ମଣତି ବିବାଦରୁ ଅଟକିଲା ବେଶ ଲାଗି

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ସାମାନ୍ୟ କଥନଟି ଅସାମାନ୍ୟ ରୂପ ନେଇଗଲା । ଅସାମାନ୍ୟ ପ୍ରସଙ୍ଗର ବିବାଦ କାରଣରୁ ଶ୍ରୀମନ୍ଦିର ନୀତିରେ ପଡ଼ିଗଲା ଗଣ୍ଠି । ବେଶ ଚାଲିଥିବା ବେଳେ ମହାପ୍ରଭୁଙ୍କ ଶ୍ରୀମୁଖ ବଳା ବନ୍ଧାରୁ ବେଶ ଲାଗି ନୀତି ଅଟକିଗଲା । ସିଂହାସନ ଉପରେ ମହାପ୍ରଭୁଙ୍କ ପୁଷ୍ପ ଅଳଙ୍କାର ଆଉ ସ୍ୱର୍ଣ୍ଣ ଅଳଙ୍କାର ମଣତି ନେବାକୁ କେନ୍ଦ୍ର କରି ବିବାଦ ଉଠିଥିଲା । ନୀତି ଅଚଳର ମଞ୍ଜି ବୁଣି ଦେଲା । ପାଳିଆ ପୁଷ୍ପାଳକ ବନାମ ମେକାପ-ଖୁଣ୍ଟିଆ ମଧ୍ୟରେ ବିବାଦର ଝଡ଼ ଉଠିଲା । ଶ୍ରୀମନ୍ଦିର ବିଧି ବ୍ୟବସ୍ଥାରେ ବେଶର ଅଳଙ୍କାର ମଣତି ନେବାର ମାର୍ଗଦର୍ଶନ ରହିଛି । ପାଳିଆ ସେବକଙ୍କ ହିଁ ମଣତି ନେବ ବୋଲି ମାର୍ଗଦର୍ଶିକା ରହିଛି । ମାର୍ଗ ଦର୍ଶନକୁ ଛାଡ଼ି ଏହି ଦୁଇ ଗୋÂୀ ନିଜ ନିଜର ଗର୍ବକୁ ଅଗ୍ରାଧିକାର ଦେଇଥିଲେ । ଏହି ଗୌଣ ପ୍ରସଙ୍ଗଟି ମହାପ୍ରଭୁଙ୍କ ଶତାବ୍ଦୀର ପ୍ରଥମ ନାଗାର୍ଜୁନ ବେଶ ନୀତିକୁ ଅଟାକାଇ ଦେଲା । ଏହାର ସମାଧାନ କରିବାକୁ ପ୍ରଶାସନକୁ ତିନି ଘଣ୍ଟା ଲାଗିଗଲା । ନାଗାର୍ଜୁନ ବେଶ ନୀତି ବିଶୃଙ୍ଖଳାରେ ଭରିଗଲା । ବିନା ଭକ୍ତରେ ଶ୍ରୀମନ୍ଦିରରେ କଳା ଠାକୁରଙ୍କ ନାଗାର୍ଜୁନ ବେଶ ସମ୍ପନ୍ନ ହୋଇଥିଲା ।
ନାଗାର୍ଜୁନ ବେଶ ଆଭୂଷଣ ଭୋର ୪ଟା ୧୫ ମିନିଟରେ ବିଜେ କରିଥିଲା । ବେଶ ଯଜମାନ ଚକ୍ରକୋଟ ବଳରାମ ଖୁଣ୍ଟିଆଙ୍କ ହରଚଣ୍ଡୀ ସାହି ବାସଭବନରୁ ଆନନ୍ଦ ଉଲ୍ଲାସର ସହ ବେଶ ଶୋଭାଯାତ୍ରା ଶ୍ରୀମନ୍ଦିରକୁ ଆସିଥିଲା । ପଟୁଆର ସହ କାହାଳି, ଘଣ୍ଟଘଣ୍ଟା, ଛତାର, ନାଗା ବାଦ୍ୟ ସହ ବେଶ ଆଭୂଷଣ ପଟୁଆରରେ ବିଜେ ହୋଇଥିଲା । ଶ୍ରୀମନ୍ଦିର ଅଭିମୁଖେ ଓଡ଼ିଶୀ ନୃତ୍ୟାଙ୍ଗନାମାନେ ପଟୁଆରକୁ ପାଛୋଟି ନେଇଥିଲେ । ବେଶ ଆଭୂଷଣ ଲାଗି ଭୋର ୪ଟା ୫୫ ମିନିଟରେ ଆରମ୍ଭ ହୋଇଥିଲା । ମଣତିକୁ କେନ୍ଦ୍ର କରି ସକାଳ ୭ଟା ୧୫ ମନିଟରେ ବିବାଦ ଆରମ୍ଭ ହୋଇଗଲା । ସକାଳ ୭ଟାରେ ବେଶ ଆଭୂଷଣ ଲାଗି ଶେଷ ହେବାର ଥିଲା । ବେଶ ଶେଷ ବେଳକୁ ସକାଳ ୧୦ଟା ୩୫ ମିନିଟ୍ ଅତିକ୍ରମ କରିଥିଲା । ବେଶ ଶେଷ ହେବା ବେଳକୁ ନୀତି ସାଢେ଼ ତିନି ଘଣ୍ଟାରୁ ଅଧିକ ବିଳମ୍ବରେ ଚାଲିଥିଲା ।
ପୂର୍ବାହ୍ନ ୧୧ଟା ୧୮ ମିନିଟ୍ରେ ଗୋପାଳ ବଲ୍ଲଭ ନୀତିରୁ ଶ୍ରୀମନ୍ଦିର ସେବା ସ୍ୱାଭାବିକ ହେଇଥିଲା । ତଦ୍ଧ୍ୱାରା ଭକ୍ତଙ୍କୁ ମହାପ୍ରସାଦ ସେବା ମିଳିବାରେ ବିଳମ୍ବ ହେଲା । ଶ୍ରୀମନ୍ଦିର ଭୋଗ ମଣ୍ଡପ ନୀତି ଅପରାହ୍ନ ୩ଟା ୯ ମିନିଟ୍ରେ ବଢ଼ିଥିଲା । ଭୋଗ ଉଠିବା ପରେ ପାଣି ପଡ଼ି ବେଶ ଓଲାଗି ଆରମ୍ଭ ହୋଇଥିଲା । ବେଶ ଓଲାଗି ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ତିନି ଘଣ୍ଟା ବିଳମ୍ବରେ ଶେଷ ହୋଇଥିଲା । ତଦ୍ଧ୍ୱାରା ଧାରା ୧୪୪ ଦୁଇ ଘଣ୍ଟା ବିଳମ୍ବରେ ଉଠିଥିଲା । ହଜାର ହଜାର ଭକ୍ତ ସୁରକ୍ଷା ବଳୟ ବ୍ୟାରିକେଡ୍ ବାହାରେ ଅଟକି ରହିଥିଲେ । ଦର୍ଶନ ବ୍ୟାରିକେଡ ଭିତରକୁ ପ୍ରବେଶ କରିବାରୁ ବଞ୍ଚିତ ହୋଇ ଫେରିଥିଲେ ।
ବିବାଦରୁ ସୁବର୍ଣ୍ଣ ଶ୍ରୀଭୁଜ, ଶ୍ରୀପୟର, ହଳ ମୂଷଳ, ଶଙ୍ଖଚକ୍ର ଆଦି ସୁବର୍ଣ୍ଣ ଆଭୂଷଣ ଏବଂ ପୁଷ୍ପ ଅଳଙ୍କାର ଲାଗି ଅଟକିଗଲା । ବିବାଦ ଚାଲିଥିବା ବେଳେ ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ବଲୱନ୍ତ ସିଂ ଶ୍ରୀମନ୍ଦିରରେ ଉପସ୍ଥିତ ଥିଲେ । ଜିଲ୍ଲାପାଳଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ହସ୍ତକ୍ଷେପ କରିଥିଲେ । ତିନି ବାଡ଼ରେ ପାଳିଆ ପୁଷ୍ପାଳକ ହିଁ ବେଶର ସୁବର୍ଣ୍ଣ ଅଳଙ୍କାର ମଣତି ନେବେ ଏବଂ ଫେରାଇବେ ବୋଲି ବିଧି ବ୍ୟବସ୍ଥା ଆଧାରରେ ସମାଧାନ ସୂତ୍ର ବାହାରିଥିଲା ।
ପାଳିଆ ସେବକ ଅଳଙ୍କାର ମଣତି ନେବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା । ବିଶୃଙ୍ଖଳା ଚରମ ସୀମାରେ ପହଞ୍ଚିବା ବେଳକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର ପହଞ୍ଚିଥିଲେ ।
ଏହି ଘଟଣାକୁ ନେଇ ସେବକ ସମାଜ ତଥା ଭକ୍ତମାନେ ପ୍ରଶ୍ନ କରିଛନ୍ତି । ଦୀର୍ଘ ଦେଢ଼ ମାସ ଧରି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଲାଗିର କାର୍ଯ୍ୟସୂଚୀ ତଥା ବିଧିକୁ ଏହି ଦୁଇ ଗୋÂୀର ସେବାୟତଙ୍କୁ ଅବଗତ କରାଯାଇ ନ ଥିଲା କାହିଁକି । ଶ୍ରୀମନ୍ଦିରରେ ବେଶର ଅଳଙ୍କାର ମଣତି ପାଇଁ ସ୍ପଷ୍ଟ ବିଧି ବ୍ୟବସ୍ଥା ରହିଛି । ଏହି ବିଧି ବ୍ୟବସ୍ଥାକୁ ବେଶ ପ୍ରସ୍ତୁତି ସମୀକ୍ଷା ବୈଠକରେ ପ୍ରଶାସନ କାହିଁକି ସ୍ପଷ୍ଟ କରି ନଥିଲା । ବେଶ ପୂର୍ବରୁ ଏହି ବିଧି ସମ୍ପର୍କରେ ପୁଷ୍ପାଳକ, ଖୁଣ୍ଟିଆ ଆଉ ମେକାପଙ୍କୁ ପ୍ରଶାସନ ଅବଗତ କରି ନଥିଲା କାହିଁକି ବୋଲି ଭକ୍ତ ବି ପ୍ରଶ୍ନ କରିଛନ୍ତି ।
ବିବାଦ ଏବଂ ନୀତି ବିଳମ୍ବ କାରଣରୁ ହଜାର ହଜାର ଭକ୍ତ ନିରାଶ ହୋଇଥିଲେ । ଘୋଷଣା ମୁତାବକ ଅପରାହ୍ନ ଦୁଇଟା ପୂର୍ବରୁ ୧୪୪ ଧାରା ସୀମାର ବ୍ୟାରିକେଡ୍ ବାହାରେ ଭକ୍ତ ଭିଡ଼ କରିଥିଲୋ । କାରଣ ବେଶ ନୀତିରେ ସୂଚନା ରହିଥିଲା ବେଶ ଓଲାଗି ଅପରାହ୍ନ ୨ଟା ସୁଦ୍ଧା ଶେଷ ହେବ । ଏହା ପରେ ଶ୍ରୀମନ୍ଦିର ଚୌହଦିରେ ରହିଥିବା ନାକାବନ୍ଦୀ ଖୋଲିବ । ବ୍ୟାରିକେଡ୍ ଭିତରେ ଭକ୍ତଙ୍କୁ ପତିତପାବନ ଦର୍ଶନ ପାଇଁ ଛଡ଼ାଯିବ । ଶ୍ରୀମନ୍ଦିର ଚୌହଦିରେ ରାତି ୨ଟାରୁ ଅପରାହ୍ନ ବେଶ ଓଲାଗି ପର୍ଯ୍ୟନ୍ତ ୧୪୪ ଧାରା ଜାରି ହୋଇଥିଲା । ଓଲାଗି ସମୟ ପରେ ଶ୍ରୀମନ୍ଦିର ଆଖପାଖ ଜନବସତିର ଲୋକମାନେ ବଡ଼ଦେଉଳ କଡ଼ ରାସ୍ତାରେ ଯାତାୟତ କରିବାକୁ ଅପେକ୍ଷା କରିଥିଲେ । କିନ୍ତୁ ୧୪୪ ଧାରା କଟକଣା ଉଠିବା ବେଳକୁ ତିନି ଘଣ୍ଟା ବିଳମ୍ବ ହୋଇଥିଲା ।
ମଣତି ବିବାଦ ଚାଲିଥିବା ବେଳେ ବଡ଼ଦେଉଳ ଗର୍ଭଗୃହ ରତ୍ନସିଂହାସନ ନିକଟରେ ଶହେରୁ ଅଧିକ ସେବକ ଭିଡ଼ ଜମାଇଥିଲେ । ଜଗମୋହନ ଏବଂ ନାଟମଣ୍ଡପରେ ବି ଚାରି ଶହରୁ ଅଧିକ ସେବକ ରହିଥିଲେ । ଚାରି ଦ୍ୱାର ପାହାଚ ଠାରୁ ଶ୍ରୀମନ୍ଦିର ବାହାର ବେଢ଼ାରେ ବି ପାଞ୍ଚ ହଜାରରୁ ଅଧିକ ସେବାୟତ ପ୍ରଭୁଙ୍କ ବେଶ ଦର୍ଶନ ପାଇଁ ଅପେକ୍ଷା କରିଥଲେ । ବେଶ ଓଲାଗି ପରେ ଶ୍ରୀମନ୍ଦିର ଉତ୍ତର ଦ୍ୱାର ଆଉ ଦକ୍ଷିଣ ଦ୍ୱାରରେ ଭକ୍ତଙ୍କ ପାଇଁ ମହାପ୍ରସାଦ ସେବା ଆରମ୍ଭ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons