
ନୂଆଦିଲ୍ଲୀ : ଦେଶର ପ୍ରଥମ ପୂଣ୍ଣ ର୍କାଳୀନ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ତାଙ୍କର ପ୍ରଥମ ବଜେଟ୍ ଆଗତ କରିବାକୁ ଯାଉଛନ୍ତି । ତେଣୁ ଏହାକୁ ନେଇ ଦେଶର ମହିଳାମାନେ ଅନେକ କିଛି ଆଶା ରଖିଛନ୍ତି । ଜଣେ ମହିଳା ହୋଇଥିବାରୁ ଅର୍ଥମନ୍ତ୍ରୀ ଦେଶର ମହିଳାଙ୍କ ମନକୁ ଜାଣିବା ଭଳି ଯୋଜନା ଆଣିବେ ବୋଲି ଆଶା । ତା’ଛଡ଼ା ବଜେଟ୍ ପୂର୍ବରୁ ସୀତାରମଣ ମହିଳାଙ୍କଠାରୁ ମଧ୍ୟ ମତାମତ ହାସଲ କରିଥିଲେ । ମହିଳା ଉଦ୍ୟୋଗୀଙ୍କ ପାଇଁ ବଜେଟ୍ରେ ଭଲ ବ୍ୟବସ୍ଥା କରାଯାଇପାରେ । ଏକ ସର୍ଭେ ଦର୍ଶାଇଛି ଯେ ଭାରତରେ ଘରେ ବସିଥିବା ୪୮% ମହିଳା ସବୁବେଳେ ନିଜସ୍ୱ ବ୍ୟବସାୟ ଆରମ୍ଭ କରିବାକୁ ସ୍ୱପ୍ନ ଦେଖିଥାନ୍ତି । ତେଣୁ ନିଜସ୍ୱ ଉଦ୍ୟୋଗ ସ୍ଥାପନ ପାଇଁ ସେମାନଙ୍କୁ ସୁଯୋଗ ଦିଆଯାଇପାରେ । କିନ୍ତୁ ଦକ୍ଷତା ଓ କୌଶଳ ଅଭାବ ଯୋଗୁ ଉଦ୍ୟୋଗ ଚଳାଇବା କଷ୍ଟକର ବ୍ୟପାର ହୋଇଥିବାରୁ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା ଆଣିବେ ବୋଲି ଆଶା କରାଯାଉଛି । ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ‘ଷ୍ଟେପ୍’ (ତାଲିମ ଓ ନିଯୁକ୍ତି କାର୍ଯ୍ୟକ୍ରମ ପାଇଁ ସହଯୋଗ) ଅଧୀନରେ ବ୍ୟୟବରାଦ ବଢ଼ିବା ସମ୍ଭାବନା ବେଶ୍ ଅଧିକ ରହିଛି । ଏହାବ୍ୟତୀତ ମହିଳାଙ୍କ ସୁରକ୍ଷା ପାଇଁ ବଜେଟ୍ରେ ଅଧିକ ବ୍ୟୟବରାଦ କରାଯାଇପାରେ । ବିଶେଷକରି ପ୍ରଯୁକ୍ତିଗତ ବ୍ୟବସ୍ଥା ଆଣି ମହିଳାଙ୍କ ସୁରକ୍ଷାକୁ ଅଧିକ ସୁନିଶ୍ଚିତ କରାଯିବ । ଦେଶର ଶ୍ରମଶକ୍ତିରେ ମହିଳାଙ୍କ ଯୋଗଦାନ ବୃଦ୍ଧି ପାଇଁ ସ୍ୱତନ୍ତ୍ର ଯୋଜନା କିମ୍ବା ଅଧିକ ବ୍ୟୟବରାଦ କରାଯାଇପାରେ । ଏହାବ୍ୟତୀତ ମହିଳା ଟିକସଦାତାଙ୍କ ପାଇଁ ଆୟକର ଛାଡ଼ ସୀମା ବୃଦ୍ଧି କରାଯାଇପାରେ । ଅନ୍ତରୀଣ ବଜେଟ୍ରେ ଇପିଏଫ୍କୁ ମହିଳାଙ୍କ ଯୋଗଦାନ ପ୍ରଥମ ତିନିବର୍ଷ ପାଇଁ ୧୨% ରୁ ୮%କୁ ହ୍ରାସ କରାଯାଇଥିଲା । ଏଥର ବଜେଟ୍ରେ ତାହା ବଳବତ୍ତର ରହିବ ବୋଲି ଆଶା କରାଯାଉଛି । ସାଧାରଣତଃ ପୁରୁଷଙ୍କ ତୁଳନାରେ ମହିଳାଙ୍କ ଆୟ କମ୍ ରହୁଥିବାରୁ ସେମାନଙ୍କ ଟିକସ ଛାଡ଼ ସୀମା ବୃଦ୍ଧି କରାଯିବା ଉପରେ ବିଚାର କରାଯିବ ବୋଲି ଜଣାପଡ଼ିଛି ।
Comments are closed, but trackbacks and pingbacks are open.