ବ୍ରହ୍ମପୁର,(ବି.ବି.ନୁ୍ୟଜ): ଅପରାଧ ଓ ଅପରାଧୀ ମୁକ୍ତ ଗଞ୍ଜାମ ଅଭିଯାନ ପୁଣି ଆରମ୍ଭ ହୋଇଛି । ‘କ୍ଲିନ୍ କ୍ରାଇମ୍ ଏଣ୍ଡ କ୍ରିମିନାଲ୍’ ଅପରେସନ୍ରେ ବଡ଼ ସଫଳତା ହାସଲ କରିଛି ଆସିକା ଉପଖଣ୍ଡ ପୁଲିସ । ୧୫ଦିନର ଅପରେସନ୍ରେ ପୁଲିସ ୮ଜଣ ଦୁର୍ଦ୍ଧାନ୍ତ ଅପରାଧୀଙ୍କୁ ଗିରଫ କରି ସେମାନଙ୍କ ଠାରୁ ଜବତ କରିଛି ୧୦ଟି ମାଉଜର, ୫୩ଟି ଜୀବନ୍ତ ଗୁଳି ଓ ୧୨ଟି ବୋମା । ଆଠଜଣ ଅଭିଯୁକ୍ତଙ୍କ ପାଖରୁ ୧୦ଟି ମାଉଜର ମିଳିବା ଘଟଣାରୁ ସ୍ପଷ୍ଟ ଯେ, ଆସିକା ଉପଖଣ୍ଡ ମାଉଜରର ଗଦା ହୋଇଛି । ଯେଉଁ ଅପରାଧୀଙ୍କୁ ହାତ ମାରିଲେ ମାଉଜର ମିଳୁଛି ।
ଏହି ପନ୍ଦର ଦିନିଆ ଅପରେସନ୍ର ଖୁଲାସା କରିଛି ଉପଖଣ୍ଡ ପୁଲିସ । ଆସିକା ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପରୋକ୍ତ ତଥ୍ୟ ଦେଇଛନ୍ତି ଗଞ୍ଜାମ ଏଏସ୍ପି ବିଜୟ କୁମାର ମଲ୍ଲିକ । ଧରାକୋଟ ଥାନା ଅନ୍ତର୍ଗତ ବାଦଗଡ ଗ୍ରାମର ମୂରଲୀଧର ବିଷୋୟୀ, ଜାହାଡା ଗ୍ରାମର ଭଗବାନ ସ୍ୱାଇଁ ଓ ବିଶ୍ୱଜିତ ନାୟକ, ଗାଙ୍ଗପୁର ଥାନା ଅନ୍ତର୍ଗତ ବାଡୁଳା ଗ୍ରାମର ଦିଲ୍ଲୀପ ଗୌଡ଼, ପଣିବନ୍ଧ ଗ୍ରାମର ଟୁକୁନା ସ୍ୱାଇଁ, କଳସୂତା ଗ୍ରାମର ମାଧବ ଗୌଡ଼ ଓ ବଡ଼ଗଡ଼ ଥାନା ଅନ୍ତର୍ଗତ ଗାଙ୍ଗପୁର ଗ୍ରାମର ଶଙ୍କର ବିଷୋୟୀ ଓ ବିନୟ ସାହୁଙ୍କୁ ଗିରଫ କରାଯାଇଥିବା ଏଏସ୍ପି ମଲ୍ଲିକ ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କ ଠାରୁ ୧୦ଟି ମାଉଜର, ୫୩ଟି ଜୀବନ୍ତ ଗୁଳି ଓ ୧୨ଟି ବୋମା ସହ ୨ଟି ଲେଖାଁଏ ଖଣ୍ଡା, ଛୁରୀ, ଫାର୍ସା, ବାଇକ୍ କ୍ରାଙ୍କରେ ନିର୍ମିତ ଲୁହା ଅସ୍ତ୍ର, ୪ ମୋଟର ସାଇକେଲ ଜବତ ହୋଇଥିବା ସେ ସୂଚନା ଦେଇଛନ୍ତି । ଗିରଫ ସମସ୍ତ ଅଭିଯୁକ୍ତଙ୍କ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ହତ୍ୟା, ହତ୍ୟା ଉଦ୍ୟମ ଡକାୟତି, ରାହାଜାନୀ ଓ ଦାଦାବଟି ଆଦାୟ ନେଇ ବହୁ ସଙ୍ଗୀନ ଧାରାରେ ମକଦ୍ଧମା ରହିଥିବା କହିଛନ୍ତି ଏଏସ୍ପି ମଲ୍ଲିକ । ସାଧାରଣ ଅପରାଧୀଙ୍କ ପାଖରେ ଏତେ ସଂଖ୍ୟାରେ ମାଉଜର ଓ ଗୁଳି ଏବଂ ମାରଣାସ୍ତ୍ର ମିଳିବା ରାଜ୍ୟ ପୁଲିସ ଇତିହାସରେ ପ୍ରଥମ ଘଟଣା ବୋଲି ଏଏସ୍ପି କହିଛନ୍ତି । ଜବତ ମାଉଜର ଓ ଗୁଳି ବିହାର ମୁଙ୍ଗେର ଅଞ୍ଚଳରୁ ଆସିଥିବା ତଦନ୍ତ ସମୟରେ ଜଣାପଡିଛି ବୋଲି କହିଛନ୍ତି ଆସିକା ଥାନା ଆଇଆଇସି ପ୍ରଶାନ୍ତ କୁମାର ସାହୁ । ଏତେ ସଂଖ୍ୟକ ମାଉଜର ଯୋଗାଉଥିବା ଅପରାଧୀ ଉପରେ ପୁଲିସ ନଜର ରହିଛି ଏବଂ ତାଙ୍କୁ ଧରିବାକୁ ପୁଲିସ ସ୍ୱତନ୍ତ୍ର ଟିମ୍ ଗଠନ କରିଥିବା ସେ କହିଛନ୍ତି ।
ପେସାଦାର ଅପରାଧୀଙ୍କୁ ଦମନ କରିବା ନେଇ ଆସିକା ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରାଯାଇଥିଲା । ଆସିକା ଥାନା ଆଇଆଇସି ପ୍ରଶାନ୍ତ କୁମାର ସାହୁ, ଏସ୍ଆଇ ବିଶ୍ୱଜିତ ନାୟକ, ପ୍ରଦୀପ ସାହୁ, ଡି.ରବିନ୍, ସୁବ୍ରତ ନାୟକ, ନିର୍ମଳ ତରାଇ, ଟୁକୁନା ସେଠୀ, ମୁକ୍ତି ପ୍ରଧାନ ପ୍ରମୁଖ ଏହି ଚଢ଼ାଉ ଅଭିଯାନରେ ସାମିଲ ଥିଲେ । ରବିବାର ସାମ୍ବାଦିକ ସମ୍ମିଳନୀରେ ପ୍ରୋବେସନ ଆଇପିଏସ ଅଧିକାରୀ ରାଘବେନ୍ଦ୍ର ଗୁଣ୍ଡାଲା, ଏସଡିପିଓ ପ୍ରଧାନ, ଆସିକା ଆଇଆଇସି ପ୍ରଶାନ୍ତ ସାହୁ, ଧରାକୋଟ ଆଇଆଇସି ସନ୍ତୋଷ ବେହେରା ଓ ବଡ଼ଗଡ଼ ଥାନା ଆଇଆଇସି ପ୍ରତାପ ଚନ୍ଦ୍ର ତ୍ରିପାଠୀ ଉପସ୍ଥିତ ଥିଲେ । ଆସିକା ଥାନା କେସ ନମ୍ବର ୬୩୪/୨୦୨୦ ରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ଗ୍ୟାଙ୍ଗ ସହ ଅନ୍ୟ କେଉଁ ମାନଙ୍କର ସଂପୃକ୍ତି ଅଛି ପୁଲିସ ଖୋଳତାଡ଼ କରୁଥିବା ଜଣାଯାଇଛି । ଏକ କାଳୀନ ବିପୁଳ ପରିମାଣର ପିସ୍ତଲ, ଗୁଳି, ବୋମା ଓ ମାରଣାସ୍ତ୍ର ଜବତ ରାଜ୍ୟ ପୁଲିସ ପାଇଁ ପ୍ରଥମ ବୋଲି ମଲ୍ଲିକ କହିଛନ୍ତି । ବେଆଇନ ଭାବେ ଜିଲ୍ଲାକୁ ବିପୁଳ ପରିମାଣର ମାଉଜର, ଗୁଳି ଓ ମାରଣାସ୍ତ୍ର ଯୋଗାଣ ହୋଉଥିବା ସ୍ପଷ୍ଟ ହୋଇଛି । ଅପରାଧ ଓ ଅପରାଧୀ ମୁକ୍ତ ଅଭିଯାନ ଜାରି ରହିବ । ଜନ ସାଧାରଣଙ୍କୁ ସୁରକ୍ଷା ଦେବା ସହ ଅପରାଧୀଙ୍କୁ ତଡ଼ିପାର କରିବାକୁ ପୁଲିସ ଏହି ଅପରେସନ୍ ଜାରି ରଖିବ ବୋଲି କହିଛନ୍ତି ।
Comments are closed, but trackbacks and pingbacks are open.