ଆନନ୍ଦପୁର,(ବି.ବି.ନୁ୍ୟଜ୍): କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ଆନନ୍ଦପୁର ପୌରପରିଷଦ ୧୩ ନଂ ୱାଡର଼୍ ସାଉଟିସାହିରେ ଦୁଃଖଦ ଘଟଣା ଘଟିଯାଇଛି । ମଦୁଆ ବାପର କାଠ ଫାଳିଆ ମାଡରେ ୫ ମାସର ଶିଶୁ କନ୍ୟାର ମୃତୁ୍ୟ ଘଟିଛି । ଏ ଘଟଣା ପରେ ଅଭିଯୁକ୍ତ ବାପା ଫେରାର ଅଛି ।
ଅପରାହ୍ନ ପ୍ରାୟ ୩ ଟାରେ ସାଉଟି ସାହିର ସନାତନ ଦେହୁରୀଙ୍କ ଅନ୍ୟ ଜଣଙ୍କ ସହିତ ଝଗଡା ହୋଇଥିଲା । ଝଗଡା ସମୟରେ ସନାତନଙ୍କ ସ୍ତ୍ରୀ ୫ ମାସର ଶିଶୁ କନ୍ୟାକୁ କାଖରେ ଧରି ଉଭୟଙ୍କୁ ବୁଝାସୁଝା କରୁଥିଲେ । ଏହି ସମୟରେ ଉତ୍ତ୍ୟକ୍ତ ସନାତନ ଏକ କାଠଫାଳିଆରେ ସ୍ତ୍ରୀଙ୍କୁ ମାରିବାକୁ ଉଦ୍ୟମ କରିଥିଲେ । ଏଥିରେ ସନାତନଙ୍କ ସ୍ତ୍ରୀଙ୍କ ହାତରେ ଆଘାତ ଲାଗିବା ସହିତ କାଖରେ ଧରିଥିବା ଶିଶୁ କନ୍ୟାର ମୁଣ୍ଡରେ ଶକ୍ତ ପାହାର ବାଜିଥିଲା । ଫଳରେ ଶିଶୁ କନ୍ୟା ଗୁରୁତର ଆହତ ହୋଇଥିଲେ । ପରିବାର ଲୋକେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଡାକ୍ତର ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରିଥିଲେ । ୧୦୮ ଯୋଗେ କଟକ ନେବା ବାଟରେ ଶିଶୁ କନ୍ୟାର ଅବସ୍ଥା ଆହୁରି ଗୁରୁତର ହୋଇପଡିଥିଲା । ତେଣୁ ଯାଜପୁର ଡାକ୍ତରଖାନାକୁ ନେଇଯାଇଥିଲେ ପରିବାର ଲୋକେ । ସେଠାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ ।
ପରିବାର ଲୋକେ ଶିଶୁ କନ୍ୟାକୁ ଘରକୁ ଫେରାଇ ଆଣିଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ଆନନ୍ଦପୁର ଏସ୍ଡିପିଓ ବିଦୁ୍ୟତ୍ କୁମାର ପଣ୍ଡା ସାଉଟିସାହିରେ ପହଞ୍ଚôଥିଲେ । ଏସ୍ଡିପିଓ ଶିଶୁ କନ୍ୟାର ମା’ଠାରୁ ସମସ୍ତ ଘଟଣା ଜାଣିବା ପରେ ତଦନ୍ତ ପାଇଁ ଘସିପୁରା ଥାନାକୁ ସୂଚନା ଦେଇଥିଲେ । ଘସିପୁରା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟ ପଠାଇଛି । ଶିଶୁ କନ୍ୟାର ବାପା ଫେରାର ଥିବା ସୂଚନା ମିଳିଛି । ଏନେଇ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନଥିବାବେଳେ ପୁଲିସ ନିଜ ଆଡୁ ତଦନ୍ତ ଆରମ୍ଭ କରିଛି ।


Comments are closed, but trackbacks and pingbacks are open.