ନବରଙ୍ଗପୁର,(ବି.ବି.ନୁ୍ୟଜ୍): ମଦରେ ଭାସୁଛି ଗାଁ । ସାହି ସାହିରେ ବେଆଇନ ମଦ ରନ୍ଧାଯାଉଛି । ଭେଣ୍ଡିଆ ପିଲାମାନେ ମଦ ନିଶାରେ ଚୁର୍ ହୋଇ ଯାଉଛନ୍ତି । ପ୍ରତିଦିନ ମଦ ଯୋଗୁ ଘରେ ଘରେ ଗଣ୍ଡଗୋଳ ଲାଗିରହୁଛି । ଏଥିପାଇଁ ଗାଁରେ ସବୁବେଳେ ଅଶାନ୍ତି ସୃଷ୍ଟି ହେଉଛି । ଗାଁରେ ବେଆଇନ ମ ରନ୍ଧାକୁ ବନ୍ଦ କରିବାକୁ ଦାବି କରି ଜିଲ୍ଲା ଜନଜାତି ମଞ୍ଚ ଓ ଜାଗୃତି ମହିଳା ସ୍ୱୟଂସହାୟକ ଦଳର ନେତୃତ୍ୱରେ ତେନ୍ତୁଳିଖୁଣ୍ଟି ବ୍ଲକ ବନ୍ଧଗୁଡା ଗାଁର ଶତାଧିକ ମହିଳା ଓ ପୁରୁଷ ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି । ଗାଁରେ ଦେଶି ମଦ ରନ୍ଧା ବନ୍ଦ କରା ନଗଲେ ୬ଜଣ ମଦ ରନ୍ଧୁଥିବା ଲୋକଙ୍କୁ ଗାଁରୁ ବହିଷ୍କାର କରିଦେବେ ବୋଲି ନିଷ୍ପତ୍ତି ନେଇଥିବା ଜିଲ୍ଲାପାଳଙ୍କୁ କହିଥିଲେ । ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଜିଲ୍ଲାପାଳ ଗସ୍ତରେ ଥିବା ଯୋଗୁ ଗ୍ରାମବାସୀ ତାଙ୍କୁ ଭେଟି ପାରି ନଥିଲେ । ସହକାରୀ ଜିଲ୍ଲାପାଳ ସନ୍ତୋଷକୁମାର ପଟ୍ଟନାୟକଙ୍କୁ ଦାବିପତ୍ର ପ୍ରଦାନ କରି ପଦକ୍ଷେପ ନେବାକୁ ନିବେଦନ କରିଥିଲେ । ଦାବିପତ୍ର ପ୍ରଦାନ ବେଳେ ଜିଲ୍ଲା ଜନଜାତି ସୁରକ୍ଷା ମଞ୍ଚ ଉପଦେଷ୍ଟା ଦିବାକର ପୂଜାରୀ, ତେନ୍ତୁଳିଖୁଣ୍ଟି ବ୍ଲକ ଜନଜାତି ସୁରକ୍ଷାମଞ୍ଚ ସଭାପତି ମଦନମୋହନ ନାୟକ, ନନ୍ଦାହାଣ୍ଡି ଜନଜାତି ସୁରକ୍ଷା ମଞ୍ଚ ସଭାପତି ହରି ଭତ୍ରା, ଜାଗୃତି ସ୍ୱୟଂସହାୟକ ଦଳ ସମ୍ପାଦିକା ନବୀନା ଜାନୀ, ହାରାବତୀ ଜାନୀ, ସାଇବ ଜାନୀ, ରାଧା ଜାନୀ, ସୁନାମଣି ଜାନୀଙ୍କ ସମେତ ଶତାଧିକ ପୁରୁଷ ମହିଳା ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.