ତିହିଡି, (ବି.ବି.ନୁ୍ୟଜ୍): କଲେଜ ଛାତ୍ରୀଙ୍କୁ ଗୋଡେ଼ଇ ଗୋଡେ଼ଇ ପ୍ରେମ ନିବେଦନ ମହଙ୍ଗା ସାବ୍ୟସ୍ତ ହୋଇଛି । ଶେଷରେ ଗାଁ ଲୋକଙ୍କ କଙ୍ଗାରୁ କୋର୍ଟର ରାୟ ଅନୁଯାୟୀ ଏକ ପକ୍ଷୀୟ ପ୍ରେମ ନିବେଦନ କରିଥିବା ଦୁଇ ଯୁବକଙ୍କୁ ଗାଁ ଦାଣ୍ଡରେ ଆଣ୍ଠେଇ ଆଣ୍ଠେଇ ଚଲାଯାଇଛି ।
ଖବରରୁ ପ୍ରକାଶ, ଗତକାଲି ଦୁଇଜଣ ଯୁବକ ଗୋଟିଏ ବାଇକ୍ରେ ବାଲିଚତୁରୀ ଗାଁର ଦୁଇଛାତ୍ରୀଙ୍କୁ ତିହିଡି କଲେଜ ଗେଟ୍ ଆଗରୁ ପିଛା କରିଥିଲେ । ଛାତ୍ରୀଙ୍କୁ ରାସ୍ତା ସାରା ତାଙ୍କର ମୋବାଇଲ ନମ୍ବର ମାଗିବା ସହ ପ୍ରେମ ନିବେଦନ କରିଚାଲିଥିଲେ । ପ୍ରେମ ନିଶା ଏତେ ହେଲା ଯେ ତିହିଡିରୁ ୬ କିଲୋମିଟର ଦୂର ସୟା ପଞ୍ଚାୟତର ବାଲିଚତୁରୀ ଗାଁକୁ ଏମାନେ ଯିବାକୁ ପଛାଇଲେ ନାହିଁ । ରାସ୍ତା ସାରା ଏମାନେ ଛାତ୍ରୀ ଦୁଇ ଜଣକୁ ବିଭିନ୍ନ ପ୍ରକାର ଅଶ୍ଳୀଳ ଇଙ୍ଗିତ ଦେଇଚାଲି ଥାଆନ୍ତି । ଏହି ଯୁବକଙ୍କ ଠାରୁ ବର୍ତ୍ତିବା ପାଇଁ ୨ ଜଣ ଛାତ୍ରୀ ନିଜ ମୋବାଇଲ ନମ୍ବର ନଦେଇ କୌଶଳ କ୍ରମେ ଭୁଲ ନମ୍ବର ଡାକିଥିଲେ । ତଥାପି ମଧ୍ୟ ପିଛା ନଛାଡି ବାଲିଚତୁରୀ ଗାଁରେ ପହଞ୍ଚିଯିବା ପରେ ୨ ଜଣ ଛାତ୍ରୀଙ୍କ ମଧ୍ୟରୁ ଜଣେ କୌଶଳ କ୍ରମେ ଗାଁ ଲୋକଙ୍କୁ ଡାକ ପକାଇଥିଲେ ।
ଲୋକେ ଏହି ଦୁଇ ଯୁବକଙ୍କୁଙ୍କୁ ଧରି ଗାଁ ଦାଣ୍ଡରେ ଏହାର କାରଣ ପଚାରିଥିଲେ । ଗାଁର ଯୁବକମାନେ ଏହାକୁ ମୋବାଇଲରେ ରେକର୍ଡିଂ କରି ସୋସିଆଲ ମିଡିଆରେ ଲାଇଭ ଟେଲିକାଷ୍ଟ କରୁଥାଆନ୍ତି । ଛାତ୍ରୀ ଜଣକ କାନ୍ଦି କାନ୍ଦି ଗାଁ ଦାଣ୍ଡରେ ତିହିଡିରୁ ବାଲିଚତୁରୀ ଯାଏ ଏହି ୨ ଯୁବକଙ୍କ ଲୀଳା ଓ ଆଚରଣ ବଖାଣିବା ପରେ ଲୋକେ କ୍ରୋଧାନ୍ୱିତ ହୋଇ ଏମାନଙ୍କ ଦେହରୁ ସାର୍ଟ ଖୋଲି ଆଣ୍ଠେଇ ଆଣ୍ଠେଇ ଚାଲିବାକୁ ବାଧ୍ୟ କରିଥିଲେ । ଏହା ପରେ ଯୁବକମାନଙ୍କ ଉପରେ ହୋଇଥିଲା ନିର୍ଦ୍ଧୁମ ମାଡ଼ । ଜଣାପଡିଲା ଏହି ଯୁବକ ଦୁଇଜଣ ହେଉଛନ୍ତି ମହରମପୁରର ଅକ୍ଷୟ ବେହେରାଙ୍କ ପୁଅ ମନୋଜ ବେହେରା ଓ ନିଙ୍ଗାଡି ଗାଁର ବୈଲୋଚନ ମଳିକଙ୍କ ପୁଅ ଶିବାନନ୍ଦ ମଳିକ । ପୁଲିସ ଦୁଇ ଯୁବକଙ୍କୁ ବାଲିଚତୁରୀ ଗାଁରୁ ଉଦ୍ଧାର କରି ଛାତ୍ରୀଙ୍କ ଏତଲା କ୍ରମେ ମାମଲା ନଂ ୪୭୪/୧୯ ଦଫା ୩୪୧, ୩୨୩, ୨୯୪, ୫୦୬ ଏବଂ ୩୪ ଆଇପିସି ଋଜୁ କରି ଶିବାନନ୍ଦଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ମନୋଜଙ୍କ ବୟସ ଜାଣିବା ପାଇଁ ସ୍କୁଲ ସାର୍ଟିଫିକେଟ ଯାଞ୍ଚ କରୁଛି । ବୟସ ଜାଣିବା ପରେ ନିଷ୍ପତ୍ତି ନିଆଯିବ ବୋଲି ଥାନା ସୂତ୍ରରୁ ଜଣାଯାଇଛି ।


Comments are closed, but trackbacks and pingbacks are open.