ମଣ୍ଡିରେ ଏବେ ବି ପଡ଼ିଛି ୨୦ ହଜାର କୁଇଣ୍ଟାଲ ଧାନ

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ):ଚଳିତ ବର୍ଷ ନବରଙ୍ଗପୁର ଜିଲ୍ଲାର ଧାନ ମଣ୍ଡିଗୁଡିକରେ ବ୍ୟାପକ ଅନିୟମିତତା ଦେଖିବାକୁ ମିଳିଛି । ଏହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇଥିବା ବେଳେ ଚାଷୀଙ୍କୁ ଯମଦଣ୍ଡ ଭୋଗିବାକୁ ପଡିଛି । ଏଣେ ଏବେ ସୁଦ୍ଧା ବିଭିନ୍ନ ମଣ୍ଡିରେ ଚାଷୀଙ୍କର ପାଖାପାଖି ୨୦ ହଜାର କୁଇଣ୍ଟାଲ ଧାନ କ୍ରୟ ହୋଇ ନପାରି ପଡି ରହିଥିବା ଜଣାପଡିଛି । ଏହି ଧାନ ସବୁ ଶୀତ କାକରରେ ପଡି ନଷ୍ଟ ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।
ସୂଚନା ଅନୁସାରେ, ଜିଲ୍ଲାର ମଣ୍ଡିଗୁଡିକରେ କେଉଁଠି ଅସଲୀ ଚାଷୀଙ୍କ ଧାନ ନକଲି ଚାଷୀ ବିକ୍ରି କରି ଟଙ୍କା ଉଠେଇ ନେଇଛନ୍ତି । ଆଉ କେଉଁଠି ଟାର୍ଗେଟ ନଥିବାରୁ ଧାନ ଉଠିପାରୁନି । ଚାଷୀମାନେ ଦିନରାତି ଧାନକୁ ଜଗି ରହିଛନ୍ତି । ସେହିପରି, ଆଉ କେତେକ ମଣ୍ଡିରେ ଟାର୍ଗେଟ ମିଳି ନଥିବା ବେଳେ ନିର୍ଦ୍ଧିଷ୍ଟ ତାରିଖରେ ଧାନ ବିକିବାକୁ ଚାଷୀ ପାଇଥିବା ଟୋକନ ଅବଧି ଶେଷ ହୋଇଯାଇଛି । କେତେକ ସ୍ଥାନରେ ଧାନ ଗଦା ହୋଇ ରହିଛି । କେତେ ଧାନ କିଣାଯାଇଛି ଓ କେତେ ବଳକା ପଡିଛି ତାହାର କାଗଜପତ୍ରରେ ତାଳମେଳ ମଧ୍ୟ ରହୁ ନଥିବା ଜଣାପଡିଛି । ଚନ୍ଦାହାଣ୍ଡି ଲ୍ୟାମ୍ପସରେ ଟୋକନ୍ ଅବଧି ଶେଷ ହୋଇଥିବା ୧୩୭ ଜଣ ଚାଷୀଙ୍କର ପ୍ରାୟ ୫ ହଜାର କୁଇଣ୍ଟାଲ ଧାନ ମଣ୍ଡିରେ ପଡିରହିଛି । ଆଉ କେତକଙ୍କ କାଗଜପତ୍ର ସହ ଗଚ୍ଛିତ ଧାନ ପରିମାଣ ମେଳ ଖାଉନ ଥିବାରୁ ଧାନ ଉଠି ପାରୁନି । ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳଗୁମ୍ମା ମଣ୍ଡିରେ ୧୮୪ ଜଣ ଚାଷୀଙ୍କର ପ୍ରାୟ ୧୨ ହଜାର କୁଇଣ୍ଟାଲ ଧାନ ପଡି ରହିଛି । ଏହି ଚାଷୀଙ୍କ ଟୋକନ ଅବଧି ଶେଷ ହୋଇଯାଇଥିବା ଜଣାପଡିଛି । ଅନ୍ୟପକ୍ଷରେ, ଜିଲ୍ଲା ପ୍ରଶାସନ ପକ୍ଷରୁ ତହସିଲଦାରଙ୍କ ନେତୃତ୍ୱରେ ମଣ୍ଡିରେ ପଡିଥିବା ଧାନ ଯାଞ୍ଚ ଚାଲୁ ରହିଥିବା ଜଣାପଡିଛି । ଅଞ୍ଚଳଗୁମ୍ମା ମଣ୍ଡିରେ ଟୋକନ ଅବଧି ଶେଷ ହୋଇଥିବା ଚାଷୀଙ୍କ ଧାନ ଉଠାଇବାକୁ ବିଭାଗ ପକ୍ଷରୁ ସରକାରଙ୍କୁ ଅନୁମତି ମଗାଯାଇଛି । ଚନ୍ଦାହାଣ୍ଡି ଲ୍ୟାମ୍ପ୍ସ ଅଧୀନ ମଣ୍ଡିରେ ଧାନ ଯାଞ୍ଚ ଜାରି ରହିଛି । ଯାଞ୍ଚ ପରେ ଏଠାରେ ଧାନ ଉଠାଯିବ ବୋଲି ସହକାରୀ ଜିଲ୍ଲା ଯୋଗାଣ ଅଧିକାରୀ ଲକ୍ଷ୍ମଣ ରାଓ କହିଛନ୍ତି । ଜିଲ୍ଲାରେ ଶୁକ୍ରବାର ସୁଦ୍ଧା ୨୨ ହଜାର ୪୬୫ ଚାଷୀଙ୍କଠାରୁ ୧୯ ଲକ୍ଷ ୪୮ ହଜାର ୧୨୬ କୁଇଣ୍ଟାଲ ଧାନ କିଣାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons