ମହାରାଷ୍ଟ୍ରରେ ୨ ଓଡ଼ିଆ ଶ୍ରମିକଙ୍କ ମୃତ

Get real time updates directly on you device, subscribe now.

କୋରେଇ: ଘରର ପରିସ୍ଥିତି ସୁଧାରିବାକୁ କିଛି ବର୍ଷ ତଳେ ଘର ଛାଡ଼ିଥିଲେ । ବାହାର ରାଜ୍ୟରେ ରହି କାମ କରି ପରିବାର ପ୍ରତିପୋଷଣ କରୁଥିଲେ । ମନର କୋହକୁ ଚାପି ରଖି ବର୍ଷ ବର୍ଷ ଧରି ରକ୍ତକୁ ପାଣି କରି ଖଟୁଥିଲେ । ଘର ପାଇଁ ବହୁତ କିଛି କରିବାର ଆଶା ଥିଲା । ନିଜର ଏକ ସୁନ୍ଦର ଭବିଷ୍ୟତ ଗଢ଼ିବା ପାଇଁ ସ୍ୱପ୍ନ ଦେଖିଥିଲେ । ସବୁ ଆଶା କିନ୍ତୁ ଆଶାରେ ରହିଗଲା । ସବୁ ସ୍ୱପ୍ନ ଅଧାରେ ଅଟକି ଗଲା । କମ୍ପାନୀରେ କାମ କରୁଥିବା ବେଳେ ଦୁର୍ଘଟଣାରେ ଜୀବନ ଗଲା । କଅଁଳ ବୟସରେ ଦୁନିଆ ଛାଡ଼ି ଦେଇଥିବା ଏହି ଦୁଇ ଯୁବକଙ୍କ ପାଇଁ ବଡ଼ବିରୁଅାଁ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି । ଦୁଇ ଯୁବକଙ୍କ ପରିବାର ରୋଜଗାରିଆ ପୁଅଙ୍କୁ ହରାଇ ସ୍ଥାଣୁ ପାଲଟି ଯାଇଛନ୍ତି ।
ସୂଚନା ମୁତାବକ, କୋରେଇ ବ୍ଲକ ଅନ୍ତର୍ଗତ ବଡ଼ବିରୁଅାଁ ଗ୍ରାମର ଜଟାଧାରୀ ପଲାଇଙ୍କ ପୁଅ ହେମନ୍ତ ପଲାଇ(୨୫) ଓ ବେଣୁଧର କବିଙ୍କ ପୁଅ ସରୋଜ କୁମାର କବି(୨୨) କିଛି ବର୍ଷ ହେବ ପରିବାରର ଆର୍ଥିକ ସ୍ଥିତି ସୁଧାରିବାକୁ ଘର ଛାଡ଼ି ବାହାର ରାଜ୍ୟକୁ କାମ ଅନ୍ୱେଷଣରେ ଯାଇଥିଲେ । ବିଭିନ୍ନ ସ୍ଥାନରେ କାର୍ଯ୍ୟ କରିବା ପରେ କିଛି ଦିନ ହେବ ସେମାନେ ମହାରାଷ୍ଟ୍ର ରାଜ୍ୟ ଔରାଙ୍ଗବାଦ୍ର ଜଲ୍ନାସ୍ଥିତ ରାଜୁରୀ ଷ୍ଟିଲ ଟିଏମ୍ଟି ବାର୍ ପ୍ରାଇଭେଟ୍ ଲିମିଟେଡ୍ରେ ଶ୍ରମିକଭାବେ କାର୍ଯ୍ୟ କରୁଥିଲେ । ହେମନ୍ତଙ୍କ ସହ ତାଙ୍କର ଆଉ ଦୁଇ ଭାଇ ପ୍ରଶାନ୍ତ ଓ ଶଶିକାନ୍ତ ମଧ୍ୟ ଉକ୍ତ କମ୍ପାନୀରେ କାର୍ଯ୍ୟରତ ଥିଲେ । ଶନିବାର ନାଇଟ୍ ସିଫ୍ଟରେ ହେମନ୍ତ, ପ୍ରଶାନ୍ତ ଓ ସରୋଜ କମ୍ପାନୀରେ କାମ କରୁଥିଲେ । ଏହି ସମୟରେ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁ ତରଳ ଷ୍ଟିଲ କାର୍ଯ୍ୟ କରୁଥିବା କିଛି ଶ୍ରମିକଙ୍କ ଉପରେ ଢାଳି ହୋଇଯାଇଥିଲା । ଏଥିରେ ହେମନ୍ତ ଓ ସରୋଜଙ୍କର ଘଟଣାସ୍ଥଳରେ ମୃତୁ୍ୟ ହୋଇଯାଇଥିବା ବେଳେ ପ୍ରଶାନ୍ତ ଗୁରୁତର ଆହତ ହୋଇଥିଲେ ।
ପ୍ରଶାନ୍ତଙ୍କୁ ସ୍ଥାନୀୟ ଏକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଏବେ ସୁସ୍ଥ ଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ହେମନ୍ତଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯିବା ପରେ କମ୍ପାନୀ ପକ୍ଷରୁ ଘରକୁ ପଠାଯାଇଛି । ଆଜି ଶବ ଔରଙ୍ଗାବାଦ୍ରୁ ବାହାରିଛି । ସେହିପରି ସରୋଜଙ୍କ ମୃତଦେହ ଆଜି ବ୍ୟବଚ୍ଛେଦ ହୋଇ ପାରିନାହିଁ । ଆସନ୍ତାକାଲି ବ୍ୟବଚ୍ଛେଦ କରାଯାଇ ପଠାଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି । ହେମନ୍ତ ଓ ସରୋଜ ଉଭୟ ଘରର ସାନପୁଅ ଥିଲେ । ଦୁଇଜଣ ଯାକ ଘରର ଗେହ୍ଲା ପୁଅ ଥିଲେ । ଗତବର୍ଷ କୋଭିଡ୍ ସମୟରେ ଦୁହେଁ ଘରକୁ ଆସିଥିଲେ । କୋଭିଡ୍ର ପ୍ରଥମ ଲହରି ପରେ ଦୁହେଁ ପୁଣି ଫେରି ଯାଇଥିଲେ । ଦୁର୍ଗା ପୂଜା ସମୟରେ ସେମାନେ ଘରକୁ ଫେରିବେ ବୋଲି କହିଥିଲେ । ହେଲେ ଏବେ ତାଙ୍କ ଶବ ଘରକୁ ଫେରୁଛି । ଏହି ଖବର ଜାଣିବା ପରେ ଦୁଇ ଯୁବକଙ୍କ ପରିବାର ଲୋକେ ଜଡ଼ ପାଲଟି ଯାଇଛନ୍ତି । କାନ୍ଦ ବୋବାଳିରେ ଗାଁ ଫାଟି ପଡ଼ୁଛି । ସମସ୍ତ ଗ୍ରାମବାସୀ ଗ୍ରାମର ଦୁଇ ଯୁବକଙ୍କ ଶେଷ ଦର୍ଶନ କରିବାକୁ ଚାହିଁ ବସିଛନ୍ତି । ସ୍ଥାନୀୟ ସମିତିସଭ୍ୟ ପ୍ରମୋଦ କୁମାର ସାହୁ, ଯୁବନେତା ସୁଶାନ୍ତ କୁମାର ମହାପାତ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ଲୋକେ ଦୁଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ଏହି ଦୁଇ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons