ମହିଳାଙ୍କୁ ମିଳୁନି ବିଧବା ଭତ୍ତା

Get real time updates directly on you device, subscribe now.

କୁନ୍ଦୁରା: ସ୍ୱାମୀଙ୍କ ମୃତୁ୍ୟକୁ ଏ ଭିତରେ ବିତିଯାଇଛି ଦୀର୍ଘ ୬ ମାସ । ତଥାପି ବିଧବାଙ୍କୁ ମିଳୁନି ଭତ୍ତା । ଏହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି କୁନ୍ଦୁରା ବ୍ଲକ୍ ଗୁଣ୍ଡାଳ ପଞ୍ଚାୟତ ପ୍ରଧାନୀଗୁଡା ଗାଁର ଗୁପ୍ତା ଗୌଡ଼(୫୦) । କୁଲି ମଜୁରି ଲାଗି ସେ ଏକାକି ଜୀବନ ଯୁଦ୍ଧରେ ସଂଘର୍ଷ କରି ଚାଲିଛନ୍ତି । ଯୋଗ୍ୟ ହିତାଧିକାରୀ ହୋଇଥିଲେ ବି ଆଜିପର୍ଯ୍ୟନ୍ତ ତାଙ୍କୁ ଭତ୍ତା ପ୍ରଦାନ କରାଯାଇନାହିଁ । ବ୍ଲକ୍ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ସେ ନିବେଦନ କରିଛନ୍ତି ।
ଗୁପ୍ତାଙ୍କ ସୂଚନା ଅନୁଯାୟୀ, ଗୋଟିଏ ଝିଅ ଓ ସ୍ୱାମୀଙ୍କୁ ନେଇ ତାଙ୍କର ହସଖୁସିର ସଂସାର ଥିଲା । ୬ ମାସ ତଳେ ହଠାତ୍ ସ୍ୱାମୀ ନୀଳକଣ୍ଠ ଗୌଡ଼ଙ୍କ ମୃତୁ୍ୟ ହୋଇଥିଲା । ସେବେଠାରୁ ସେମାନଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗିପଡିଛି । ବହୁ କଷ୍ଟରେ ଝିଅକୁ ବିବାହ କରାଇବା ପରେ ସେ ଏକାକି ରହି ଆସୁଛନ୍ତି । ଜମିବାଡି ବୋଲି କିଛି ନାହିଁ । ଭଙ୍ଗାଦଦରା ଘରେ ମୁଣ୍ଡ ଗୁଞ୍ଜିଛନ୍ତି । କୁଲି କାମ କଲେ ବି ଦିନକୁ ଦୁଇଓଳି ଗଣ୍ଡେ ଖାଇବାକୁ ମିଳୁନାହିଁ । ବର୍ଷାଦିନେ ଚାଷ ସମୟରେ କିଛିଦିନ କୁଲି କାମ ମିଳୁଛି । ସରକାରୀ ସହାୟତା କହିଲେ ୫ କେଜି ଚାଉଳ । ସେହି ଚାଉଳରେ ୮ରୁ ୧୦ ଦିନ କଷ୍ଟେମଷ୍ଟେ ଚଳିଯାଉଛନ୍ତି । ବଳକା ଦିନରେ ଗାଁ ଲୋକଙ୍କ ହାତଟେକାରେ ବଞ୍ଚି ରହିଛନ୍ତି । ଆଗରୁ ସ୍ୱାମୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁଥିଲା । ସେହି ଟଙ୍କାରେ ବହୁ କଷ୍ଟରେ ଚଳିଯାଉଥିଲେ । ତାଙ୍କ ମୃତୁ୍ୟ ପରେ ଅଭାବ ଅନଟନ ମଧ୍ୟରେ ପ୍ରତିଟି ଦିନ ବିତୁଥିଲେ ହେଁ, ବିଧବା ଭତ୍ତା ଟଙ୍କା ପ୍ରଦାନ କରିବାରେ ଅବହେଳା କରାଯାଇଛି । ଭତ୍ତା ପାଇଁ ଆବଶ୍ୟକ କାଗଜପତ୍ର ପଞ୍ଚାୟତ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି । କିନ୍ତୁ ଆଜିପର୍ଯ୍ୟନ୍ତ ଭତ୍ତା ପ୍ରଦାନ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନଥିବା ସେ କୋଭଭରା ସ୍ୱରରେ କହିଛନ୍ତି ।
ଏ ସମ୍ପର୍କରେ ଆମେ ପିଇଓ ରାଜେନ୍ଦ୍ର ପାତ୍ରଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ବର୍ତ୍ତମାନ ସରକାରୀ ନିୟମ ଅନୁଯାୟୀ ଅନ୍ଲାଇନ୍ ମାଧ୍ୟମରେ ନାଁ ପଞ୍ଜୀକରଣ କଲାପରେ ହିତାଧିକାରୀ ଚୟନ କରାଯାଉଛି । ସେ ଅନ୍ଲାଇନ୍ରେ ଆବେଦନ କରିନାହାନ୍ତି । ତେଣୁ ତାଙ୍କୁ ଭତ୍ତା ମିଳିପାରି ନାହିଁ । ସେ ୱାର୍ଡସଭ୍ୟଙ୍କ ଦ୍ୱାରା ଅନ୍ଲାଇନ୍ରେ ନାଁ ପଞ୍ଜୀକରଣ କଲେ ଭତ୍ତା ଯୋଗାଇ ଦେବା ବ୍ୟବସ୍ଥା କରାଯିବ । କେବଳ ସେ ଜଣେ ନୁହଁନ୍ତି, ପଞ୍ଚାୟତରୁ ୨୫ରୁ ୩୦ଜଣ ଯୋଗ୍ୟ ହିତାଧିକାରୀ ଅନ୍ଲାଇନ୍ରେ ନାଁ ପଞ୍ଜୀକରଣ କରିପାରି ନଥିବାରୁ ସେମାନଙ୍କୁ ଭତ୍ତା ଟଙ୍କା ମିଳିପାରି ନଥିବା ଅଭିଯୋଗ ହୋଇଛି । ଏଭଳି କାର୍ଯ୍ୟରେ ଲୋକଙ୍କୁ ସହଯୋଗ କରିବା ୱାର୍ଡସଭ୍ୟ ସଭ୍ୟାଙ୍କ ଦାୟିତ୍ୱ । କିନ୍ତୁ ସେମାନେ କରୁ ନଥିବାରୁ କେବଳ ଭତ୍ତା ନୁହେଁ, ଗୋÂୀ କାର୍ଯ୍ୟଗୁଡିକ ମଧ୍ୟ ହୋଇପାରୁ ନଥିବା ଗ୍ରାମବାସୀ କହିଛନ୍ତି ।

ରିପୋର୍ଟ: ସତ୍ୟ ନାରାୟଣ ସାହୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons