ବରୀ,(ବି.ବି.ନୁ୍ୟଜ୍): ଯାଜପୁର ଜିଲ୍ଲା ବରୀ ବ୍ଲକ ଅରଙ୍ଗାବାଦପଞ୍ଚାୟତ ଫୁଲପୁର ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଝିଟିପିଟି ବାହାରିଛି । ଏହି ଖାଦ୍ୟକୁ ଖାଇ ୧୮ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତଙ୍କୁ ବରୀ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଚିକିତ୍ସା ପରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି । ସମସ୍ତ ଛାତ୍ରଛାତ୍ରୀ ଫୁଲପୁର ଅଞ୍ଚଳର ବୋଲି ଜଣାପଡ଼ିଛି ।
ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୫୨ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଆଜି ଶନିବାର ଥିବାରୁ ସକାଳ ୧୦ଟାରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଇଥିଲା । ଛାତ୍ରଛାତ୍ରୀମାନେ ଖାଦ୍ୟ ଖାଉଥିବା ସମୟରେ ହଠାତ୍ ଜଣେ ଛାତ୍ରୀର ଖାଦ୍ୟରୁ ମଲା ଝିଟିପିଟି ବାହାରି ଥିଲା । ଏହା ଦେଖି ସମସ୍ତ ଛାତ୍ରଛାତ୍ରୀ ଖାଦ୍ୟ ଛାଡ଼ି ହୋହାଲ୍ଲା କରିଥିଲେ । କିଛି ସମୟ ପରେ ଜିତେନ୍ଦ୍ର ମଲ୍ଲିକ ନାମକ ଜଣେ ଛାତ୍ର ବାନ୍ତି କରିବା ସହ ଗୁରୁତର ହୋଇପଡ଼ିଥିଲା । ପରେ ଖାଦ୍ୟ ଖାଇଥିବା ୧୮ଜଣ ଛାତ୍ରଛାତ୍ରୀ ମଧ୍ୟ ଅସୁସ୍ଥ ହୋଇପଡ଼ିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ତୁରନ୍ତ ଦୁଇଟି ଅଟୋ ଯୋଗେ ସମସ୍ତ ଅସୁସ୍ଥ ଛାତ୍ରୀଛାତ୍ରୀଙ୍କୁ ନେଇ ବରୀ ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଚିକିତ୍ସା ପରେ ଅପରାହ୍ଣରେ ଛାତ୍ରଛାତ୍ରୀମାନେ ସାମାନ୍ୟ ସୁସ୍ଥ ଅନୁଭବ କରିଥିଲେ । ରୋଷେୟା ଓ ଶିକ୍ଷକଙ୍କର ଅସାବଧାନତା ଯୋଗୁ ଏଭଳି ଘଟଣା ଘଟିଥିବା ଅଭିଭବାକମାନେ ଅଭିଯୋଗ କରିଛନ୍ତି ।
ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଧ୍ରୁବଚରଣ ପଣ୍ଡାଙ୍କୁ ପଚାରିବାରୁ ସେ କହିଥିଲେ ଯେ, ପ୍ରକୃତ ରୋଷେୟା ନଥିଲା ବିଲକୁ ଯାଇଥିଲା । ତା’ର ଝିଅ ରୋଷେଇ କରୁଥିଲା । ଉପରୁ ବୋଧେ ଝିଟିପଟି ପଡିଛି । ଅସୁସ୍ଥ ଥିବା ଛାତ୍ରଛାତ୍ରୀଙ୍କୁ ଚିକିତ୍ସାଳୟରେ ଚିକିତ୍ସିତ କରାଯାଇଛି । ଏବେ ସମସ୍ତେ ସୁସ୍ଥ ଅଛନ୍ତି । ଜିତେନ୍ଦ୍ର ମଲ୍ଲିକ(୧୦), ରିତେଶ ସେଠୀ(୯), ହାପି ମଲ୍ଲିକ(୮), ଲିଜଲ ମଲ୍ଲିକ(୭), ସଂଗ୍ରାମ ମଲ୍ଲିକ(୮), ସ୍ୱାଗତିକା ମଲ୍ଲିକ(୯), ଶକ୍ତି ମଲ୍ଲିକ(୧୦), ବିଜ୍ଞାନ ମଲ୍ଲିକ(୬), ପୂର୍ଣ୍ଣିମା ମଲ୍ଲିକ(୯), ସଞ୍ଜନା ମଲ୍ଲିକ(୮), ଅନିତା ମଲ୍ଲିକ(୧୦), ଜୀବନ ମଲ୍ଲିକ(୧୦), ନିତ୍ୟାନନ୍ଦ ମଲ୍ଲିକ(୧୦), ଅମିତ ମଲ୍ଲିକ(୧୦), ଧର୍ମେନ୍ଦ୍ର ମଲ୍ଲିକ(୭), ଆକାଶ ମଲ୍ଲିକ(୧୦), ଅର୍ଚ୍ଚିତା ମଲ୍ଲିକ(୧୦), ଲଭଲି ମଲ୍ଲିକ(୭), ଭୋଳାନାଥ ମଲ୍ଲିକ(୭) ଏବଂ ଲକି ମଲ୍ଲିକ(୬) ।
Comments are closed, but trackbacks and pingbacks are open.