ବନ୍ତଳା,(ବି.ବି.ନୁ୍ୟଜ୍): ମଦ ପିଇ ଗତ ତିନି ଦିନରେ ୪ ଜଣଙ୍କର ଅକାଳ ମୃତୁ୍ୟ । ୪ ଜଣ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ପୁଲିସ ଓ ଅବକାରୀ ବିଭାଗ ଛାନ୍ଭିନ୍ ଚଳାଇଥିବା ବେଳେ ଡାକ୍ତରଖାନାରେ ଆହତଙ୍କୁ ଭେଟି ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି ପ୍ରଶାସନିକ ଅଧିକାରୀ । ଅନୁଗୁଳ ବ୍ଲକ୍ ତଥା ପୁରୁଣାକୋଟ ଥାନା ପଥରଗଡ଼ ଗ୍ରାମରେ ଗତ ରବିବାର ଏହି ଅଭାବନୀୟ ଘଟଣା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି । ମୃତ ଓ ଅସୁସ୍ଥ ସଭିଏଁ ସେହି ଗ୍ରାମର, ଶ୍ରମିକ ଶ୍ରେଣୀର । ରବିବାର ଅପରାହ୍ଣରେ ନିର୍ମାଣାଧୀନ ଏକ ଘରର ଛାତ ପକାଇବା ପରେ ଏକାଠି ଦେଶୀ ରନ୍ଧାମଦ ପିଇଥିଲେ । ମଦ ବିଷକ୍ରିୟା ଯୋଗୁଁ ଶ୍ରମିକଙ୍କ ଏଭଳି ଦୁର୍ଦ୍ଧଶା ହୋଇଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ବିଷାକ୍ତ ମଦ ପିଇ ଏ ଅଘଟଣ ଘଟିଛି କି ନାହିଁ ତଦନ୍ତ ପରେ ଜଣାପଡ଼ିବ ବୋଲି ଅବକାରୀ ବିଭାଗ ପ୍ରକାଶ କରିଛି ।
ମିଳିଥିବା ସୂଚନା ଅନୁଯାୟୀ, ପୁରୁଣାକାଟ ଥାନା ଶରଧାପୁର ପଞ୍ଚାୟତର ପଥରଗଡ଼ ଗ୍ରାମରେ ରବିବାର ଏକ ନିର୍ମାଣାଧୀନ ଘରର ଛାତ ପଡ଼ିଥିଲା । କାମ ସରିବା ପରେ ନିୟୋଜିତ ଶ୍ରମିକଙ୍କର ଭୋଜିଭାତ ହୋଇଥିଲା । ଶ୍ରମିକମାନେ ଠିକାଦାର ଯୋଗାଇଥିବା ଦେଶୀ ରନ୍ଧାମଦ ପିଇଥିଲେ । ଘରକୁ ଫେରିବା ପରେ ସନ୍ଧ୍ୟାରେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ କାଇରା ପଧାନ (୨୦) । କିଛି ଘଣ୍ଟା ଯନ୍ତ୍ରଣାରେ ଛଟପଟ ହୋଇ ଆଖି ବୁଜିଥିଲେ କାଇରା । ବିଳମ୍ବିତ ରାତିରେ ସମାନ ଲକ୍ଷଣ ଥାଇ ଟୁକୁନା ପଧାନ (୩୦)ଙ୍କର ମୃତୁ୍ୟ ହୋଇଥିଲା । ସୋମବାର ସକାଳେ ଗ୍ରାମର ଶଶିଭୂଷଣ ଦେହୁରୀ (୩୨), ବାସୁଦେବ ପଧାନ (୩୫) ବସନ୍ତ ଦେହୁରୀ (୪୦)ଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଶଶୀଭୂଷଣଙ୍କର ମୃତୁ୍ୟ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଚିକିତ୍ସାଧୀନ ଅଛନ୍ତି । ସେପଟେ ଘଟଣାର ଦୁଇ ଦିନ ପରେ ମଙ୍ଗଳବାର ପ୍ରମୋଦ ସାହୁ (୪୨), ରୋହନ୍ ଓରଫ ରଞ୍ଜନ ସାହୁ (୪୬) ଓ ସୁଶାନ୍ତ ଦେହୁରୀ (୩୨)ଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କର ଚିକିତ୍ସା ଚାଲିଥିବା ବେଳେ ପ୍ରମୋଦଙ୍କର ମୃତୁ୍ୟ ଘଟିଛି । ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି ।
ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ୪ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଆଜି ଉପଜିଲ୍ଲାପାଳ ବାସୁଦେବ ଶତପଥୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶ ପଚାରି ବୁଝିଛନ୍ତି । ଏହି ଘଟଣା ପରଠାରୁ ଗ୍ରାମରେ ଶୋକାକୁଳ ପରିସ୍ଥିତି ଲାଗି ରହିଛି । କିଏ ସ୍ୱାମୀ ତ କିଏ ପୁଅକୁ ହରାଇଛି । ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କ ଏଭଳି ଅକାଳ ମୃତୁ୍ୟରେ ଚାରି ଚାରିଟା ପରିବାର ବେସାହାରା ହୋଇପଡ଼ିଛି ।
ସେପଟେ ଏନେଇ ମୃତ ଓ ଅସୁସ୍ଥଙ୍କ ପରିବାର ପକ୍ଷରୁ ଥାନାରେ ବିଧିବଦ୍ଧ ଭାବରେ ଅଭିଯୋଗ ହୋଇ ନଥିଲେ ହେଁ ବିଷାକ୍ତ ମଦ ପିଇ ଏ ପ୍ରକାର ଅଭାବନୀୟ ଘଟଣା ଘଟିଥିବା ସନେ୍ଦହ କରାଯାଉଛି । ଏସ୍ପିଙ୍କ ନିଦେ୍ର୍ଧଶକ୍ରମେ ପୁରୁଣାକୋଟ ପୁଲିସ ଘଟଣା ଉପରେ ନଜର ରଖିଛି ବୋଲି ଥାନା ଅଧିକାରୀ ବିକ୍ରମ ଜୟପୁରିଆ ପ୍ରକାଶ କରିଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ୍କୁ ଅପେକ୍ଷା କରାଯାଇଛି । ଏଥିସହ ଅସୁସ୍ଥଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷଣ ପାଇଁ ପଠାଯାଇଛି । ଆଜି ପୁଲିସ ଟିମ୍ ପଥରଗଡ଼ ଯାଇ ଘଟଣାସ୍ଥଳ ଅନୁଧ୍ୟାନ କରିବା ସହ ମୃତକଙ୍କ ପରିବାର ଲୋକଙ୍କୁ ପଚରାଉଚୁରା କରିଥିଲା । ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ଥାନା ଅଧିକାରୀ ଶ୍ରୀ ଜୟପୁରିଆ କହିଛନ୍ତି ।
ଅନୁଗୁଳ ଅବକାରୀ ଅଧୀକ୍ଷକ ରମେନ୍ଦ୍ର ନାରାୟଣ ନାୟକ କହିଛନ୍ତି ଯେ, ଅବକାରୀ ବିଭାଗ ପକ୍ଷରୁ ଘଟଣାର ଅନୁଧ୍ୟାନ କରାଯାଉଛି । ଛାତ ପକାଇବା କାମରେ ନିୟୋଜିତ ଠିକାଦାର ଶ୍ରମିକମାନଙ୍କୁ କାମ ସରିବା ପରେ ଖାଇବା, ପିଇବାକୁ ଦେଇଥିଲା । ତେଣୁ ସେ କେଉଁଠୁ ମଦ ଆଣି ପିଇବାକୁ ଦେଇଥିଲେ, ତାହାର ତଦନ୍ତ କରାଯାଉଛି । ସେ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ଓ କିଛି ମଦ ଜବତ ହୋଇଥିବା ସୂଚନା ଦେଇଛନ୍ତି । ମଦ ପିଇ ସମ୍ପୃକ୍ତ ୪ଜଣ ମୃତୁ୍ୟମୁଖରେ ପଡ଼ିଛନ୍ତି କି ନାହିଁ, ଏବେଠୁ ନିର୍ଦ୍ଧିଷ୍ଟ ଭାବେ କହିହେବ ନାହିଁ । ତଦନ୍ତ ରିପୋର୍ଟ୍ ଆସିବା ପରେ ଜଣାପଡ଼ିବ ବୋଲି ଶ୍ରୀ ନାୟକ କହିଛନ୍ତି ।
Comments are closed, but trackbacks and pingbacks are open.