ମାଲକାନଗିରି,(ବି.ବି.ନୁ୍ୟଜ୍): ସମଗ୍ର ବିଶ୍ୱ କରୋନା ଆତଙ୍କରେ ଥିବା ବେଳେ ଛତିଶଗଡ଼ରେ ଲାଲ୍ ଆତଙ୍କ । ସୁକମା ପୁଲିସ୍କୁ ମିଳିଛି ବଡ଼ ଧକ୍କା । ମାଓବାଦୀଙ୍କ ଆମ୍ବୁସ୍ରେ ପଡ଼ି ସହିଦ ହୋଇଛନ୍ତି ୧୭ ଯବାନ ଏବଂ ଅନ୍ୟ ୧୫ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଅଛନ୍ତି ୧୨ଜଣ ଡିଆର୍ଜି ଓ ୫ଜଣ ଏସ୍ଟିଏଫ୍ ଯବାନ । ସେମାନଙ୍କ ପାଖରୁ ୧୫ଟି ଅସ୍ତ୍ରଶସ୍ତ୍ର ଲୁଟି ନେଇଛନ୍ତି ମାଓବାଦୀ । ସେ ଭିତରେ ରହିଛି ୧୨ଟି ଏକେ-୪୭, ଇନସାସ୍ ରାଇଫଲ୍, ଆସଲ୍ଟ ରାଇଫଲ୍ ଏବଂ ଗ୍ରେନେଡ୍ ଲଞ୍ଚର୍ (ୟୁବିଜିଏଲ୍) । ମାଓବାଦୀ ଓ ପୁଲିସ୍ ମଧ୍ୟରେ ଗୁଳି ବିନିମୟର ୨୪ ଘଣ୍ଟା ପରେ ସୁକ୍ମାର ଚିନ୍ତାଗୁମ୍ଫା ଓ ଏହାର ଆଖପାଖ ଜଙ୍ଗଲରୁ ଜବତ ହୋଇଛି ସମସ୍ତ ୧୭ ଯବାନଙ୍କ ମୃତଦେହ । ଏହି ଘଟଣା ପରେ ଚିନ୍ତାଗୁମ୍ଫା ଜଙ୍ଗଲର କୋବ୍ରା ବାହିନୀ ସମେତ ପୁଲିସ୍ ଓ ଏସ୍ଟିଏଫ୍ ଯବାନମାନେ କମ୍ବିଂ ଅପରେସନ୍କୁ ଜୋର୍ଦାର କରିଛନ୍ତି । ୨୦୧୭ରେ ବୁର୍ଖାପାଲ ଜଙ୍ଗଲରେ ମାଓବାଦୀଙ୍କ ଆମ୍ବୁସ୍ରେ ପଡ଼ି ୨୫ଜଣ ସିଆର୍ପିଏଫ୍ ଯବାନଙ୍କ ଜୀବନ ଯାଇଥିଲା । ତା’ପରେ ଏହା ହେଉଛି ଛତିଶଗଡ଼ର ଅନ୍ୟତମ ବଡ଼ ମାଓହିଂସା । ସିପିଆଇ ମାଓବାଦୀର ନୂଆ ମୁଖିଆ ବାସଭରାଜ ନେତୃତ୍ୱରେ କମାଣ୍ଡର ତଥା ଦୁର୍ଦ୍ଧାନ୍ତ ନକ୍ସଲ ନେତା ହିଡମା ଏହି ହିଂସାକାଣ୍ଡ ଘଟାଇଥିବା ଛତିଶଗଡ଼ ଏସ୍ଟିଏଫ୍ ମୁଖ୍ୟ ସନେ୍ଦହ କରିଛନ୍ତି ।
ବସ୍ତର ଆଇଜି ପି.ସୁନ୍ଦର ରାଜଙ୍କ ସୂଚନା ଅନୁଯାୟୀ, ସୁକ୍ମା ଏଲ୍ମାଗୁଣ୍ଡା ଜଙ୍ଗଲରେ ତେଲଙ୍ଗାନା ଓ ଛତିଶଗଡ଼ର ମାଓ ନେତାମାନଙ୍କ ବିଶାଳ କ୍ୟାମ୍ପ ଚାଲିଥିବା ଖବର ମିଳିଥିଲା । ଏହାକୁ ଆଧାର କରି ଶନିବାର ସକାଳେ ସୁକ୍ମା ଓ ବସ୍ତର ପୁଲିସ୍ ସମେତ ଡିଆର୍ଜି(ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ), ଏସ୍ଟିଏଫ୍(ସ୍ପେଶାଲ୍ ଟାସ୍କଫୋର୍ସ) ଏବଂ କୋବ୍ରା ବାହିନୀର ଯବାନମାନେ ମିଳିତ କମ୍ବିଂରେ ଯାଇଥିଲେ । ସାମିଲ ହୋଇଥିଲେ ପ୍ରାୟ ୬୦୦ ଯବାନ । ପ୍ରଥମେ ମାଓବାଦୀମାନେ ସେମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ । ଏହାର ପାଲଟା ଜବାବ୍ ଦେବାକୁ ଯାଇ ଯବାନମାନେ ସେମାନଙ୍କ ପିଛା କରିଥିଲେ । ପ୍ରାୟ ୩ ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା । ଘଞ୍ଚଜଙ୍ଗଲ ମଧ୍ୟରେ ଅନେକ ଯବାନ ପଡ଼ିଯାଇଥିଲେ ମାଓବାଦୀଙ୍କ ଆମ୍ବୁସ୍ରେ । ୧୭ଜଣ ଯବାନଙ୍କ କୌଣସି ପତ୍ତା ମିଳିନଥିଲା । ମାଓବାଦୀଙ୍କ ଗୁଳିରେ ଗୁରୁତର ଆହତ ହୋଇଥିବା ୧୫ଜଣ ଯବାନଙ୍କୁ ଉଦ୍ଧାର କରିବାରେ ଲାଗି ପଡ଼ିଥିଲେ ଅନ୍ୟ ସାଥୀ ଯବାନମାନେ । ସେମାନଙ୍କୁ ସ୍ୱତନ୍ତ୍ର ହେଲିକପ୍ଟରରେ ରାୟପୁରରେ ଥିବା ରାମକୃଷ୍ଣ କେୟାର ହସ୍ପିଟାଲ୍କୁ ପଠାଯାଇଥିଲା ।
ଆଜି ସକାଳେ ଯବାନମାନେ ଚିନ୍ତାଗୁମ୍ଫା ଜଙ୍ଗଲ ନିକଟରେ ସର୍ଚ୍ଚ ଅପରେସନ୍ରେ ଯାଇଥିବା ବେଳେ ନିଖୋଜ ୧୭ଜଣ ଯବାନଙ୍କ ମଧ୍ୟରୁ ୪ଜଣଙ୍କ ମୃତଦେହ ଠାବ କରିଥିଲେ । ଏହି ସମୟରେ କିଛି ସମୟ ପାଇଁ ମାଓବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଅଧିକ ସଂଖ୍ୟାରେ ଯବାନ ଥିବାରୁ ମୁକାବିଲା କରି ନପାରି ମାଓବାଦୀମାନେ ଜଙ୍ଗଲ ଭିତରେ ଖସି ପଳାଇଥିଲେ । ଏହାପରେ ଯବାନମାନେ ପୁନର୍ବାର ସର୍ଚ୍ଚ ଅପରେସନ୍ରେ ଲାଗି ପଡ଼ିଥିଲେ । ଚିନ୍ତାଗୁମ୍ଫା ଜଙ୍ଗଲରୁ ୭ କିଲୋମିଟର ଦୂରରେ ଥିବା ଘଞ୍ଚଜଙ୍ଗଲରୁ ନିଖୋଜ ଥିବା ଅନ୍ୟ ୧୩ଜଣ ଯବାନଙ୍କ ମୃତଦେହ ଉଦ୍ଧାର କରିଥିଲେ । ସହିଦ ହୋଇଥିବା ୧୭ଜଣ ଯବାନଙ୍କୁ ଆଜି ଛତିଶଗଡ଼ର ରାଜଧାନୀ ରାୟପୁରଠାରେ ରାଷ୍ଟ୍ରୀୟ ସମ୍ମାନ ଦିଆଯାଇଛି । ମୃତ ଯବାନମାନଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ଛତିଶଗଡ଼ ସରକାର । ସବୁଠୁ ବଡ଼ କଥା ହେଲା, ମୃତ ଯବାନମାନଙ୍କ ମଧ୍ୟରେ ଯେଉଁ ୧୨ ଜଣ ଡିଆର୍ଜିର ଥିଲେ-ସେମାନଙ୍କ ମଧ୍ୟରେ ଅଧିକାଂଶ ଥିଲେ ଆତ୍ମସମର୍ପଣ କରିଥିବା ମାଓବାଦୀ । ସରକାର ସେମାନଙ୍କୁ ତାଲିମ୍ ଦେଇ ଡିଆର୍ଜିରେ ଭର୍ତ୍ତି କରିଥିଲେ । ମାଓବାଦୀମାନେ ସେମାନଙ୍କୁ ପ୍ରଥମେ ଟାର୍ଗେଟ କରିଥିଲେ ବୋଲି ଜଣାପଡ଼ିଛି ।
ରାୟପୁର ରାମକୃଷ୍ଣ କେୟାର ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ୧୫ଜଣ ଯବାନଙ୍କୁ ଭେଟିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ପୁଲିସ୍ ଡିଜି ଜି.ଏମ୍. ଅଗସ୍ତି, ମୁଖ୍ୟସଚିବ ସୁବ୍ରତ ସାହୁ ପ୍ରମୁଖ । ଆହତ ଯବାନମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସୂଚନା ଥାଉକି, ୨୦୧୯ ମସିହାରେ ପୁଷପାଲ ଜଙ୍ଗଲରେ ବିଜେପି ବିଧାୟକ ଭୀମା ମାଣ୍ଡାଭିଙ୍କୁ ମାଓବାଦୀମାନେ ନିର୍ମମ ଭାବେ ହତ୍ୟା କରିଥିଲେ ।
Comments are closed, but trackbacks and pingbacks are open.