ସମ୍ବଲପୁର: ସମ୍ବଲପୁରସ୍ଥିତ ବୈଦିକ ଇଣ୍ଟରନ୍ୟାସନାଲ ସ୍କୁଲ୍ ଇତିହାସରେ ଯୋଡ଼ି ହୋଇଯାଇଛି ଆଉ ଏକ ଗୌରବର ଫର୍ଦ୍ଧ । ସ୍କୁଲର ଯୁକ୍ତ- ୨ (ବିଜ୍ଞାନ) ପ୍ରଥମ ବର୍ଷ ଛାତ୍ର ସାତ୍ତ୍ୱିକ ପରାସର ବେହେରା ଓ ତାଙ୍କ ଟିମ୍ ଦ୍ୱାରା ପ୍ରସ୍ତୁତ ଏସ୍ଆର୍-୭ ରକେଟ୍କୁ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥାନ ନାସା ପକ୍ଷରୁ ସ୍ୱୀକୃତି ମିଳିସାରିଛି । ଖୁବ୍ ଶୀଘ୍ର ଏହି ରକେଟ୍ ଭର୍ଜିନିଆର ୱାଲ୍ଲୁକ୍ ସ୍ପେସ୍ ସେଣ୍ଟରରୁ ଉତ୍କ୍ଷେପଣ ହେବ ବୋଲି ଜଣାପଡ଼ିଛି । ଏହି ପ୍ରକଳ୍ପରେ କୁ୍ୟବ୍ ଡିଜାଇନିଂ ସାତ୍ତ୍ୱିକଙ୍କ ଅଂଶ ରହିଥିବା ସେ କହିଛନ୍ତି । ପୂର୍ବରୁ ମହାକାଶକୁ ଯାଉଥିବା କୌଣସି ମହାକାଶ ଯାନ ହେଉ କି ରକେଟ୍ ହେଉ ସେଗୁଡ଼ିକର ବୋଲ୍ଟଗୁଡ଼ିକ ଅନେକ ସମୟରେ ତରଳି ଯାଉଥିବାରୁ ପରବର୍ତ୍ତୀ ଅବସ୍ଥାରେ ଉକ୍ତ ମହାକାଶ ଯାନଗୁଡ଼ିକ ବିସ୍ଫୋରଣ ହେବାର ନଜିର ରହିଛି । ତେଣୁ ଏଭଳି ପରିସ୍ଥିତି ଏଡ଼ାଇବା ପାଇଁ ସାତ୍ତ୍ୱିକ ସ୍ୱତନ୍ତ୍ର ଭାବେ ବିଭିନ୍ନ ଧାତୁକୁ ନେଇ ପ୍ରସ୍ତୁତ ଏଲୟରେ ଏହି ବୋଲ୍ଟ ତିଆରି କରିଛନ୍ତି । ଯାହା ୧୭୦ ଡିଗ୍ରି ତାପମାନରେ ମଧ୍ୟ ସୁରକ୍ଷିତ ରହୁଥିବା ଜଣାପଡ଼ିଛି । ଏହି ପ୍ରକଳ୍ପକୁ ନେଇ ସାତ୍ତ୍ୱିକ ବେଶ୍ ଖୁସି ଥିବା ବେଳେ ମହାକାଶ ଗବେଷଣା କ୍ଷେତ୍ରରେ ଏହି ଅଭିଯାନ ଜାରି ରହିବ ବୋଲି ଆଶାବ୍ୟକ୍ତ କରିଛନ୍ତି । ସେପଟେ ବୈଦିକ ଇଣ୍ଟରନ୍ୟାସ୍ନାଲ ସ୍କୁଲ ଚେୟାରମ୍ୟାନ୍ ଆନନ୍ଦ ଅଗ୍ରୱାଲ ମଧ୍ୟ ବେଶ୍ ଖୁସି ବ୍ୟକ୍ତ କରିବା ସହ ସାତ୍ତ୍ୱିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଭଳି ଗବେଷଣା କ୍ଷେତ୍ରରେ ବୈଦିକ ଇଣ୍ଟରନ୍ୟାସନାଲ୍ ସ୍କୁଲ ସବୁବେଳେ ନିଜ ପ୍ରଚେଷ୍ଟା ଜାରି ରଖିଛି ଓ ଖୁବ୍ ଶୀଘ୍ର ରାଜ୍ୟର ପ୍ରଥମ ସ୍କୁଲ୍ ଭାବେ ଟେଡ୍-ଏକ୍ସ ଦ୍ୱାରା ଏହା ପଞ୍ଜିକୃତ ହୋଇପାରିଥିବା ଶ୍ରୀ ଅଗ୍ରୱାଲ୍ କହିଛନ୍ତି ।
ନାସା ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏହି ପ୍ରକଳ୍ପକୁ ୭ ଜଣିଆ ଟିମ୍ ପ୍ରସ୍ତୁତ କରିଛନ୍ତି । ଭୁବନେଶ୍ୱରର ୟଙ୍ଗ ଟିଙ୍କର୍ ଏକାଡେମି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏହି ପ୍ରକଳ୍ପରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ର ସାତ୍ତ୍ୱିକଙ୍କ ବ୍ୟତୀତ ବରଗଡ଼ ଜିଲ୍ଲା ବରପାଲିର ଏମ୍ ସାଇକ୍ରୀଷ୍ଣା ଓ ଅନ୍ୟ ୫ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ସମସ୍ତ ଛାତ୍ରଛାତ୍ରୀ ଭିନ୍ନଭିନ୍ନ କ୍ଷେତ୍ରରେ ମାହିର୍ ଥିବା ଜଣାପଡ଼ିଛି । ସାତ୍ତ୍ୱିକଙ୍କ କହିବାନୁସାରେ, ପିଲାବେଳୁ ତାଙ୍କର ଆଷ୍ଟେ୍ରାଫିଜିକ୍ସ ଉପରେ ବେଶ୍ ଇଚ୍ଛା ରହିଆସିଛି । ନିକଟରେ ଏଭଳି ଏକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ମିଳିବା ପରେ ସେ ସ୍କୁଲ କର୍ତ୍ତୃପକ୍ଷଙ୍କ ପରାମର୍ଶ କ୍ରମେ ଏଥିରେ ଯୋଗଦାନ ପାଇଁ ଆବେଦନ କରିଥିଲେ । ଏଥିସହ ସାକ୍ଷାତକାରରେ ଉତ୍ତୀର୍ଣ୍ଣ ହେବା ପରେ ଏହି କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ପ୍ରଥମେ ଏହି ଟିମ୍ ଏଚ୍ଇଆର୍ସି (ହୁ୍ୟମାନ୍ ଏକ୍ସପ୍ଲୋରେସନ୍ ରୋଭର୍ ଚ୍ୟାଲେଞ୍ଜ) ନାମକ ପ୍ରକଳ୍ପ କରି ସଫଳତା ଅର୍ଜନ କରିବା ପରେ ଏହି ଏସ୍ଆର୍-୭ ରକେଟ୍ ପାଇଁ କୁ୍ୟବ୍ସ ଇନ୍ ସ୍ପେସ୍ ନାମକ ପ୍ରକଳ୍ପ ଆରମ୍ଭ କରିଥିବା କହିଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.