ଭବାନୀପାଟଣା,(ବି.ବି.ନ୍ୟୁଜ୍): କଳାହାଣ୍ଡି ଆଜି କୃଷି କ୍ଷେତ୍ରରେ ଦ୍ରୁତ ଅଗ୍ରଗତି କରୁଥିବା ଜିଲ୍ଲା ତାଲିକାରେ ଶ୍ରେଷ୍ଠ ଜିଲ୍ଲା ହେବାର ଗୌରବ ଅର୍ଜନ କରିଛି । କୃଷି କ୍ଷେତ୍ରରେ ରେକର୍ଡ କରୁଥିବା କଳାହାଣ୍ଡି ଜିଲ୍ଲାରେ ବର୍ତ୍ତମାନ ଚାଷୀଙ୍କ ପାଇଁ ବିଦେଶୀ ପୋକ ସଂକ୍ରମଣ ମୁଣ୍ଡ ବିନ୍ଧାର କାରଣ ସାଜିଛି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ଖାଇଚୂଆଁ ଏବଂ ଗୋଲାମୁଣ୍ଡା ବ୍ଲକର ମାନଝରୀ ଗାଁର ମକା ଫସଲରେ ବିଦେଶୀ ଏଫଏଡବ୍ଲ୍ୟୁ (ଫଲ୍ ଆର୍ମି ୱାର୍ମ) କୀଟ ସଂକ୍ରମଣ ଚିହ୍ନଟ ହୋଇଛି । ଆମେରିକାରେ ଦେଖା ଯାଉଥିବା ଉକ୍ତ କୀଟ ବହୁ ମାରାତ୍ମକ । ରାତିକ ଭିତରେ ପ୍ରାୟ ଶହେରୁ ୫ଶହ କିମି ପର୍ଯ୍ୟନ୍ତ ସଂକ୍ରମଣ କରିଥାଏ । ପୋକର ପ୍ରାଦୁର୍ଭାବର ବ୍ୟାପକତା ଦେଖି ଜିଲ୍ଲା କୃଷି ବିଭାଗର ମଧ୍ୟ ନିଦ ହଜିଗଲାଣି । ଓଡ଼ିଶାରେ ଏହା ପ୍ରଥମକରି ଦେଖାଦେଇଥିବାରୁ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପୋକମରା ଅଭିଯାନ ଆରମ୍ଭ କରାଯିବା ସହ ଚାଷୀଙ୍କ ପାଇଁ ଆଲର୍ଟ ମଧ୍ୟ ଜାରି ହେଲାଣି ।
ଗତବର୍ଷ ଦେଶର କେତେକ ରାଜ୍ୟରେ ଏହି କୀଟ ଦେଖାଯାଇଥିବା ବେଳେ ଓଡି଼ଶାରେ ପ୍ରଥମ ଥର ପାଇଁ କଳାହାଣ୍ଡି ଜିଲ୍ଳାର ଦେଖାଦେଇଛି । ଏହି କୀଟ ସଂକ୍ରମଣ ରୋକିବା ପାଇଁ କୃଷି ଉପନିର୍ଦ୍ଦେଶକ କାର୍ଯ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ଏଫଏଡବ୍ଲ୍ୟୁ କୀଟ କଳାହାଣ୍ଡି ଜିଲ୍ଳା ନର୍ଲାବ୍ଲକ୍ ଖାଇଚୂଆଁ ଓ ଗୋଲାମୁଣ୍ଡା ବ୍ଲକ ନାଗଝରୀ ଗାଁରେ ମକା ଫସଲରେ ଆକ୍ରମଣ କରୁଥିବା ଦେଖାଦେଇଛି । ଏହି କୀଟ ଧାନ, କପା, ଆଖୁ ଓ ବିଭିନ୍ନ ପନିପରିବା ଫସଲକୁ ମଧ୍ୟ ଆକ୍ରମଣ କରିବାର ସମ୍ଭାବନା ରହିଛି ବୋଲି ଜିଲ୍ଲା ଉପ କୃଷି ନିର୍ଦ୍ଦେଶକ କାର୍ଯ୍ୟାଳୟର ଏଗ୍ରୋନୋମିଷ୍ଟ ଜାନକୀ ବଲ୍ଲଭ ମହାପାତ୍ର ପ୍ରକାଶ କରିଛନ୍ତି ।
ନର୍ଲା ବ୍ଲକରେ ଏଫଏଡବ୍ଲ୍ୟୁ କୀଟ ସଂକ୍ରମଣ ଖବର ପାଇବାପରେ ଗତକାଲି ଏଗ୍ରୋନୋମିଷ୍ଟ ଶ୍ରୀ ମହାପାତ୍ର ସମେତ କୃଷି ବିଭାଗର ଏକ ଟିମ ଖାଇଚୂଆଁ ଗସ୍ତକରି ମକାବାଡ଼ି଼ରେ ଏହି କୀଟ ସଂକ୍ରମଣର ଅନୁଧ୍ୟାନ କରିଥିଲେ । ଆଜି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ ମାନଝରୀ ଗାଁରେ ମଧ୍ୟ ମକା ଫସଲରେ ଉକ୍ତ କୀଟ ସଂକ୍ରମଣ ହୋଇଥିବା ଚିହ୍ନଟ ହୋଇଛି । ଏହି ଏଫଏଡବ୍ଲ୍ୟୁ କୀଟ ଗୋଟିଏ ରାତିରେ ୧୦୦ରୁ ୫୦୦କିମି ପର୍ଯ୍ୟନ୍ତ ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି । ତେଣୁ ଜିଲ୍ଲା କୃଷି ବିଭାଗ ତରଫରୁ ଏଫଏଡବ୍ଲ୍ୟୁ କୀଟ ସଂକ୍ରମଣକୁ କାବୁ କରିବା ପାଇଁ ଅଗଷ୍ଟ ୪ ରୁ ୭ ତାରିଖ ପର୍ଯ୍ୟନ୍ତ ୫୦ଜଣ ଭିଏଡବ୍ଲ୍ୟୁଙ୍କୁ ଉକ୍ତ କୀଟ ଦମନ ସମ୍ପର୍କରେ ତାଲିମ ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି କୀଟ ସଂକ୍ରମଣକୁ ଦମନ କରିବା ପାଇଁ କୃଷି ବିଭାଗ ପକ୍ଷରୁ ଫରୋମୁନ ଟ୍ରପ୍ସ ନାମକ କୀଟନାଶକ ଔଷଧ ରିହାତି ଦରରେ ମାତ୍ର ୧୦୦ ଟଙ୍କା ମୂଲ୍ୟରେ ଚାଷୀଙ୍କୁ ଯୋଗାଇ ଦିଆଯିବ । ଏଥିସହ ଟିକୋଗ୍ରାମ ବାୟୋ ଏଜେଣ୍ଟ ମଧ୍ୟ ଜିଲ୍ଲାର ୮୫ ହଜାର ଚାଷୀଙ୍କୁ ଯୋଗାଇ ଦିଆଯିବ ବୋଲି ଏଗ୍ରୋନୋମିଷ୍ଟ ଜାନକୀ ବଲ୍ଲଭ ମହାପାତ୍ର ପ୍ରକାଶ କରିଛନ୍ତି । ଚାଷୀଙ୍କୁ ଏଫ୍ଏଡବ୍ଲ୍ୟୁ କୀଟ ନିୟନ୍ତ୍ରଣ ନିମନ୍ତେ ନିମ୍ୱତେଲ ଓ ଫରୋମନ ଟ୍ରାପସ୍ ଔଷଧ ବ୍ୟବହାର ସହ ଟ୍ରାଇକୋଗ୍ରାମା ବାୟୋ ଏଜେଣ୍ଟ ବ୍ୟବହାର କରିବା ପାଇଁ ସଚେତନ କରାଯିବ ବୋଲି କୃଷି ଉପନିର୍ଦ୍ଦେଶକ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।


Comments are closed, but trackbacks and pingbacks are open.