ମର୍ମନ୍ତୁଦ ସଡ଼କ ଦୁର୍ଘଟଣା:ଚାଲିଗଲେ ଦୁଇ ସାଙ୍ଗ

Get real time updates directly on you device, subscribe now.

ବସ୍ତା: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ସାଙ୍ଗଙ୍କ ଜୀବନ ଦୀପ ଲିଭିଯାଇଛି । ଦୁଇ ସାଙ୍ଗକୁ ସବୁବେଳେ ଏକାଠି ବଜାର ଘାଟରେ ଦେଖିବାକୁ ମିଳୁଥିବା ବେଳେ ଏକ ସଙ୍ଗରେ ଦୁର୍ଘଟଣାରେ ପ୍ରାଣ ହରାଇବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଏଭଳି ଦୁଃଖଦ ଘଟଣା ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ନଂ ଜାତୀୟ ରାଜପଥର ବାଇପାସ୍ ଛକ ନିକଟରେ ଦେଖିବାକୁ ମିଳିଛି ।
ଘଟଣାରୁ ପ୍ରକାଶ, ବସ୍ତା ଥାନା ଅନ୍ତର୍ଗତ ସଦାନନ୍ଦପୁର ଗ୍ରାମର ବସନ୍ତ ସାହୁଙ୍କ ପୁଅ ତାରାକାନ୍ତ (୨୮)ଙ୍କର ବସ୍ତା ଦୈନିକ ମାର୍କେଟରେ ଏକ ବଡ଼ ଚିକେନ ସେଣ୍ଟର ଅଛି । ତାରାକାନ୍ତଙ୍କ ଅତ୍ୟନ୍ତ ଘନିÂ ବନ୍ଧୁ ତୁଷାର (୨୨) । ଉଭୟ ଏକାଠି ବଜାର ଘାଟରେ ବସାଉଠା କରନ୍ତି । ତୁଷାରଙ୍କ ଘର ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ କମାରଡିହା ଗ୍ରାମରେ । ସେ ନିଗମାନନ୍ଦ ମହାନ୍ତିଙ୍କ ପୁଅ । ଶୁକ୍ରବାର ସନ୍ଧ୍ୟାରେ ତୁଷାରଙ୍କୁ ସାଙ୍ଗରେ ନେଇ ତାରାକାନ୍ତ ନିଜ ପଲସର୍ ବାଇକ୍ରେ ବ୍ୟବସାୟ ସମ୍ପର୍କିତ ଟଙ୍କା ଆଦାୟ କରିବାକୁ ଯାଇଥିଲେ । ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ବସ୍ତା ବାଇପାସ୍ ନିକଟରେ ହଠାତ୍ ଏକ ସ୍କୁଟି ସାମ୍ନାକୁ ଆସିଯିବାରୁ ସେମାନେ ସ୍କୁଟିକୁ ଧକ୍କା ଦେଇ ରାଜପଥ ଉପରେ ପଡ଼ିଯାଇଥିଲେ । ଘଟଣା ସ୍ଥଳରେ ତାରାକାନ୍ତଙ୍କ ମୃତୁ୍ୟ ହୋଇଥିଲା । ତୁଷାର ରାଜପଥରେ ଗୁରୁତର ଅବସ୍ଥାରେ ପଡ଼ିଥିଲେ । ତୁଷାର ଘରକୁ ଫେରିବାର ବିଳମ୍ବ ଦେଖି ବାଇକ୍ରେ ତାଙ୍କ ବାପା ନିଗମାନନ୍ଦ ଓ ଦାଦା ବିବେକାନନ୍ଦ ଖୋଜିବାକୁ ଆସିଥିଲେ । ତୁଷାରଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ କାନ୍ଧରେ ବୋହି ବସ୍ତା ହସ୍ପିଟାଲକୁ ଆଣିଥିଲେ । ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଉଥିଲା । ହେଲେ ରାସ୍ତାରେ ତାଙ୍କର ମୃତୁ୍ୟ ଘଟିଥିଲା । ତୁଷାରଙ୍କୁ ପୁଣି ବସ୍ତା ହସ୍ପିଟାଲକୁ ଫେରାଇ ଆଣିଥିଲେ । ଖବର ପାଇ ରାଜପଥ ଆମ୍ବୁଲାନ୍ସ ମୃତ ତାରାକାନ୍ତଙ୍କୁ ବସ୍ତା ହସ୍ପିଟାଲକୁ ନେଇଆସିଥିଲା ।
ଅନ୍ୟପକ୍ଷେ ସ୍କୁଟି ଆରୋହୀ ୨ଜଣଙ୍କ ମଧ୍ୟରୁ ଜଣେ ସୁସ୍ଥ ଥିବାବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ଗୁରୁତର ଜଣକ ହେଲେ ଏହି ଥାନା ଅନ୍ତର୍ଗତ ପଥୁରିଆ ଗ୍ରାମର ମନୋଜ ରାମ୍ । ସେ ଏବେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି । ଏନେଇ ବସ୍ତା ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଦୁଇ ମୃତଦେହ ବ୍ୟବଚ୍ଛେଦ କରାଇଛି । ମୃତଦେହ ଗ୍ରାମରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ମୃତ ତାରାକାନ୍ତ ଦୁଇବର୍ଷ ପୂର୍ବେ ବିବାହ କରିଥିବା ବେଳେ ତୁଷାର ପାଠ ପଢୁଥିବା ଶୁଣିବାକୁ ମିଳିଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons