ପୁରୀ,(ବି.ବି.ବୁ୍ୟରୋ): ଶନିବାର ଶ୍ରୀକ୍ଷେତ୍ରରେ ସମ୍ପନ୍ନ ହୋଇଛି ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଶେଷ ପର୍ବ । ଆଜି ସକାଳେ କଂସ ମହାରାଜ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମଠକୁ ଆଗମନ ପରେ ମହୋଦଧିରେ ସ୍ନାନ କରି ଅପରାହ୍ନରେ ଶ୍ରୀମନ୍ଦିରକୁ ଯାଇଥିଲେ । ମହାପ୍ରଭୁଙ୍କ ଶରଣ ପଶି ପାପ କ୍ଷୟ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ । କଂସ ଭୂମିକାରେ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି କରିଥିବା ମହାପାପର ପ୍ରାୟଶ୍ଚିତ କରିଥିଲେ ।
୧୧ ଦିନର ବରଗଡ଼ ଧନୁଯାତ୍ରା ସାରି ଆଜି ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ କଂସ ମହାରାଜାଙ୍କ ଭୁମିକାରେ ଅଭିନୟ କରିଥିବା ଅଭିଜ୍ଞ କଳାକାର ଭୁବନେଶ୍ୱର ପ୍ରଧାନ । ଶ୍ରୀ ପ୍ରଧାନ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି କଟୁବାକ୍ୟ ପ୍ରୟୋଗ କରିଥିଲେ । ଏଣୁ ଗୋବର୍ଦ୍ଧନ ମଠରେ ପହଞ୍ଚି ଶିବଙ୍କ ସ୍ୱରୁପ ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ କୃପା ଭିକ୍ଷା କରିଥିଲେ । ପରେ ମହୋଦଧିରେ ସ୍ନାନ କରି ପାପ ମୋଚନ କରିଥିଲେ । ଉତ୍ସବ ସମୟରେ ଧାରଣ କରିଥିବା ପଇତାକୁ ବିସର୍ଜନ କରିଥିଲେ । ସୂର୍ଯ୍ୟପୂଜା କରି ଭଗବାନଙ୍କୁ ସ୍ମରଣ କରିଥିଲେ । ବେଳାଭୂମିରେ ପର୍ଯ୍ୟଟକମାନେ ମହାରାଜା କଂସଙ୍କ ଆଶୀର୍ବାଦ ଲଭିଥିଲେ । ଶେଷରେ ଶ୍ରୀମନ୍ଦିରରେ ଭଗବାନ ଶ୍ରୀକୃଷ୍ଣଙ୍କ ଅବତାର ଶ୍ରୀଜଗନ୍ନାଥଙ୍କୁ ଦର୍ଶନକରି କ୍ଷମା ପ୍ରାର୍ଥନା କରିଥିଲେ । ଏହି ଅବସରରେ ଧନୁଯାତ୍ରା ସମୟର କଂସ ମହାରାଜାଙ୍କ ସଂଳାପ ନାଟକୀୟ ସ୍ଥିତି ସୃଷ୍ଟି କରିଥିଲା ।
Comments are closed, but trackbacks and pingbacks are open.