ଗୁଣପୁର,(ବି.ବି.ନୁ୍ୟଜ୍): ସାଙ୍ଗଠନିକ ନିର୍ବାଚନ ଲାଗି ଏବେ ବିଜେପି ଭିତରେ ଉଷ୍ମତା । କିଏ ହେବେ ମଣ୍ଡଳ ଓ ଜିଲ୍ଲା ସଭାପତି ଏବଂ କିଏ ରାଜ୍ୟ ପଦାଧିକାରୀ ଭାବେ ମନୋନୀତ ହେବେ, ତାକୁ ନେଇ ଆରମ୍ଭ ହୋଇଯାଇଛି ଜୋରଦାର ଲବି । ଗୋଟିଏ ଗୋଟିଏ ପଦ ଲାଗି ଲାଇନରେ ଅଛନ୍ତି ଏକାଧିକ ଆଶାୟୀ ପ୍ରାର୍ଥୀ । ସାଙ୍ଗଠନିକ ନିର୍ବାଚନ ପାଇଁ ମାସାଧିକ କାଳ ଧରି ସଭ୍ୟ ସଂଗ୍ରହ ଅଭିଯାନ ଚାଲୁ ରହିଛି । ଏଥର ଦଳର ପ୍ରାଥମିକ ସଦସ୍ୟ ଓ ସକ୍ରିୟ ସଦସ୍ୟ ସଂଖ୍ୟା ଜିଲ୍ଲାରେ ବଢିଥିବାରୁ ଦଳ ଭିତରେ ନେତାମାନେ ଉତ୍ସାହିତ ଅଛନ୍ତି । ବିଭିନ୍ନ ପଦପଦବୀ ପାଇଁ ଅଧିକ ଲବି ଆରମ୍ଭ କରିଛନ୍ତି । କେତେକ ନେତା ରାଜଧାନୀରେ ଡେରା ପକାଇଥିବା ସୂଚନା ମିଳିଛି ।
ରାୟଗଡା ଜିଲ୍ଲା ସଭାପତି ଓ ବିଭିନ୍ନ ମଣ୍ଡଳର ସଭାପତି ଚୟନ ଲାଗି ରାଜ୍ୟ ନେତାମାନଙ୍କ ମଧ୍ୟରେ ବି ଆଲୋଚନା ଜାରି ରହିଛି । ୨୦୧୨ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାରେ ବିଜେପି ୧୪ ହଜାର ୩୮୯ ଖଣ୍ଡ ଭୋଟ ପାଇଥିବା ବେଳେ ୨୦୧୭ ପଞ୍ଚାୟତ ନିର୍ବାଚନରେ ୮୭ ହଜାର ୩୮୯ ଖଣ୍ଡ ଭୋଟ ପାଇ ଚାରୋଟି ଜିଲ୍ଲା ପରିଷଦ ଆସନ ହାତେଇଥିଲା । ୨୦୧୪ ସାଧାରଣ ନିର୍ବାଚନରେ ଦଳକୁ ଗୁଣପୁର ନିର୍ବାଚନମଣ୍ଡଳୀରେ ୧୫ ହଜାର ୫୯୬ ଖଣ୍ଡ ଭୋଟ ମିଳିଥିବା ବେଳେ ଏଥର ମିଳିଛି ୧୬ ହଜାର ୪୩୪ ଖଣ୍ଡ ଭୋଟ୍ । ବିଷମକଟକ ନିର୍ବାଚନ ମଣ୍ଡଳୀରେ ଗତ ନିର୍ବାଚନରେ ୧୮ ହଜାର ୪୧୫ ଖଣ୍ଡ ଭୋଟ ମିଳିଥିଲା । ଏଥର ମିଳିଛି ୨୩ ହଜାର ୫୦୪ ଖଣ୍ଡ ଭୋଟ୍ । ବିଭିନ୍ନ ନିର୍ବାଚନରେ ଦଳର ଭୋଟ ବଢୁଥିବା ବେଳେ ସଦସ୍ୟ ସଂଖ୍ୟା ମଧ୍ୟ ବହୁ ଗୁଣରେ ବଢିଛି ।
ଏଥର ଜିଲ୍ଲାରେ ପ୍ରାଥମିକ ସଦସ୍ୟ ସଂଖ୍ୟା ୧ ଲକ୍ଷରେ ପହଞ୍ଚିଥିବା ଜଣାପଡିଛି । ପୂର୍ବରୁ ୧୫୦ରୁ ୨୦୦ ମଧ୍ୟରେ ସୀମିତ ରହିଥିବା ସକ୍ରିୟ ସଦସ୍ୟ ସଂଖ୍ୟା ଏବେ ୫୦୦ ଛୁଇଁଛି । ଦଳର ଶକ୍ତି ବୃଦ୍ଧି ହେଉଥିବାରୁ ପଦପଦବୀ ଉପରେ ନେତାମାନଙ୍କ ଅଧିକ ନଜର ରହିଛି । ଜିଲ୍ଲା ସଭାପତି ପାଇଁ ପୁରୁଣା ଓ ନବାଗତଙ୍କୁ ମିଶାଇ ପାଞ୍ଚଜଣ ନେତା ଲବିରେ ରହିଛନ୍ତି । ଦଳର ପୁରୁଣା ନେତା ଭାବରେ ଜଣାଶୁଣା ରାଜ୍ୟ କିଷାନ ମୋର୍ଚ୍ଚାର ଉପସଭାପତି ରଜତ ମାଦଳା, ଜାତୀୟ ଅନୁସୂଚିତ ଜାତି ମୋର୍ଚ୍ଚାର ଉପସଭାପତି କାଳୀରାମ ମାଝୀ, ଜିଲ୍ଲା ପରିଷଦ ସଦସ୍ୟ ରାମ ବେହେରା, ବରିÂ ନେତା ଶିବ ପଟ୍ଟନାୟକ ଓ ଏବେକାର ଜିଲ୍ଲା ସଭାପତି ଶିବଶଙ୍କର ଉଲାକାଙ୍କ ନାମ ସର୍ବାଗ୍ରେ ରହିଛି । ଶିବ ଓ ରାମ ବେହେରା ନବାଗତ ହୋଇଥିବା ବେଳେ ଅନ୍ୟ ତିନିଜଣ ନେତା ଥରେ ଲେଖାଏଁ ଜିଲ୍ଲା ସଭାପତି ଦାୟିତ୍ୱରେ ରହିଆସିଛନ୍ତି ।
ମଣ୍ଡଳ ସଭାପତି ହେବାକୁ ଇଚ୍ଛା କରୁଥିବା ନେତାଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ । ଏବେ ଦଳରେ ଜିଲ୍ଲା ପରିଷଦ ଜୋନ୍ୱାରି ମଣ୍ଡଳ ସଭାପତି ବଛା ଯାଉଥିବାରୁ ୨୨ଟି ଜୋନ ଓ ତିନୋଟି ପୌରାଞ୍ଚଳକୁ ନେଇ ୨୫ ଜଣ ସଭାପତି ବଛାଯିବେ । ଏଥିପାଇଁ ଏବେ ପ୍ରାୟ ଶହେ ଜଣ ଲବିରେ ରହିଛନ୍ତି । ଆଗାମୀ ପୌର ନିର୍ବାଚନକୁ ଆଖିରେ ରଖି ଦଳ ପୌରାଞ୍ଚଳଗୁଡ଼ିକ ପାଇଁ ଦକ୍ଷ ନେତାମାନଙ୍କୁ ଦାୟିତ୍ୱ ଦେବାକୁ ଚାହୁଁଛି । ଗୁଣପୁର ସହରରେ ଏବେକାର ସଭାପତି ଅନିଲ ସାଉକାରଙ୍କ ସମେତ ପେଦିନା ନାଗରାଜୁ, ଶ୍ରୀନିବାସ ସ୍ୱାଇଁ ଓ ସଂଘ ଚିନ୍ତାଧାରାରୁ ଦଳକୁ ନୂଆକରି ଆସିଥିବା ପୂର୍ବତନ ବ୍ୟାଙ୍କ କର୍ମଚାରୀ ୱାଇ, ଗଣପତି ମଧ୍ୟ ଲବିରେ ରହିଛନ୍ତି । ଗୁଡାରୀ ଏନଏସି ପାଇଁ ଈଶ୍ୱର ପାଣିଗ୍ରାହୀଙ୍କ ସମେତ ଅନ୍ୟ କେତେକ ନେତା ଲବିରେ ଥିବା ଜଣାପଡିଛି । ଗୁଣପୁର ନିର୍ବାଚନମଣ୍ଡଳୀ ପାଇଁ ଗତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଶିଶିର ଗମାଙ୍ଗ ବିଭିନ୍ନ ମଣ୍ଡଳର ସଭାପତି ପାଇଁ କେତେକଙ୍କ ନା ସୁପାରିଶ କରିଥିବା ବେଳେ ଦଳର ରାଜ୍ୟ ସଦସ୍ୟତା ପ୍ରମୁଖ ଅନନ୍ତ ନାୟକ ଓ ସଦସ୍ୟତା ସହପ୍ରଭାରୀ ଶାରଦା ସତପଥି ଜିଲ୍ଲାରେ ତୃଣମୂଳସ୍ତରର ସ୍ଥିତି ଅନୁଧ୍ୟାନ କରି ରାଜ୍ୟକୁ ଏକ ରିପୋର୍ଟ ଦେଇଛନ୍ତି ।
ଏବେ ଜିଲ୍ଲା ସଭାପତି କିଏ ହେବେ ଏବଂ ମଣ୍ଡଳ ଦାୟିତ୍ୱ କାହାକୁ ଦିଆଯିବ, ସେ ସମ୍ପର୍କରେ ଶେଷ ନିଷ୍ପତ୍ତି ନେବେ ରାଜ୍ୟ ନେତୃବର୍ଗ । ଆଉ ଦିନେ ଦୁଇଦିନ ମଧ୍ୟରେ ସମସ୍ତ ମଣ୍ଡଳ ସଭାପତି ଓ ଚଳିତ ମାସ ଶେଷସୁଦ୍ଧା ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହେବାକୁ ଥିବାରୁ ଦଳ ଭିତରେ ଉତ୍ସୁକତା ବଢିଯାଇଛି ।
Comments are closed, but trackbacks and pingbacks are open.