ମଦ୍ୟପ ଯୁବକର ଉନ୍ମତ୍ତକାଣ୍ଡ :ହାସ୍ୟ ଅଭିନେତାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା

Get real time updates directly on you device, subscribe now.

ଭୋଗରାଇ,(ବି.ବି.ନ୍ୟୁଜ୍): ମଦ ନିଶା ମଣିଷକୁ ଏଭଳି ସ୍ତରକୁ ନେଇଯାଏ ଯେ ସେ ହିତାହିତ ଜ୍ଞାନ ହରାଇ ବସେ । ଅନ୍ୟ ଜଣଙ୍କ ପ୍ରାଣ ନେବାକୁ ମଧ୍ୟ ପଛାଏ ନାହିଁ । ଯାହାର ଉଦାହରଣ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଅଞ୍ଚଳରେ ଦେଖିବାକୁ ମିଳିଛି । ସାମାନ୍ୟ ଯୁକ୍ତିତର୍କରୁ ନିଶାସକ୍ତ ଜନୈକ ଯୁବକ ଠେଙ୍ଗାରେ ପିଟି ପିଟି ଯାତ୍ରାପାର୍ଟିର ହାସ୍ୟ ଅଭିନେତା ତ୍ରିଲୋଚନ ରଣଜିତ୍କୁ ଜୀବନରୁ ମାରିଦେଇଛନ୍ତି । ଏ ଭଳି ଘଟଣା ଶୁକ୍ରବାର ରାତ୍ରିରେ ଭୋଗରାଇବାସୀଙ୍କୁ ସ୍ତବ୍ଧ କରିଦେଇଛି ।
ପୁଲିସ ସୂଚନା ମୁତାବକ, ବାଲିଆପାଳ ଥାନା ଦେଉଳା ପଞ୍ଚାୟତ ଅନ୍ତର୍ଗତ କଟିସାହି ଗ୍ରାମର ଦିବାକର ରଣଜିତ୍ଙ୍କ ପୁଅ ତ୍ରିଲୋଚନ (୫୦) ଯାତ୍ରା ଦଳର ଜଣେ ହାସ୍ୟ ଅଭିନେତା ଭାବେ କାର୍ଯ୍ୟ କରନ୍ତି । ଦୁଇ ବର୍ଷ ହେଲା ସେ ଭୋଗରାଇର ଶୁଭଲକ୍ଷ୍ମୀ ଅପେରାରେ ହାସ୍ୟ ଅଭିନେତା ଭାବେ କାର୍ଯ୍ୟ କରୁଥିଲେ । ଏବେ ଭୋଗରାଇ ହାଟ ପାଶ୍ୱର୍ସ୍ଥ ଶ୍ୟାମସୁନ୍ଦର କ୍ଲବ୍ ପରିସରରେ ନାଟକ ଅଭ୍ୟାସ ଚାଲିଛି । ଶୁକ୍ରବାର ରାତି ୧୧ଟାରେ ନାଟକ ଅଭ୍ୟାସ ଶେଷ ହୋଇଥିଲା । ଅଭିନେତାମାନେ ରହୁଥିବା ଘରକୁ ନଯାଇ ତ୍ରିଲୋଚନ ଭୋଗରାଇ ହାଟ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ବେଆଇନ ମଦ ଦୋକାନକୁ ଯାଇଥିଲେ । ସେଠାରେ ମଦ ପିଇଥିଲେ । ପୂର୍ବରୁ ସେଠାରେ ସ୍ଥାନୀୟ ୪/୫ ଜଣ ଯୁବକ ମଦ ପିଉଥିôଲେ । ନିଶାସକ୍ତ ଅବସ୍ଥାରେ ସେଠାରେ ଉପସ୍ଥିତ ଯୁବକମାନଙ୍କ ମଧ୍ୟରେ ବିଭିନ୍ନ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । କୌଣସି ଏକ ଯୁକ୍ତିତର୍କରୁ ସୁନାଧରବସାଣ ଗ୍ରାମର ବେଣୁଧର ଦଳେଇଙ୍କ ପୁଅ ରାଜେନ୍ଦ୍ର ଓରଫ ଟୁଟୁ (୩୦) ସେଠାରେ ପଡ଼ିଥିବା ଏକ ବାଉଁଶ ଠେଙ୍ଗାରେ ତ୍ରିଲୋଚନଙ୍କ ବାମ କାନ ମୂଳକୁ ଶକ୍ତ ପ୍ରହାର ଦେଇଥିଲା । ଫଳରେ ତ୍ରିଲୋଚନ ସେଠାରେ ଟଳି ପଡ଼ିଥଲେ । ଏହା ଦେଖି ଅନ୍ୟମାନେ ସେଠାରୁ ଖସି ପଳାଇଥିଲେ । ସ୍ଥାନୀୟ ଜଣେ ଯୁବକ ଘଟଣା ସମ୍ପର୍କରେ ଯାତ୍ରାପାର୍ଟି ମାଲିକ ଜୟରାମପୁର ଗ୍ରାମର ଅଶୋକ ଜେନାଙ୍କୁ ଖବର ଦେଇଥିଲେ । ସୂଚନା ପାଇ ସେ ଘଟଣାସ୍ଥଳରେ ପହଞ୍ଚି ତ୍ରିଲୋଚନ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ । ଅଶୋକ ଭୋଗରାଇ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ ଦେଇଥିଲେ । ପୁଲିସ କେସ ନଂ ୧୫୦/୧୯ ରେ ଏକ ମାମଲା ରୁଜୁ କରି ତ୍ରିଲୋଚନଙ୍କ ମୃତ ଶରୀର ଜବତ କରିବା ସହ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ପରେ ହତ୍ୟାକାରୀ ରାଜେନ୍ଦ୍ରକୁ ପୁଲିସ ଗିରଫ କରିଛି । ସେ ନିଶାରେ ଥାଇ ତ୍ରିଲୋଚନକୁ ହତ୍ୟା କରିଥିବା ସ୍ୱୀକାର କରିଛି । ସେ ହତ୍ୟାକାଣ୍ଡରେ ବ୍ୟବହୃତ ବାଉଁଶ ଠେଙ୍ଗାକୁ ଉଦ୍ଧାର କରିବାରେ ମଧ୍ୟ ପୁଲିସକୁ ସହାୟତା କରିଥିବା ପୁଲିସ କହିଛି । ପରେ ପୁଲିସ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଅଭିଯୁକ୍ତ ରାଜେନ୍ଦ୍ରକୁ ଜଳେଶ୍ୱର ଜେଏମ୍ଏଫସି କୋର୍ଟରେ ହାଜର କରାଇଛି । ଜାମିନ ନାମଞ୍ଜୁର ହେବାରୁ ରାଜେନ୍ଦ୍ରକୁ ଜଳେଶ୍ୱର ବିଚାର ବିଭାଗୀୟ ଜେଲ ହାଜତ୍କୁ ପଠାଇ ଦିଆଯାଇଥିବା ନେଇ ଭୋଗରାଇ ଥାନା ଆଇଆଇସି ନରେନ୍ଦ୍ର କୁମାର ଦାସ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons