ମହାପ୍ରଭୁଙ୍କ ଗଜଉଦ୍ଧାରଣ ବେଶ

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ରବିବାର ମାଘ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହ ଗଜଉଦ୍ଧାରଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଶ୍ରୀଜଗନ୍ନାଥ ଚର୍ତୁଭୁଜ ହୋଇ ଶଙ୍ଖ,ଚକ୍ର,ଗଦା ଓ ପଦ୍ମ ଧାରଣ କରିଥିଲେ । ମହାପ୍ରଭୁ ଗରୁଡ଼ ଉପରେ ବସିବା ଭଙ୍ଗୀରେ ଲକ୍ଷ୍ମୀ ପ୍ରତିମାଙ୍କୁ କୋଳରେ ଧାରଣ କରିଥିଲେ । ଶ୍ରୀବଳଭଦ୍ର ଚତୁଃହସ୍ତରେ ଶଙ୍ଖ, ଚକ୍ର, ହଳ ଓ ମୂଷଳ ଧାରଣ କରି ବାସୁଦେବଙ୍କ ରୂପରେ ବିରାଜମାନ ହୋଇଥିଲେ । ଦେବୀ ସୁଭଦ୍ରା ଶ୍ରୀକୃଷ୍ଣଙ୍କ ସଦୃଶ ପାଦଛନ୍ଦି ଏକ ପଦ୍ମ କଢିÿଧରି ରତ୍ନସିଂହାସନରେ ବିଦ୍ୟମାନ ହୋଇଥିଲେ ।
ପଛ ଭଅଣ୍ଡ ପରେ ସର୍ବାଙ୍ଗ ହୋଇ ସନ୍ଧ୍ୟାରେ ଠାକୁରଙ୍କ ବେଶ ଆରମ୍ଭ ହୋଇଥିଲା । ବେଶ୍ ମନମୁଗ୍ଧକର ଥିଲା ଠାକୁରଙ୍କ ଏହି ବେଶ । ଶ୍ରୀଜଗନ୍ନାଥଙ୍କ ସମୀପରେ ଦୁଇଟି ହାତୀ ଦଣ୍ଡାୟମାନ ଥିଲେ । ସେମାନେ ଶୁଣ୍ଢରେ ପଦ୍ମକଢ଼ି ଧରିଥିଲେ । ସିଂହାସନ ତଳକୁ ହାତୀ ଓ କୁମ୍ଭୀର ସଜା ହୋଇଥିଲେ । ଏକ କୁମ୍ଭୀର ହାତୀକୁ ଆକ୍ରମଣ କରିବା ଭଳି ଥିଲା । ଗଜରାଜ ଉଦ୍ଧାର ପାଇଁ ଭଗବାନଙ୍କ ଶରଣ ପଶିବା ଭଙ୍ଗୀରେ ରହିଥିଲେ । ଚୂଳ, କିରୀଟ, କୁଣ୍ଡଳ, ସୂର୍ଯ୍ୟ, ଚନ୍ଦ୍ର, ହତା, ବାଜୁବନ୍ଧ, ହାତଫେର, ଆୟୁଧ, ଶଙ୍ଖ, ଚକ୍ର, ଗଦା, ପଦ୍ମ, ହଳ, ମୂଷଳ, ବାଙ୍କି, ପାହୁଡ଼, ଗୋଡଖଡ଼ୁ, ହାତମାଳ, ନାକଚଣା, ପଦ୍ମକଢ଼ି ଆଦି ଅଳଙ୍କାର ସବୁ ଠାକୁରମାନଙ୍କୁ ଲାଗି କରାଯାଇଥିଲା । ବେଶ ସଂପୂର୍ଣ୍ଣ ପରେ ସନ୍ଧ୍ୟାଧୂପରେ ଖିରି ଓ ଅମାଲୁ ଭୋଗ ଅର୍ପଣ କରାଯାଇଥିଲା । ମହାପ୍ରଭୁଙ୍କୁ ଗଜୋଦ୍ଧାରଣ ବେଶରେ ଦେଖି ଭକ୍ତମାନେ ଭାବ ବିହ୍ୱଳ ହେବାସହ ଗଜେନ୍ଦ୍ର ସ୍ତୁତି ପାଠ କରୁଥିଲେ । ବେଶ ଦର୍ଶନପରେ ଭକ୍ତମାନେ ଠାକୁରଙ୍କ ଅମାଲୁ ଓ ଖିରି ପ୍ରସାଦ ପାଇଥିଲେ । ସୋଲ, ଜରି, ଜମ୍ୱୁରା, କନା, କଇଁଥ ଅଠାରେ ବେଶର ସାଜ ପ୍ରସ୍ତୁତି ହୋଇଥିଲା । ଏସବୁ କୁଶଳୀ କାରିଗରଙ୍କ ଦ୍ୱାରା ନିର୍ମିତ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons