ନୂଆଗାଁ,(ବି.ବି.ନୁ୍ୟଜ୍): ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ହାତୀବାରି ଥାନା ଅନ୍ତର୍ଗତ କୋକେରମା ପଞ୍ଚାୟତରେ କରଞ୍ଜିଆ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ମହିଳା ବୃଦ୍ଧାଙ୍କ ତଣ୍ଟି ଚିପି ହତ୍ୟା କରିଥିବା ଜଣାପଡ଼ିଛି ।
କରଞ୍ଜିଆ ଗ୍ରାମରେ ରହୁଥିବା ସୁମିତ୍ରା ତୁରୀ (୨୫)ଙ୍କ ଦେଢ଼ ବର୍ଷର ଝିଅ ଥିବା ବେଳେ ତାଙ୍କ ସ୍ୱାମୀ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଛନ୍ତି । ସେହି ଗ୍ରାମରେ ରହୁଥିବା ସୁଗନ ତୁରୀ (୬୦) ନିଜ ଘରୁ ଉଠି କୌଣସି କାମରେ ବାହାରକୁ ବାହାରିଥିଲେ । ଏହି ସମୟରେ ସୁମିତ୍ରା ହଠାତ ତାଙ୍କ ପାଖକୁ ଦୌଡ଼ି ଆସି ତାଙ୍କୁ ଧକ୍କା ଦେଇ ତଳେ ପକାଇ ଦେଇଥିଲେ । ସୁଗନ ତଳେ ପଡ଼ି ଯିବା ପରେ ତାଙ୍କ ଛାତିକୁ ମାଡ଼ି ବସି ତଣ୍ଟିକୁ ଚିପି ଦେଇଥିଲେ । ଏପରିକି ସୁଗନଙ୍କ ବେକ ଓ ଆଖିକୁ ଦାନ୍ତରେ କାମୁଡ଼ି ରକ୍ତାକ୍ତ କରି ପକାଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ସୁଗନଙ୍କ ମୃତୁ୍ୟ ଘଟିଥିଲା । ଆଜି ଭୋର ସମୟରେ ଗାଁ ଲୋକ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ସୁମିତ୍ରାଙ୍କୁ ଘରକୁ ଯାଇ ତାଙ୍କୁ ଗୋଟିଏ କୋଠରିରେ ବନ୍ଦ କରି ପୁଲିସ୍କୁ ଖବର ଦେଇଥିଲେ । ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତ ସୁଗନଙ୍କ ଶବ ଜବତ କରିବା ସହ ସୁମିତ୍ରାଙ୍କୁ ଗିରଫ କରିଛି । ପୁଲିସ୍ର କହିବାନୁସାରେ କିଛି ଦିନ ହେବ ସୁମିତ୍ରାଙ୍କ ମସ୍ତିଷ୍କ ବିକୃତ ରହିଛି । ଏପରିକି ଗତକାଲି ସକାଳେ ସୁମିତ୍ରାଙ୍କ ଶ୍ୱଶୁର ଘର ଲୋକେ ନିକଟସ୍ଥ ଗ୍ରାମକୁ ଝଡ଼ାଫୁଙ୍କା କରିବା ଲାଗି ନେଇଥିଲେ । ତେବେ କଣ ପାଇଁ ସୁଗନଙ୍କୁ ସୁମିତ୍ରା ହତ୍ୟା କଲେ ତାହା ବର୍ତ୍ତମାନ ଯାଏ ସ୍ପଷ୍ଟ ହୋଇ ନାହିଁ । ପୁଲିସ୍ ଘଟଣାର ତଦନ୍ତ ଚଳାଇଛି ।
Comments are closed, but trackbacks and pingbacks are open.