ମାଲକାନଗିରି,(ବି.ବି.ନୁ୍ୟଜ୍): ମାଓବାଦୀ ଘଟାଇଲେ ବର୍ବର କାଣ୍ଡ । ଛୁଟିରେ ନିଜ ଗାଁକୁ ଯାଉଥିବା ଜଣେ ପୁଲିସ ଏଏସଆଇଙ୍କୁ ଅପହରଣ ପରେ ଗୁଳିକରି ହତ୍ୟା କଲେ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲା କୁଟର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ପୁଲିସ କର୍ମଚାରୀ ଜଣକ ହେଲେ କୁଟର ଥାନା ଏଏସଆଇ ନାଗେୟା କୋରସା(୪୨) । ଜଙ୍ଗଲ ମଧ୍ୟରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି ।
ସୂଚନା ଅନୁସାରେ, ଗତ ରବିବାର ଅପରାହ୍ଣରେ ଏହି ଘଟଣା ଘଟିଛି । ନାଗେୟା ଛୁଟିରେ ନିଜ ଗାଁ ଚେରାମଙ୍ଗିକୁ ଏକ ମୋଟର ସାଇକେଲ୍ ଯୋଗେ ଯାଉଥିଲେ । ଜଙ୍ଗଲ ରାସ୍ତାରୁ କେତେଜଣ ମାଓବାଦୀ ତାଙ୍କୁ ଅପହରଣ କରି ନେଇଥିଲେ । ମାଙ୍ଗିପେଟା ଗାଁ ଜଙ୍ଗଲ ନିକଟରେ ଏକ ମୋଟର ସାଇକେଲ ପଡିଥିବା ଦେଖି ଗ୍ରାମବାସୀ କୁଟର ଥାନାରେ ଜଣାଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାଇକଟିକୁ ଉଦ୍ଧାର କରିଥିଲା । ଗାଡିଟି ନାଗେୟାଙ୍କର ଜଣାପଡିଥିଲା । ପରେ ପୁଲିସ କର୍ମଚାରୀ ତାଙ୍କୁ ଜଙ୍ଗଲ ମଧ୍ୟରେ ଖୋଜାଖୋଜି କରିଥିଲେ । କିନ୍ତୁ ନିରାଶ ହୋଇଥିଲେ । କିଛି ସମୟ ପରେ କୁଟୁର ବିଜାପୁର ରାସ୍ତା କେତୁଲନାର ଗାଁ ଜଙ୍ଗଲ ରାସ୍ତାରେ ନାଗେୟାଙ୍କ କ୍ଷତବିକ୍ଷତ ମୃତଦେହ ପଡିଥିବା ଖବର ମିଳିଥିଲା । ତୁରନ୍ତ ପୁଲିସ ସେଠାରେ ଯାଇ ପହଞ୍ଚିଥିଲେ । ନାଗେୟାଙ୍କ ମୃତଦେହ ନିକଟରୁ ମାଓବାଦୀଙ୍କ ଏକ ହାତଲେଖା ଚିଠି ପୁଲିସକୁ ମିଳିଥିଲା । ଏହି କାଣ୍ଡ ଭେରମଗଡ ମାଓବାଦୀ ଏରିଆ କମିଟି କରିଥିବା ଏଥିରେ ଉଲ୍ଲେଖ ରହିଥିଲା । ପୁଲିସ ନାଗେୟାଙ୍କ ମୃତଦେହ ଉଦ୍ଧାର କରିବା ସହ ପରିବାର ଲୋକଙ୍କୁ ଖବର ଦେଇଥିଲା । ଖବର ପାଇ ତାଙ୍କ ପନôୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ବ୍ୟବଚ୍ଛଦ ପାଇଁ ଶବକୁ ହସପିଟାଲକୁ ପଠାଯାଇଥିଲା । ପୁଲିସ ମାମଲାର ତଦନ୍ତ ଜାରି ରଖିଛି ।
ସୂଚନାଯୋଗ୍ୟ, ନାଗେୟା ଦୁଇବର୍ଷ ହେଲା କୁଟର ଥାନାକୁ ଏଏସଆଇ ଭାବେ ବଦଳି ହୋଇ ଆସିଥିଲେ । ସେ ମାଓ ଦମନ ଅପରେସନରେ ସାମିଲ ହେଉଥିବାରୁ
ମାଓବାଦୀଙ୍କ ଟାର୍ଗେଟରେ ରହୁଥିଲେ । ଘଟଣାଦିନ ସେ ମୋଟର ସାଇକେଲରେ ନିଜ ଗାଁକୁ ଯାଉଥିବା ଖବର କୌଣସି ସୂତ୍ରରୁ ମାଓବାଦୀମାନେ ଜାଣିପାରି ଏହି କାଣ୍ଡ ଘଟାଇଥିବା ପୁଲିସ ସନେ୍ଦହ କରୁଛି । ନାଗେୟାଙ୍କ ପତ୍ନୀ ଦନ୍ତେୱାର୍ଡାରେ ଶିକ୍ଷୟିତ୍ରୀ ଅଛନ୍ତି ।
Comments are closed, but trackbacks and pingbacks are open.