ମନ୍ଦିର ଚୋର ଚଙ୍ଗୁ-ମଙ୍ଗୁ ଗିରଫ

Get real time updates directly on you device, subscribe now.

ଜଟଣୀ,(ବି.ବି.ନୁ୍ୟଜ୍): ମନ୍ଦିର ତାଲା ଭାଙ୍ଗି ଚୋରି କରୁଥିବା ଏକ ଦୁଇ ଜଣିଆ ଗ୍ୟାଙ୍ଗ୍କୁ ଜଟଣୀ ଥାନା ପୁଲିସ ଗିରଫ କରିଛି । ସେମାନେ ହେଲେ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ରାଉତସାହିର ଚଙ୍ଗୁ ଓରଫ ପ୍ରକାଶ ଚନ୍ଦ୍ର ସିଂହ(୨୬) ଓ ଜଟଣୀ ରାଜାବଜାରର ମଙ୍ଗୁ ଓରଫ ବିମଳ ସିଂହ(୨୯) । ଉଭୟେ ମିଶି ୫୦ରୁ ଅଧିକ ମନ୍ଦିରରେ କଳାକନା ବୁଲାଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି । ପୁଲିସ ଦୁଇଜଣଙ୍କ ଠାରୁ ଟଙ୍କା, ଠାକୁରଙ୍କ ସୁନା ରୂପା ଅଳଙ୍କାର, ଘଣ୍ଟ ଘଣ୍ଟି, ଚାନ୍ଦୁଆ, ବାସନକୁସନ, ଲାଇଟ୍ ଓ ସାଉଣ୍ଡ୍ ସିଷ୍ଟମ୍ ଆଦି ଜବତ କରିଛି ।
ପୁଲିସ ସୂଚନା ଅନୁଯାୟୀ, ଜଟଣୀ ଗୋପବନ୍ଧୁନଗରସ୍ଥିତ ଆଖଣ୍ଡଳମଣି ମନ୍ଦିର ପରିସରରେ ଥିବା ସନ୍ତୋଷୀ ମା’ଙ୍କ ମନ୍ଦିର ତାଲା ଭାଙ୍ଗି କେହି ଦୁର୍ବୃତ୍ତ ଅଗଷ୍ଟ ୧୬ ତାରିଖ ରାତିରେ କଳାକନା ବୁଲାଇଥିଲେ । ହୁଣ୍ଡି ବାକ୍ସ ଭାଙ୍ଗି ସେଥିରୁ ଟଙ୍କା ସହ ଆଲମିରା ତାଡ଼ି ଠାକୁରାଣୀଙ୍କ ସୁନାରୁପା ଅଳଙ୍କାର, ବାସନକୁସନ ଆଦି ଚୋରି କରି ନେଇଥିଲେ । ଏନେଇ ଜଟଣୀ ଥାନାରେ ଏତଲା ଦିଆଯାଇଥିଲା ।
ରବିବାର ସନ୍ଧ୍ୟାରେ ଚଙ୍ଗୁ ଓ ମଙ୍ଗୁ ମନ୍ଦିରରୁ ଚୋରି କରିଥିବା ସାମଗ୍ରୀ ବିକି୍ର କରିବାକୁ ଜଟଣୀ ଅଞ୍ଚଳରେ ବୁଲୁଥିବା ବେଳେ ପୁଲିସ ସେମାନଙ୍କୁ ଧରିଥିଲା । ଜେରାବେଳେ ସେମାନେ ସନ୍ତୋଷୀ ମା’ଙ୍କ ମନ୍ଦିରରୁ ଚୋରି କରିଥିବା ମାନିଥିଲେ । ସେମାନେ ପୁଲିସକୁ ଯେଉଁ ସୂଚନା ଦେଇଥିଲେ ତାହା ଜାଣି ପୁଲିସ ତାଜୁବ୍ ହୋଇ ଯାଇଥିଲା । ଉଭୟ ଚଙ୍ଗୁ-ମଙ୍ଗୁ ଜଟଣୀଠାରୁ ଆରମ୍ଭ କରି ଖୋର୍ଦ୍ଧା, ଭୁବନେଶ୍ୱର, ଯାଁଳା, ପିପିଲି ଓ ଡେଲାଙ୍ଗ ଅଞ୍ଚଳରୁ ୫୦ରୁ ଅଧିକ ମନ୍ଦିରରୁ ଚୋରି କରିଥିବା ସ୍ୱୀକାର କରିଥିଲେ । ପୁଲିସ ଉଭୟଙ୍କୁ ଧରି ସେମାନଙ୍କ ଘରେ ଚଢ଼ଉ କରିଥିଲା । ଉଭୟଙ୍କ ଠାରୁ ୧୬ ହଜାର ଟଙ୍କାର କଏନ୍, ସୁନାରୁପା ଅଳଙ୍କାର, କଂସା-ପିତଳ ବାସନକୁସନ, ଘଣ୍ଟଘଣ୍ଟି, ଚାନ୍ଦୁଆ, ଲାଇଟ୍, ସାଉଣ୍ଡ୍ ସିଷ୍ଟମ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲା । ଆଜି ଚଙ୍ଗୁ-ମଙ୍ଗୁଙ୍କୁ କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ଠାରୁ ଆହୁରି ଅଧିକ ଚୋରି ସାମଗ୍ରୀ ଜବତ କରିବା ପାଇଁ ଉଭୟଙ୍କୁ ରିମାଣ୍ଡରେ ଆଣି ଜେରା କରିବ ବୋଲି କମିଶନରେଟ୍ ପୁଲିସ କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons