ଭୁବନେଶ୍ୱର,(ବି.ବି.ବୁ୍ୟରୋ): “ଆମ ଭାଷା ଓଡ଼ିଆ ଭାରି ବଢ଼ିଆ । ଆମ ପାଇଁ ଏହା ହିନ୍ଦୀଠାରୁ ବି ଅଧିକ ଗୁରୁତ୍ୱପୂର୍ଣ୍ଣ । ଆମ ଜୀବନରେଖା ମହାନଦୀ, ସବୁଠୁ ପବିତ୍ର । ଓଡ଼ିଶୀ ସଙ୍ଗୀତ ଆମ ପାଇଁ ଶାସ୍ତ୍ରୀୟ ସଙ୍ଗୀତ । ଆମ ସମ୍ବଲପୁରୀ ହସ୍ତତନ୍ତ ବିଶ୍ୱସ୍ତରୀୟ । ଆମ କଳା, ସଂସ୍କୃତି, ଐତିହ୍ୟ… ସବୁଠୁ ସମୃଦ୍ଧ । ଆମ ଜଗନ୍ନାଥ ମହାପ୍ରଭୁ ସ୍ୱତନ୍ତ୍ର, ତାଙ୍କ ପୂଜା ଓ ସଂସ୍କୃତି ଆମ ଜୀବନଧାରା ।” ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଏଭଳି ଭାବାତ୍ମକ ଢଙ୍ଗରେ ନିଜ ମନ କଥା କହିଛନ୍ତି ।
ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ସମ୍ବୋଧନ କରିବା ଅବସରରେ ନବୀନ ଆଜି ମନ କଥା ରଖିଛନ୍ତି । ଓଡ଼ିଶାର ଗର୍ବ ଗୌରବ କଥା ବଖାଣିବା ସହ ରାଜ୍ୟ ପ୍ରତି ଜାତୀୟ ଦଳ କଂଗ୍ରେସ ଓ ବିଜେପିର ବୈମାତୃକ ମନୋଭବକୁ ଗୋଟି ଗୋଟି କରି ମନେପକାଇ ଦେଇଛନ୍ତି । ସ୍ୱତନ୍ତ୍ର ରାଜ୍ୟ ପାହ୍ୟାରୁ ନେଇ ମହାନଦୀ ଯାଏଁ ବିଭିନ୍ନ ପ୍ରସଙ୍ଗ ଉଠାଇ ଜାତୀୟ ଦଳକୁ କଡ଼ା ଶବ୍ଦରେ ଶାଣିତ ଆକ୍ରମଣ କରିଛନ୍ତି ।
ସେ କହିଛନ୍ତି, ଜାତୀୟ ଦଳଗୁଡ଼ିକ କେବେ ବି ଓଡ଼ିଶାବାସୀଙ୍କୁ ସ୍ୱାର୍ଥ ରକ୍ଷା ପାଇଁ ଲଢେ଼ଇ କରିନାହାନ୍ତି । ହେଲେ ଗୋଟିଏ ଆଞ୍ଚଳିକ ଦଳ ରାଜ୍ୟର ଲୋକମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଲଢ଼ୁଛି ଓ ଲଢେ଼ଇ ଜାରି ରଖିବ । ଗୋଟିଏ ଆଞ୍ଚଳିକ ଦଳ ହିଁ ଓଡ଼ିଶାର ଯୁବ ସମାଜର ଆଶା ଓ ଅଭିଳାଷ ପୂରଣ କରିପାରିବ । ଏହି ଆଞ୍ଚଳିକ ଦଳ ହିଁ ଓଡ଼ିଶାର ସ୍ୱତନ୍ତ୍ର ପରିଚୟକୁ ସୁରକ୍ଷା ଦେଇପାରିବ । ନଚେତ୍ ଜାତୀୟ ଦଳଗୁଡ଼ିକ ଆପଣମାନଙ୍କୁ ମହାସାଗରର ଗୋଟିଏ ଛୋଟ ଜଳବିନ୍ଦୁ ଭଳି ହଜାଇ ଦେବେ । ବିଜୁ ଜନତା ଦଳ ହେଉଛି ଓଡ଼ିଶାବାସୀଙ୍କ ବଳ ।
ନବୀନ କହିଛନ୍ତି, ଜାତୀୟ ଦଳର ଏକମାତ୍ର ଆଭିମୁଖ୍ୟ ହେଲା- ନିର୍ବାଚନ ଜିତି କେନ୍ଦ୍ରରେ ସରକାର ଗଢ଼ିବା । ଏହି ଜାତୀୟ ଦଳର ରାଜ୍ୟ ନେତାମାନେ ଜାତୀୟ ନେତୃତ୍ୱକୁ ଖୁସି କରି ମନ୍ତ୍ରୀ କିମ୍ବା ବଡ଼ ପଦବୀ ପାଇବାକୁ ବ୍ୟଗ୍ର । ଇତିହାସ କହୁଛି, ଜାତୀୟ ଦଳର ମୁଖ୍ୟ ଲକ୍ଷ୍ୟ ହେଉଛି ଅଧିକ ଭୋଟ୍ ପାଇବା । ଭୋଟ୍ ପାଇଁ ସେମାନଙ୍କର ନୀତି ହେଉଛି ଗୋଟିଏ ଭାଷା-ହିନ୍ଦୀ । ଏହା ବଡ଼ବଡ଼ ରାଜ୍ୟ ପାଇଁ ସୁବିଧା ହୋଇପାରେ, ହେଲେ ଏଭଳି ଗୋଟିଏ ନୀତିରେ ଅନ୍ୟ ରାଜ୍ୟଗୁଡ଼ିକର ସ୍ୱତନ୍ତ୍ର ପରିଚୟ ଅଣଦେଖା ହେଉଛି । ତଥାପି ଏହି ନୀତିକୁ ସମସ୍ତଙ୍କ ଉପରେ ଲଦି ଦିଆଯାଉଛି ।
ନବୀନ କହିଛନ୍ତି, ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଓଡ଼ିଶା । ସେଥିପାଇଁ ଓଡ଼ିଆ ଭାଷା ସ୍ୱତନ୍ତ୍ର । ମହାନଦୀ ପାଣି ପ୍ରତି ଓଡ଼ିଆଙ୍କ ଦେହରେ ଆଶୀର୍ବାଦ ହୋଇ ବହି ଚାଲିଛି । ପ୍ରଚୁର ଖଣିଜ ସମ୍ପଦରେ ଭରପୂର ରହିଛି ଓଡ଼ିଶା । ସମୃଦ୍ଧ ଓ ବିବିଧ ଆଦିବାସୀ ସଂସ୍କୃତି ହେଉଛି ଆମର ଶକ୍ତି । ଓଡ଼ିଶାର ସ୍ୱତନ୍ତ୍ରତାର ସୁରକ୍ଷା ପାଇଁ ଆମ ପୂର୍ବପୁରୁଷମାନେ ଅନେକ ତ୍ୟାଗ କରିଛନ୍ତି । ହେଲେ ଆମ ସଂସ୍କୃତି ଓ ଆମ ସ୍ୱତନ୍ତ୍ରତାର କିଛି ମୂଲ୍ୟ ନାହିଁ ଜାତୀୟ ଦଳ ପାଖରେ । ଆମ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ପାଇଁ ଜାତୀୟ ଦଳର ରାଜ୍ୟ ନେତାମାନଙ୍କର ସ୍ୱର ନାହିଁ । ରାଜ୍ୟରେ ଯେତେବେଳେ କଂଗ୍ରେସ ସରକାର ଥିଲା, ତାହା ଦିଲ୍ଲୀରୁ ରିମୋଟ୍ କଣ୍ଟେ୍ରାଲ ଦ୍ୱାରା ଚାଲୁଥିଲା । ସେହିପରି ବିଜେପି ଶାସିତ ରାଜ୍ୟ ସରକାର ମଧ୍ୟ ଜାତୀୟ ନେତୃତ୍ୱର ନିଦେ୍ର୍ଧଶରେ କାମ କରୁଛନ୍ତି । ହେଲେ ବିଜୁ ଜନତା ଦଳ ଓଡ଼ିଶାର ସ୍ୱତନ୍ତ୍ର ପରିଚୟର ପ୍ରଚାର ଓ ପ୍ରସାର ପାଇଁ କାମ କରୁଛି । ଦିଲ୍ଲୀରେ ଆମର କେହି ବସ୍ (ମାଲିକ) ନାହାନ୍ତି । ଓଡ଼ିଶାବାସୀ ହିଁ ଆମ ବସ୍ । ଆମେ କେବଳ ଓଡ଼ିଶାବାସୀଙ୍କ ପାଇଁ କାମ କରୁଛୁ ।
ନବୀନ କହିଛନ୍ତି, ଆମେ ମହାନଦୀ ପାଣି ପାଇଁ ଲଢେ଼ଇ କରୁଛୁ । ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ଲଢେ଼ଇ କରୁଛୁ । କୋଶଳୀ ଓ ହୋ-ଭାଷାକୁ ସମ୍ବିଧାନରେ ସ୍ଥାନିତ କରିବାକୁ ଲଢେ଼ଇ ଜାରି ରଖିଛୁ । ଓଡ଼ିଶାର ଖଣିଜ ସମ୍ପଦର ଲାଭ ଯେପରି ଓଡ଼ିଶା ଏବଂ ଓଡ଼ିଶାବାସୀ ପାଇବେ, ସେଥିପାଇଁ ଆମେ ଲଢ଼ୁଛୁ ।
ସେ କହିଛନ୍ତି, ପ୍ରାୟ ପ୍ରତିିବର୍ଷ ଓଡ଼ିଶା ବଡ଼ବଡ଼ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି । ଆମର ସ୍ୱତନ୍ତ୍ର ଭୌଗଳିକ ଅବସ୍ଥିତି ପାଇଁ ଏହା ଘଟୁଛି । ଉଭୟ ବିଜେପି ଓ କଂଗ୍ରେସ ନିଜ ନିଜ ନିର୍ବାଚନ ଇସ୍ତାହାରରେ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତାକୁ ୧ ନମ୍ବରରେ ରଖିଥିଲେ । କିନ୍ତୁ, ନିର୍ବାଚନ ପରେ ଏହି ଦାବିକୁ ଭୁଲିଗଲେ । ହେଲେ ବିଜେଡି ଏଥିପାଇଁ ଲଢେ଼ଇ ଜାରି ରଖିବ । ଓଡ଼ିଶା ପ୍ରତି ବୈମାତୃକ ବ୍ୟବହାର ପ୍ରସଙ୍ଗକୁ ସବୁବେଳେ ଉଠାଇବ । ଗୋଟିଏ ସ୍ୱତନ୍ତ୍ର ରାଜ୍ୟ ଗଠନର ଲକ୍ଷ୍ୟ ହେଉଛି- ଓଡ଼ିଶାର ସ୍ୱତନ୍ତ୍ର ପରିଚୟର ସୁରକ୍ଷା ଏବଂ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଲଢେ଼ଇ । ଗୋଟିଏ ଆଞ୍ଚଳିକ ଦଳ ହିଁ ଏଥିପାଇଁ ଲଢ଼ି ଚାଲିବ । ବିଜୁ ଜନତା ଦଳ ଗୋଟିଏ ଆଞ୍ଚଳିକ ଦଳ ଭାବେ ସ୍ୱତନ୍ତ୍ର ଓଡ଼ିଶା ଗଠନ ସମୟର ଆଶା ଓ ଆଦର୍ଶର ପ୍ରତୀକ ହୋଇଯାଇଛି ।
ନବୀନ କହିଛନ୍ତି, ମୋର ଏହି ବାର୍ତ୍ତା ସାରା ଓଡ଼ିଶାର ଯୁବ ସମାଜ ପାଇଁ । ସାରା ଓଡ଼ିଶାର ଭବିଷ୍ୟତ ପିଢ଼ି ଏକଥାକୁ ଭଲ ଭାବରେ ମନେ ରଖିବା ଉଚିତ୍ ।


Comments are closed, but trackbacks and pingbacks are open.