ବ୍ରହ୍ମପୁର: ମହାନଗର ନିଗମର ୩୫ ନମ୍ବର ୱାର୍ଡ ଅନ୍ତର୍ଗତ ଲାଞ୍ଜିପଲ୍ଲୀ କୃଷ୍ଣନଗର ମୁନିସିପାଲିଟି ପୋଖରୀ ଅର୍ଥାତ୍ ବନା ବନ୍ଧରେ ମାଛ ମଡ଼କ । ପୋଖରୀରେ ଦୁଇ ଦିନ ଭିତରେ ହଜାର ହଜାର ସଂଖ୍ୟାରେ ମାଛ ମରି ଭାସୁଥିବା ଦେଖି ମିଳିଛି । ସୂଚନା ପାଇବା ପରେ ବିଏମ୍ସି ଏବଂ ମତ୍ସ୍ୟ ବିଭାଗ ଟିମ୍ ପହଞ୍ଚି ପୋଖରୀରୁ ପାଣିର ନମୁନା ସଂଗ୍ରହ କରିଛନ୍ତି । ଜିଲ୍ଲା ପରୀକ୍ଷାଗାରରେ ପରୀକ୍ଷା କରାଯିବା ପରେ କେଉଁ କାରଣରୁ ମାଛ ମରିଛନ୍ତି ସ୍ପଷ୍ଟ ହେବ ବୋଲି ମତ୍ସ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଏନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ଆଜି ନମୁନା ସଂଗ୍ରହ ହେବା ପରେ ମତ୍ସ୍ୟ ବିଭାଗ ଏବଂ ବିଏମ୍ସି ପକ୍ଷରୁ ପୋଖରୀ ପାଣିକୁ ବ୍ୟବହାର ନକରିବା ପାଇଁ ଅନୁରୋଧ କରାଯାଇଛି ।
ଦୁଇ ଦିନ ହେଲା ପୋଖରୀରେ ମାଛ ମଡ଼କ ଦେଖିବା ପରେ ବିଏମ୍ସି କମିଶନର ସିଦେ୍ଧଶ୍ୱର ବଳିରାମ ବୋନ୍ଦାରଙ୍କୁ ଫୋନ୍ ଯୋଗେ ସ୍ଥାନୀୟ ଲୋକ ଜଣାଇଥିଲେ । ଆଜି କମିଶନର ଏକ ଟିମ୍ ପଠାଇ ଉକ୍ତ ପୋଖରୀକୁ ସଫା କରିବାକୁ ନିଦେ୍ର୍ଧଶ ଦେଇଥିଲେ । ପରେ ବ୍ରହ୍ମପୁର ମହାନଗର ନିଗମ ସ୍ୱାସ୍ଥ୍ୟ ଅଧିକାରୀ ମାନସ ରଂଜନ ପଣ୍ଡା ଓ ରଙ୍ଗେଇଲୁଣ୍ଡା ବ୍ଲକ୍ ମତ୍ସ୍ୟ ବିଭାଗ ସହକାରୀ ଅଧିକାରୀ ଦୀପ୍ତିମୟୀ ବେହେରା ଲାଞ୍ଜିପଲ୍ଲୀରେ ପହଞ୍ଚି ମାଛ ମଡ଼କ ଦେଖିବା ସହ ନମୁନା ସଂଗ୍ରହ କରିଛନ୍ତି । ଜିଲ୍ଲା ପରୀକ୍ଷାଗାରକୁ ପଠାଯିବ ଏବଂ ୭ଦିନ ପରେ ରିପୋର୍ଟ ହିଁ କେଉଁ କାରଣରୁ ମାଛ ମରିଛନ୍ତି ତାହା ସ୍ପଷ୍ଟ ହେବ ବୋଲି ମତ୍ସ୍ୟବିଭାଗ ସହକାରୀ ଅଧିକାରୀ କହିଛନ୍ତି । ବର୍ଷା ଦିନ ଚାଲିଥିବାରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡ୍ରେନ୍ ମାନଙ୍କରେ ମଶା ମରିବା ପାଇଁ ଔଷଧୀୟ ତେଲ ଏବଂ ବିଭିନ୍ନ ଔଷଧ ମଧ୍ୟ ସିଞ୍ଚନ କରାଯାଇଛି । ଏହି ପୋଖରୀକୁ କିଛି ଡ୍ରେନ୍ ସଂଯୋଗ ହୋଇଥିବାରୁ ସେହି ଡ୍ରେନ୍ର ପାଣି ପୋଖରୀରେ ମିଶୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ସେପଟେ ମତ୍ସ୍ୟ ବିଭାଗର ଟିମ୍ ଏଠାରେ ପହଞ୍ଚିବା ପରେ ଡ୍ରେନ୍ ପାଣି ପୋଖରୀରେ ମିଶିବା ପରେ ଏହା ପ୍ରଦୂଷିତ ହେଉଥିବା ସନେ୍ଦହ କରାଯାଉଛି ବୋଲି ପ୍ରକାଶ କରିଛି ।
କୃଷ୍ଣନଗର ସହ ଏହି ଅଞ୍ଚଳରେ ରହୁଥିବା ବସ୍ତିବାସିନ୍ଦା ଗାଧୁଆ ପାଇଁ ପୋଖରୀ ବ୍ୟବହାର କରୁଛନ୍ତି । ପଶୁପକ୍ଷୀ ମଧ୍ୟ ଏହି ପୋଖରୀରୁ ପାଣି ପିଉଛନ୍ତି । ସହରରେ ୪୨ଟି ପୋଖରୀ ରହୁଥିବା ବେଳେ ପୂର୍ବରୁ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ସମସ୍ତ ପୋଖରୀ ବ୍ୟବହାର ଉପଯୋଗୀ ନାହିଁ ବୋଲି ବିଏମ୍ସିକୁ ଅବଗତ କରାଇଥିଲା । ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ଉଦ୍ୟମରେ ସହରରେ ଥିବା ଜଳାଶୟ ଗୁଡ଼ିକର ପୁନଃରୁଦ୍ଧାର ଏବଂ ପାଣି ପରିବର୍ତ୍ତନ କରାଯାଉଛି ।
ରିପୋର୍ଟ ବିଶ୍ୱବିଜୟୀ


Comments are closed, but trackbacks and pingbacks are open.