ ବି ଅତିରିକ୍ତ ଗରମ ରହୁଛି । ତେଣୁ ସୌରଶକ୍ତି ସହିତ ଜୀବାଶ୍ମ ଦ୍ୱାରା ସୃଷ୍ଟ ବିଦ୍ୟୁତ୍ ଶକ୍ତିର ଆବଶ୍ୟକତା ବି ପଡ଼ିବ । ଶକ୍ତି ଆବଶ୍ୟକତା ବଢ଼ିବା ସହ ବିଶ୍ୱ ତାପନ ବଢ଼ିଚାଲିବ ।
ପରିବେଶକୁ ବିଗାଡିବାରେ ବିଲ୍ଡିଂଗୁଡିକର ବି ପ୍ରଧାନ ଭୂମିକା ରହିଛି । ଖରାପ ଭାବେ ଡିଜାଇନ ହୋଇଥିବା ଘର ତଥା ଅଫିସ ଯୋଗୁ ଅଧିକ ଥଣ୍ଡା ବା କୁଲିଂର ଆବଶ୍ୟକତା ପଡୁଛି । ଏହା ଏକ କାରଣ ଯେଉଁଥିପାଇଁ ବିଦ୍ୟୁତ୍ ଖର୍ଚ୍ଚ ବଢ଼ୁଛି । ଜର୍ମାନିରେ ଘରଗୁଡିକୁ ଏଭଳି ଭାବେ ପ୍ରସ୍ତୁତ କରାଯାଇଥାଏ ଯଦ୍ଦ୍ୱାରା ଘରକୁ ଖୁବ୍ କମ୍ ଥଣ୍ଡା କିମ୍ବା ଗରମର ଆବଶ୍ୟକତା ହୋଇଥାଏ । ଏହା ଦ୍ୱାରା ଶକ୍ତି ବ୍ୟୟ କମ୍ ହୋଇଥାଏ ଏବଂ ପ୍ରଦୁଷଣ ସ୍ତରକୁ ନିୟନ୍ତ୍ରିତ କରାଯାଇପାରେ ।
Comments are closed, but trackbacks and pingbacks are open.