ମହିଳାଙ୍କୁ ଗାଁ ଦାଣ୍ଡରେ ଘୋଷାରି ପିଟିଲେ

Get real time updates directly on you device, subscribe now.

ରାଜକନିକା,(ବି.ବି.ନୁ୍ୟଜ୍): ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଶୁକ୍ରବାର ଦିନ ରାଜକନିକା ବ୍ଳକ ଅଧୀନ ଡାଳିକାଏନ୍ଦା ଗ୍ରାମରେ ଏକ ଅମାନବୀୟ କାଣ୍ଡ ଘଟିଛି । ଜଣେ ମହିଳାଙ୍କୁ ଗାଁ ଦାଣ୍ଡରେ ଚୁଟି ଧରି ଘୋଷାରି ଘୋଷାରି ମାଡ଼ ମରାଯାଇଛି । କଥା ସେତିକିରେ ଅଟକି ନାହିଁ । ଆକ୍ରମଣକାରୀ ମାନେ ଏତେ ହିଂସ୍ର ହୋଇ ଉଠିଥିଲେ ଯେ ମହିଳାଙ୍କ ମାନସମ୍ମାନକୁ ପଛରେ ପକାଇ ତାଙ୍କ ଲୁଗାପଟା ଚିରାଚିରି କରିଦେଇଥିଲେ । ଯାହାର ଭିଡିଓ ରେକର୍ଡିଂ ଏବେ ସୋସିଆଲ୍ ମିଡିଆରେ ଘୂରି ବୁଲୁଛି । ଏହି ଆକ୍ରମଣର ଶିକାର ହୋଇଥିବା ମହିଳା ଜଣକ ହେଲେ ଡାଳିକାଏନ୍ଦା ଗ୍ରାମର ଶାନ୍ତିଲତା ରାଉତ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଅସନ୍ତୋଷ ବଢ଼ିବାରେ ଲାଗିଛି ।
ସୂଚନା ଅନୁସାରେ ପ୍ରତିପକ୍ଷଙ୍କ ଧମକରେ ୧୦ ଦିନ ତଳେ ଥାନାର ଦ୍ୱାରସ୍ଥ ହୋଇଥିଲେ ଶାନ୍ତିଲତା । ଅପର ପକ୍ଷକୁ ଥାନାକୁ ଡାକି ସମାଧନ କରିବାକୁ ପୁଲିସ କହିକହି ସେହିଦିନ ବିଳମ୍ବିତ ରାତିରେ ମହିଳା ଜଣଙ୍କୁ ତାଙ୍କ ଘରେ ଛାଡ଼ିଥିଲା । ପୁଲିସ ଏହି ଘଟଣାରେ ନିରବଦ୍ରଷ୍ଟା ସାଜିବାରୁ ପ୍ରତିପକ୍ଷ ଅଧିକ ଶକ୍ତିଶାଳୀ ହୋଇ ଉଠିଥିଲେ । ଆଜି ଉକ୍ତ ମହିଳାଙ୍କୁ ୨ ଜଣ ପୁରୁଷ ଓ ଜଣେ ମହିଳା ଗାଁ ଦାଣ୍ଡରେ ମାଡ଼ ମାରିବା ଘଟଣା ପରେ ବି ପୁଲିସ ଚୁପ୍ ରହିଛି । ଘଟଣାରୁ ପ୍ରକାଶ ଯେ, ରାଜକନିକା ଥାନା ଅଧୀନ ଡାଳିକାଏନ୍ଦା ଗ୍ରାମର ଶାନ୍ତିଲତା ରାଉତଙ୍କୁ ଆଜି ଅପରପକ୍ଷର ବିକ୍ରମ ଗୁରୁ, ବସନ୍ତ ଗୁରୁ ଏବଂ ସୁଭଦ୍ରା ଗୁରୁ ଗାଁ ଦାଣ୍ଡରେ ଟାଣି ଟାଣି ମାଡ଼ ମାରିବା ସହିତ ତାଙ୍କ ଲୁଗାପଟା ଚିରି ଦେଇଥିଲେ । ଏହି ଘଟଣା ଆଜି ସକାଳେ ଘଟିଥିବାବେଳେ ଘଟଣା ପରେ ପରେ ଗ୍ରାମର କିଛି ଯୁବକଙ୍କ ହସ୍ତକ୍ଷେପ ପରେ ଶାନ୍ତିଲତା ଉଦ୍ଧାର ହୋଇଥିଲେ । ପୂର୍ବରୁ ଲାଗି ରହିଥିବା ଜମିଜମା ବିବାଦର ସମାଧାନ ନକରି ତାଙ୍କ ପ୍ରତିପକ୍ଷ ବିକ୍ରମ ଓ ବସନ୍ତ କୋଦାଳ ଆଣି ଶାନ୍ତିଲତାଙ୍କ ଘରେ ଆଗରେ ମାଟି ଖୋଳୁଥିଲେ । ଶାନ୍ତିଲତା ଏହାର ପ୍ରତିବାଦ କରିଥିଲେ । ଥାନା ଓ ତହସିଲରେ ମାମଲା ଥିବାବେଳେ କ’ଣ ପାଇଁ ତୁମେ ଏଠାରେ ମାଟି ଖୋଳୁଛ ବୋଲି ସେ କହିଥିଲେ । ଏଥିରେ ଉତ୍କ୍ଷୀପ୍ତ ହୋଇ ବିକ୍ରମ ଓ ବସନ୍ତ ତାଙ୍କ ପତ୍ନୀ ସୁଭଦ୍ରା ମିଳିତ ଭାବେ ଶାନ୍ତିଲତାଙ୍କ ଚୁଟି ଧରି ତଳେ ପକାଇ ଦେଇ ମାଡ଼ ମାରିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା କିଛି ଯୁବକ ଘଟଣାକୁ ମୋବାଇଲ୍ରେ ରେକର୍ଡିଂ କରିଥିଲେ । ବାରମ୍ବାର ନ୍ୟାୟ ପାଇଁ ଥାନାକୁ ଦୌଡ଼ୁଥିବା ମହିଳାଙ୍କୁ ଆଜି ମାଡ଼ ମରାଯିବା ପରେ ବି ପୁଲିସ ବେଫିକର ରହିଥିବାରୁ ଘଟଣାକୁ ନେଇ ରାଜକନିକା ପୁଲିସକୁ ଦୃଢ଼ ନିନ୍ଦା କରାଯାଇଛି । ଏହା ସହିତ ତୁରନ୍ତ ଶାନ୍ତିଲତାଙ୍କୁ ନ୍ୟାୟ ଦେବାକୁ ସ୍ଥାନୀୟ ଗ୍ରାମବାସୀମାନେ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons