ମହିଳାଙ୍କ ଠାରୁ ୯୦ହଜାର ଲୁଟ୍

Get real time updates directly on you device, subscribe now.

ବାରିପଦା,(ବି.ବି.ନୁ୍ୟଜ୍): ଦିନ ଦ୍ୱିପହରେ ମହିଳାଙ୍କ ଠାରୁ ଲୁଟ୍ । ବ୍ୟାଙ୍କରୁ ଟଙ୍କା ଉଠାଇ ମହିଳା ଜଣକ ଘରକୁ ଫେରୁଥିବାବେଳେ ତାଙ୍କ ଠାରୁ ବ୍ୟାଙ୍କ ସମ୍ମୁଖ ୯୦ ହଜାର ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି । ଲୁଟରେ ଶିକାର ମହିଳା ଟାଉନ୍ ଥାନା ଅନ୍ତର୍ଗତ ଯମୁନାଦେଇପୁର ଅଞ୍ଚଳର ବିଳାସୀ ମହାନ୍ତ ।
ବୁଧବାର ବିଳାସୀ ମହାନ୍ତ ନିଜର ଘର କାମ ପାଇଁ ବ୍ୟାଙ୍କରୁ ଜମା ଟଙ୍କା ଉଠାଇବକୁ ସ୍ଥାନୀୟ ଭଞ୍ଜପୁର ସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଶାଖାକୁ ଆସିଥିଲେ । ବ୍ୟାଙ୍କରୁ ସେ ୯୦ ହଜାର ଟଙ୍କା ଉଠାଇ ସେ ବ୍ୟାଗ୍ରେ ରଖି ପ୍ରାୟ ଅପରାହ୍ନ ୨ଟାବେଳେ ଫେରୁଥିଲେ । ସେ ବାହାରକୁ ବାହାରି କିଛି ବାଟ ଯାଇଛନ୍ତି ବ୍ୟାଙ୍କ ସାମନାରେ ହିଁ ୨ ଜଣ ଯୁବକ ଏକ ବାଇକ୍ରେ ଆସି ବ୍ୟାଗଟିକୁ ତାଙ୍କ ହାତରୁ ଝାମ୍ପି ନେଇଥିଲେ । ଦୁର୍ବୃତ୍ତମାନେ ବ୍ୟାଗ ଲୁଟିବା ବେଳେ ମହିଳା ଜଣଙ୍କ ଚିକ୍ରାର କରିଥିଲେ ମଧ୍ୟ ଲୁଟେରାମାନେ ବ୍ୟାଗକୁ ଧରି ଚମ୍ପଟ ମାରିବାକୁ ସକ୍ଷମ ହୋଇଥିଲେ । ବ୍ୟାଗରେ ନଗଦଟଙ୍କା ସହିତ ବ୍ୟାଙ୍କ ପାସ୍ ବୁକ୍, ମୋବାଇଲ ସମେତ ବିଭିନ୍ନ ଦରକାରୀ କାଗଜପତ୍ର ଥିବା ବିଳାସୀ ଏତଲାରେ ଦର୍ଶାଇଛନ୍ତି ।
ଲୁଟ୍ ଖବର ପାଇ ତୁରନ୍ତ ବାରିପଦା ଟାଉନ୍ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ବ୍ୟାଙ୍କର ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା । ହେଲେ ଲୁଟେରାମାନଙ୍କୁ ଚିହ୍ନଟ କରିପାରି ନ ଥିଲା । ଫଳରେ ବ୍ୟାଗ୍ରେ ଥିବା ମୋବାଇଲ ନମ୍ବରକୁ ଟ୍ରାକିଂ କରି ପୁଲିସ୍ ଲୁଟେରାଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିବା ପୁଲିସ୍ ପକ୍ଷରୁ କୁହାଯାଇଛି । ଏନେଇ ପୁଲିସ୍ ୩୮୧/୧୯ରେ ଏକ ମାମଲା ରୁଜୁ କରିଛି ।
ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାକୁ ରାତି ପାହିଲେ ଜିଲ୍ଲା ତଥା ଜିଲ୍ଳା ବାହାରୁ ବିଭିନ୍ନ ପ୍ରାନ୍ତରୁ ଲୋକମାନେ ଆସନ୍ତି । ଏମିତିକି ପଡେ଼ାଶୀ ରାଜ୍ୟ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରୁ ଅନେକ ଲୋକ ବାରିପଦାକୁ ଯାତାୟାତ କରିଥାନ୍ତି । ତେବେ ବାହାର ରାଜ୍ୟର ଅନୁପ୍ରବେଶକାରୀଙ୍କ ସଂଖ୍ୟା ଯେତେ ବଛୁଛି, ବାରିପଦାରେ ଚୋରି, ଡକାୟତି, ଲୁଟ୍ ସେତିକି ବଢିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ସହରରେ ଅପରାଧ ରୋକିବା ପାଇଁ ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଇବାକୁ ବୁଦ୍ଧିଜୀବୀମାନେ ଦାବି କରିଆସୁଛନ୍ତି । ହେଲେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଉନାହିଁ । ଅପରାଧୀମାନେ ସହର ମଧ୍ୟରେ ଅପରାଧ ଘଟାଇ ସହଜରେ ଖସିଯିବାକୁ ସକ୍ଷମ ହେଉଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons