ମନମୋହିଲା ଛତିଶଗଡ଼ର ଦଣ୍ଡାରୀ ନୃତ୍ୟ

Get real time updates directly on you device, subscribe now.

ଉମରକୋଟ,(ବି.ବି.ନୁ୍ୟଜ):କରୋନା କଟକଣା ଭିତରେ ଉତ୍ସାହର ସହ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ପୋଡାଗଡର ଐତିହାସିକ ମଣ୍ଡେଇ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଏହି ଅବସରରେ ପଡୋଶୀ ଛତିଶଗଡ ରାଜ୍ୟ କୋଲାୱଲୀ ପଞ୍ଚାୟତର ଦଣ୍ଡାରୀ ନାଚ ଲୋକଙ୍କ ମନ ମୋହିଛି । ଚଳିତ ବର୍ଷ କୌଣସି ପ୍ରକାର ସଭାସମିତି କରାଯାଇ ନଥିବାବେଳେ ବିଭିନ୍ନ ସ୍ଥାନରୁ ଯାତ୍ରାକୁ ନିମନ୍ତ୍ରିତ ହୋଇ ଆସିଥିବା ଦେବଦେବୀଙ୍କ ପ୍ରତୀକଗୁଡିକ ଆସନ୍ତା ବୁଧବାର ଫେରିଯିବେ ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ଚଳିତ ବର୍ଷ ଯାତ୍ରାକୁ ୯୩ ମୌଜା ତଥା ତିନି ମୁଠା, ବୋରିଗାଁ, ପରିଆ, ହୀରପୁର ଅଞ୍ଚଳର ଦେବଦେବୀଙ୍କ ପ୍ରତୀକ ଲାଠି, କୁର୍ସୀ, ବିମାନ ଆଦି ନିମନ୍ତ୍ରିତ ହୋଇ ଆସିଥିଲେ । ଛତିଶଗଡର କଲାବାଲି, କର୍ପାବଣ୍ଡ, ଭୟବେଲି, ଅମରାବତୀ ଆଦି ୧୩ ଗୋଟି ଗାଁରୁ ଲାଠି ଓ କୁର୍ସୀ ନିମନ୍ତ୍ରିତ ହୋଇଥିଲେ । ପାରମ୍ପରିକ ନୀତିରୀତିରେ ଯାତ୍ରା ଓ ପୂଜାର୍ଚ୍ଚନା ହୋଇଥିଲା ।
ସ୍ଥାନୀୟ ଲୋକେ କହିଛନ୍ତି, ପୋଡାଗଡ ମଣ୍ଡେଇର ଏକ ବିଶେଷତ୍ୱ ରହିଛି । ନଳ ବଂଶ ରାଜତ୍ୱ ସମୟରେ ଏହି ଅଞ୍ଚଳକୁ ପୁଷ୍କର କୁହାଯାଉଥିଲା । ଏହିଠାରୁ ଅବିଭକ୍ତ କୋରାପୁଟ, କଳାହାଣ୍ଡି, ଛତିଶଗଡ ଏବଂ ମହାରାଷ୍ଟ୍ର ପର୍ଯ୍ୟନ୍ତ ନଳବଂଶ ରାଜାମାନେ ଶାସନ କରୁଥିଲେ । ସେ ସମୟରୁ ପ୍ରତି ମାଘ ମାସରେ ଦେବଦେବୀଙ୍କ ମିଳନ ବା ମଣ୍ଡେଇ ପାଳନ ହୋଇଆସୁଛି । ସେଦିନର ପରମ୍ପରା ଓ ସଂସ୍କୃତିକୁ ସ୍ଥାନୀୟ ଆଦିବାସୀମାନେ ଆଜି ପର୍ଯ୍ୟନ୍ତ ବଜାୟ ରଖିଛନ୍ତି । ଓଡିଶା ଓ ପଡୋଶୀ ଛତିଶଗଡର ବହୁ ଶ୍ରଦ୍ଧାଳୁ ଏହି ଯାତ୍ରାରେ ସାମିଲ ହୋଇଥାନ୍ତି । ଯାତ୍ରା ସମୟରେ ନଳ ବଂଶ ରାଜତ୍ୱ ସମୟର ଧ୍ୱଂସାବଶେଷ ଏଠାରେ ଲୋକେ ଦେଖିବାକୁ ସୁଯୋଗ ପାଇଥାନ୍ତି । ପ୍ରତିବର୍ଷ ରାଜାଙ୍କ ଇଷ୍ଟଦେବୀ ଉପରଗଡସ୍ଥିତ ଗାଦିମା ମନ୍ଦିରର ଭୈରବ, ଚଉଁରୀୟ ଦନ୍ତେଶ୍ୱରୀ ଓ ବୀର ନାରାୟଣଙ୍କ ନାମରେ ମଣ୍ଡେଇ ପାଳିତ ହୋଇଥାଏ । ବର୍ତ୍ତମାନର ପୋଡାଗଡ ସେବାୟତ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ଯାତ୍ରା ପରିଚାଳିତ ହେଉଛି । ସ୍ଥାନୀୟ ଭାଷାରେ ମଣ୍ଡେଇ ଅର୍ଥ ମେଳଣ । ଏହି ଯାତ୍ରାରେ ଦେବଦେବୀଙ୍କ ମେଳଣ ହେଉଥିବାରୁ ଏହାକୁ ମଣ୍ଡେଇ କୁହାଯାଉଛି । ଦୂରଦୂରାନ୍ତରରୁ ଆସୁଥିବା ଶ୍ରଦ୍ଧାଳୁମାନେ ପରସ୍ପର ସହ ଭେଟଘାଟ କରିବାର ଏହି ଅବସରରେ ସୁଯୋଗ ପାଇଥାନ୍ତି । ଯାତ୍ରାରେ ବିଭିନ୍ନ ବ୍ୟବସାୟିକ ପ୍ରତିÂାନ ଖୋଲାଯାଇଥାଏ । ଲୋକେ ବିଭିନ୍ନ ସାମଗ୍ରୀ କ୍ରୟ କରିଥାନ୍ତି । ଚଳିତ ବର୍ଷ ଟ୍ରଷ୍ଟ ସଭାପତି ଉଦ୍ଧବ ନାୟକ, ଉପସଭାପତି ଜଗଦୀଶ ନାୟକ, ସାଧାରଣ ସମ୍ପାଦକ ପୁରୁଷୋତ୍ତମ ଭତ୍ରା, ସହ ସମ୍ପାଦକ ତୁଳାରାମ ଭତ୍ରା, ସୋନା ମାଝି, ଦେବୀ ସିଂ ମାଝି, ରବିନାରାୟଣ ମହାନ୍ତି, ମୁଖ୍ୟ ଉପଦେଷ୍ଟା କୈଳାସ ବେହେରା ପ୍ରମୁଖ ଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ । ଉତ୍ସବରେ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝି, ସାଂସଦ ପ୍ରତିନିଧି ପ୍ରମୋଦ ପାଢି, ସଞ୍ଜୟ ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons