ମମିତା ମେହେର ହତ୍ୟା ଘଟଣା:ଉଦ୍ୟମ ଥିଲା ଶବ ନମିଳୁ

Get real time updates directly on you device, subscribe now.

ବଲାଙ୍ଗିର, (ବି.ବି.ବୁ୍ୟରୋ): ଆଇନ ପାଠ ପଢ଼ିଥିଲା ଗୋବିନ୍ଦ । କେଉଁ ମାମଲାରେ କେଉଁ ଧାରା ଲାଗିବ, ପୁଲିସକୁ କେଉଁ ପ୍ରମାଣ ମିଳିଲେ ଦୋଷୀ ସାବ୍ୟସ୍ତ କରିପାରିବ ଆଦି ସେ ଜାଣିଥିଲା । ଯେପର୍ଯ୍ୟନ୍ତ ପୁଲିସ ମୃତଦେହ ପାଇବ ନାହିଁ ସେପର୍ଯ୍ୟନ୍ତ ତଦନ୍ତ ଆଗକୁ ବଢ଼ିବ ନାହିଁ । ସେଥିପାଇଁ ସାଂଘାତିକ ଯୋଜନା କରିଥିଲ । ମୃତ ଶରୀରକୁ ସଂପୂର୍ଣ୍ଣ ନଷ୍ଟ କରିଦେବା ପାଇଁ ଷଡ଼ଯନ୍ତ୍ର କରିଥିଲା । ପୂର୍ବ ଯୋଜନା ଅନୁସାରେ, ଏକ ନିର୍ଦ୍ଧିଷ୍ଟ ଆୟତନର ଗାତ ଖୋଳାଇଥିଲା । ମମିତାଙ୍କ ମୃତଦେହକୁ ପୋଡ଼ିବା ପାଇଁ ଆବଶ୍ୟକ ପରିମାଣର କାଠ, ପଟା, ବସ୍ତା, ଟାୟାର ଇତ୍ୟାଦି ଠୁଳ କରାଇଥିଲା । ବାହାରେ ଶବ ପୋଡ଼ିଥିଲେ ନିଆଁର ଝାସ ପବନରେ ମିଳାଇଯାଇଥାନ୍ତା କିନ୍ତୁ ମାଟି ଭିତରେ ପୋଡ଼ିବା ଦ୍ୱାରା ବ୍ଲାଷ୍ଟଫର୍ଣ୍ଣେସ୍ ଭଳି ନିଆଁର ତେଜ ବହୁଗୁଣିତ ହୋଇ ସବୁତକ ପାଉଁଶ ହୋଇଯାଇଥାନ୍ତା । ଏପରିକି ଶବ ପୋଡ଼ିଲା ପରେ ଯେଭଳି ଶୀଘ୍ର ନଷ୍ଟ ହୋଇଯିବ ଏବଂ ପ୍ରମାଣ ନରହିବ, ସେଥିପାଇଁ ତକ୍ରାଳ ସବୁତକ ମାଟି ପୋତି ତା’ଉପରେ ଗୋବିନ୍ଦ ଗାଡ଼ି ଚଳାଇଦେଇଥିଲା । ମାଟି ଭିତରେ ଗରମ ଚାପରେ ସବୁତକ ହାଡ଼ ନଷ୍ଟ ଯାଇଥାଆନ୍ତା । କିନ୍ତୁ ଠିକ୍ ସମୟରେ ପୁଲିସ ମାଟି ଖୋଳି ପ୍ରମାଣ ଠାବ କରିଛି । କେବଳ ହତ୍ୟା ନୁହେଁ ପରବର୍ତ୍ତୀ ପ୍ରମାଣ ନଷ୍ଟ ପାଇଁ ମଧ୍ୟ ସେ ସମ୍ପୂର୍ଣ୍ଣ ଚେଷ୍ଟା କରିଥିବା ଜେରା ସମୟରେ ପୁଲିସ ଜାଣିବାକୁ ପାଇଛି । ଗୁରୁବାର ବିଳମ୍ବିତ ରାତି ଓ ଶୁକ୍ରବାର ଭୋର୍ରୁ ପୁଲିସ ପକ୍ଷରୁ ହୋଇଥିବା କ୍ରାଇମ ସିନ ରି-କ୍ରିଏସନ ସମୟରେ ସେ ସବୁ ମାନିଯାଇଥିବା ଉତ୍ତରାଞ୍ଚଳ ଡ଼ିଆଇଜି ଡା.ଦୀପକ କୁମାର ସୂଚନା ଦେଇଛନ୍ତି ।
ସୂଚନାନୁସାରେ, ଗୋବିନ୍ଦକୁ ଦିନବେଳା ବାହାରକୁ ନେବାଟା ସୁରକ୍ଷିତ ନଥିବାରୁ ବିଳମ୍ବିତ ରାତିରେ ହିଁ ସିନ ରି-କ୍ରିଏସନ କରିବା ଯୋଜନା ହୋଇଥିଲା । ଗତକାଲି ଭୋର୍ ୩ଟା ୧୫ମିନିଟରେ ଉତ୍ତରାଞ୍ଚଳ ଡିଆଇଜି ଏବଂ ବଲାଙ୍ଗିର ଏସପିଙ୍କ ନେତୃତ୍ୱରେ ଗୋବିନ୍ଦକୁ ଘଟଣାସ୍ଥଳକୁ ନିଆଯାଇଥିଲା । ସିନେ୍ଧକେଲା ଥାନା ଅନ୍ତର୍ଗତ ଚାନେ୍ଦାତରା ଛକ, ମମିତାଙ୍କୁ ହତ୍ୟା କରାଯାଇଥିବା କୁରସୁଡ଼ ଛକ, ମୃତଦେହକୁ ଲୁଚାଇଥିବା ଘର ପଛପଟ ଗ୍ୟାରେଜ ଏବଂ ତାକୁ ପୋତାଯାଇଥିବା ମହାଲିଙ୍ଗସ୍ଥିତ ଷ୍ଟାଡ଼ିୟମ ପରିସରରେ ଗୋବିନ୍ଦ ଘଟଣାର ଡେମୋ ଦେଇଥିଲା । ଗୋଟି ଗୋଟି କରି ସେଦିନର ସମସ୍ତ ମୁହୂର୍ତ୍ତକୁ ପୁଲିସ ଆଗରେ ମାନିନେଇଥିଲା । ସେହିଭଳି କେଉଁ ରାସ୍ତାରୁ ଭବାନୀପାଟଣା ଯାଇଥିଲା, ସେଠାରୁ କେମିତି ଫେରିଥିଲା, ସେମାନେ କେଉଁଠି ରହିଥିଲେ, ଟିଫିନ ଖାଇଥିଲେ, କେଉଁ କେଉଁ ଦୋକାନରୁ କ’ଣ କିଣିଥିଲେ ଆଦି ସବୁ ପୁଣିଥରେ କହିଥିଲା । ପୂର୍ବରୁ ପୁଲିସ ହାତରେ ଲାଗିଥିବା ସିସିଟିଭି ଫୁଟେଜ ଏବଂ ହସ୍ତଗତ ଟେକ୍ନିକାଲ ପ୍ରମାଣ ସହ ସେଗୁଡ଼ିକ ମେଳ ଖାଇଥିବା ଜଣାପଡ଼ିଛି । ଏହାପରେ ପୁଲିସ ପ୍ରାୟ ସାଢେ଼ ୮ଟା ବେଳେ ଗୋବିନ୍ଦକୁ ଧରି ବଲାଙ୍ଗିର ଜିଲ୍ଲା ପୁଲିସ କାର୍ଯ୍ୟାଳୟକୁ ଫେରାଇ ଆଣିଥିଲା ।
ଅପରପକ୍ଷେ ଗତକାଲି ଗିରଫ ହୋଇଥିବା ଗୋବିନ୍ଦର ସହଯୋଗୀ ରାଧେ ଚଣ୍ଡୀର ସ୍ତ୍ରୀ ଆଶାଙ୍କଠାରୁ କେଗାଁ ପୁଲିସ ଏକ ବ୍ୟାଗ ଉଦ୍ଧାର କରିଛି । ଉକ୍ତ ବ୍ୟାଗ୍ରୁ ତିନି ହଳ ନୂଆ ମହିଳା ପୋଷାକ, ଗୋଟିଏ ମୋବାଇଲ୍ ଫୋନ୍, ଏକ ଚାର୍ଜର ଓ କିଛି ବଟିକା ମିଳିଛି । ଏହାକୁ ନେଇ ପୁଲିସ ତନାଘନା ଚଳାଇଥିିବା ବେଳେ ଉଦ୍ଧାର ହୋଇଥିବା ମୋବାଇଲ ଫୋନଟି ମମିତାଙ୍କର ନୁହେଁ ବୋଲି ତାଙ୍କ ପରିବାରବର୍ଗ କହିଥିବା ଡିଆଇଜି ଡା. ଦୀପକ କୁମାର ସୂଚନା ଦେଇଛନ୍ତି । ମମିତା ‘ଭିଭୋ’ ଫୋନ ବ୍ୟବହାର କରୁଥିଲେ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି । ଉଦ୍ଧାର ମୋବାଇଲଟି ‘ଏମ୍ଆଇ ଜିଓମି’ ବ୍ରାଣ୍ଡର । କିନ୍ତୁ ଯେଉଁ ବ୍ୟାଗରେ ୩ଟି ନୂଆ ଡ୍ରେସ୍ ରହିଛି ସେହି ବ୍ୟାଗ ଘଟଣାଦିନ ସିସିଟିଭି ଫୁଟେଜରେ ଆସିଥିବା କପଡ଼ା ଦୋକାନର କ୍ୟାରି ବ୍ୟାଗ୍ର ଫଟୋ ସହିତ ମେଳ ଖାଉଥିବା ଜଣାପଡ଼ିଛି । ସେ ଗୁଡ଼ିକ ମଧ୍ୟ ଯାଞ୍ଚ ପାଇଁ ଫରେନସିକ ଲାବ୍କୁ ପଠାଯିବ ବୋଲି ଡିଆଇଜି କହିଛନ୍ତି ।
ଅଭିଯୁକ୍ତ ରାଧେର ସ୍ତ୍ରୀ ଆଶାଙ୍କ କହିବା ଅନୁଯାୟୀ, ଶୁକ୍ରବାର ସକାଳ ପ୍ରାୟ ସାଢେ଼ ୮ଟା ବେଳେ ସେ ଘର ଝାଡୁ କରୁଥିଲେ । ସେହି ସମୟରେ ଖଟ ତଳୁ ଏକ ବ୍ୟାଗ୍ ପାଇଥିଲେ । ନୂଆ ବ୍ୟାଗ୍ଟିଏ କେଉଁଠୁ ଆସିଲା ଭାବି ସେ ଖୋଲି ଦେଖିବା ପରେ କାଳେ ତାହା ମମିତାଙ୍କର ହୋଇଥିବ ବୋଲି ଚିନ୍ତା କରିଥିଲେ । ପୁଲିସ ଗୋବିନ୍ଦକୁ ନେଇ କ୍ରାଇମ୍ ସିନ୍ ରି-କ୍ରିଏସନ୍ କରିଥିବା ପ୍ରଚାରିତ ହୋଇସାରିଥିବାରୁ ସେଠାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ବ୍ୟାଗଟି ଦେବା ପାଇଁ ଆଶା ମହାଲିଙ୍ଗ୍ର ନିର୍ମାଣାଧୀନ ମିନି ଷ୍ଟାଡିୟମ୍ ଆଡକୁ ଆସିଥିଲେ । ଏହା ଦେଖି ଜଣେ ପୁଲିସ ଅଚାନକ ତାଙ୍କଠାରୁ ଉକ୍ତ ବ୍ୟାଗ୍କୁ ଟାଣି ନେଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଇଦେବେ କହି କେଗାଁ ଥାନାକୁ ନେଇ ଯାଇଥିଲେ । କିଛି ସମୟ ପରେ ଆଶା ଉକ୍ତ ବ୍ୟାଗ ସଂପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଥିଲେ । ତାଙ୍କ ସ୍ୱାମୀ ରାଧେ ଜଣେ ଛୋଟିଆ ଚାକର ମାତ୍ର । ତାକୁ ଯାହା କରିବାକୁ ଗୋବିନ୍ଦ କହୁଥିଲା ସେ କରୁଥିଲେ । ମାତ୍ର ତିନି ମାସ ହେଉଛି ସେ ତା ପାଖରେ କାମ କରୁଥିଲେ ବୋଲି ଆଶା ଚଣ୍ଡୀ ଗଣମାଧ୍ୟମକୁ ଜଣାଇଥିଲେ । ସ୍ୱାମୀଙ୍କୁ ଘଟଣାରେ ଫସାଇ ଦିଆଯାଇଥିବା କହି ଆଶା, ତାଙ୍କ ଶାଶୂ, ଦୁଇଛୁଆଙ୍କୁ ନେଇ କେଗାଁ ଥାନାର ଫାଟକ ସମ୍ମୁଖରେ ଦୀର୍ଘ ସମୟ ଧରି ଧାରଣାରେ ବସିଥିଲେ । କେତେକ ପୁଲିସ ସେମାନଙ୍କୁ ବୁଝାସୁଝା କରିବା ପରେ ସେମାନେ ମହାଲିଙ୍ଗ୍ ଫେରିଆସିଥିବା ପ୍ରକାଶ ।
ମମିତା ହତ୍ୟା ଘଟଣା ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି କରିଥିବା ବେଳେ ଆଜି ସଂଧ୍ୟାରେ ଘଟଣାର ତଦନ୍ତ ପାଇଁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା ବଲାଙ୍ଗିର ପହଞ୍ଚିଛନ୍ତି । ପ୍ରଥମେ ସେ ଜିଲ୍ଲା ପୁଲିସ ମୁଖ୍ୟାଳୟ ଯାଇ ସେଠାରେ ଏସପି ନୀତିନ କୁଶଲକରଙ୍କ ସହିତ ଆଲୋଚନା କରିଥିଲେ । ପୀଡିତାଙ୍କୁ କିଭଳି ନ୍ୟାୟ ମିଳିବ ଏବଂ ପରିବାରବର୍ଗ କିଭଳି ସୁରକ୍ଷିତ ରହିବେ ସେନେଇ ଆଲୋଚନା ହୋଇଥିଲା । ଆସନ୍ତାକାଲି ସେ ମୃତକଙ୍କ ପରିବାରବର୍ଗଙ୍କୁ ଭେଟିବା ସହିତ ଘଟଣାସ୍ଥଳକୁ ଯିବାର କାର୍ଯ୍ୟକ୍ରମ ରହିଛି । ଉକ୍ତ ଟିମ ମହାଲିଙ୍ଗସ୍ଥିତ କଲେଜକୁ ଯାଇ ସେଠାରେ ପଢୁଥିବା ଛାତ୍ରୀମାନେ କିଭଳି ଉତ୍ତମ ପରିବେଶରେ ପାଠ ପଢ଼ିବେ ସେ ସଂକ୍ରାନ୍ତରେ କଳାହାଣ୍ଡି ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ । ପରିଦର୍ଶନ ସମୟରେ ଯାହା ଅବଗତ ହେବେ ସେନେଇ କାର୍ଯ୍ୟାନୁÂାନ ପାଇଁ ସରକାରଙ୍କୁ ପରାର୍ମଶ କରିବେ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons