ମାଓବାଦୀଙ୍କ ସହିଦ ସପ୍ତାହ, ସୁରକ୍ଷା କଡ଼ାକଡ଼ି

Get real time updates directly on you device, subscribe now.

ଫୁଲବାଣୀ, (ବି.ବି.ନ୍ୟୁଜ୍): ମାଓବାଦୀ ସଙ୍ଗଠନ ପକ୍ଷରୁ ରବିବାରରୁ ସହିଦ ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ମାଓ ପୋଷ୍ଟର୍ ଓ ବ୍ୟାନର୍ ଲଗାଯାଇଥିବା ଦେଖିବାକୁ ମିଳିଛି । ଜିଲ୍ଲାରେ ଏହାକୁ ନେଇ ଭୟ ଓ ଆଶଙ୍କାର ବାତାବରଣ ସୃଷ୍ଟି ହୋଇଛି । ସହିଦ ସପ୍ତାହକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ଫୁଲବାଣୀ ଏସ୍ପି ପ୍ରତିକ ସିଂ କହିଛନ୍ତି । ଏ ନେଇ ସମସ୍ତ ଥାନାକୁ ଆଲର୍ଟ ରଖାଯିବା ସହ ବିଭିନ୍ନ ଅଞ୍ଚଳରେ ଜିଲ୍ଲା ପୁଲିସ ସହ ସିଆର୍ପିଏଫ୍, ଏସ୍ଓଜି ଯବାନଙ୍କ ମିଳିତ କମ୍ବିଂ ଅପରେସନକୁ ଜୋରଦାର କରାଯାଇଥିବା ସେ ସୂଚନା ଦେଇଛନ୍ତି ।
କନ୍ଧମାଳ ଜିଲ୍ଲାର ବିଭିନ୍ନ ରାସ୍ତାରେ ନାକାବନ୍ଦି କରାଯାଇ ଯାନବାହନ ଯାଞ୍ଚକରାଯାଉଛି । ଏଥିସହ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ଅନ୍ୟପଟେ ଜିଲ୍ଲାର ସମସ୍ତ ରୁଟ୍ରେ ଚାଲୁଥିବା ସରକାରୀ ବସ୍ ସେବାକୁ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ଫୁଲବାଣୀରୁ କଟ୍ରିଙ୍ଗିଆ, ହାତୀମୁଣ୍ଡା, ଇନ୍ଦ୍ରଗଡ଼, ପାହିରାଜୁ, ଲଣ୍ଡାଗାଁ, ଲଙ୍କାଗଡ଼, ବେଲଘର, ଦାରିଙ୍ଗିବାଡି ଆଦି ୮ଟି ରୁଟ୍ରେ ଚାଲୁଥିବା ପ୍ରାୟ ୧୦ଟି ସରକାରୀ ବସ୍ ଚଳାଚଳକୁ ବନ୍ଦ ରଖାଯାଇଛି । କେବଳ ଫୁଲବାଣୀରୁ ଭୁବନେଶ୍ୱର ଏସି ବସ୍ ଚାଲିଥିବା ରାଜ୍ୟ ପରିବହନ ନିଗମ ଫୁଲବାଣୀ ୟୁନିଟ୍ ଇନ୍ଚାର୍ଜ ଜଙ୍ଗ ବାହାଦୁର ସୂଚନା ଦେଇଛନ୍ତି । ସରକାରୀ ବସ୍ ସେବା ବନ୍ଦ ଥିବାରୁ ଯାତ୍ରୀମାନେ ବେଶ୍ ହଇରାଣ ହେଉଛନ୍ତି ।
ସେହିପରି ରବିବାର ଠାରୁ ବାଲିଗୁଡ଼ା ଦେଇ ଯାଉଥିବା ସମସ୍ତ ସରକାରୀ ବସ୍ ସେବାକୁ ମଧ୍ୟ ବନ୍ଦ ରଖାଯାଇଛି । ବାଲିଗୁଡ଼ା ଦେଇ ଯାଉଥିବା ଫୁଲବାଣୀ-ବେଲଘର, ଲଣ୍ଡାଗାଁ, ଲଙ୍କାଗଡ଼, ଜୟପୁର ଓ ଭୁବନେଶ୍ୱର ଠାରୁ ଭବାନୀପାଟଣା, କୋରାପୁଟ, ସୁନାବେଢ଼ା ଯାଉଥିବା ବସ୍ ଚଳାଚଳ ବନ୍ଦ ରହିଛି । ଏକ ସପ୍ତାହ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଓଏସ୍ଆର୍ଟିସି ଶାଖା କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ତେବେ ଘରୋଇ ବସ୍ଗୁଡ଼ିକ ଯାତାୟତ କରୁଥିବା ଜଣାପଡ଼ିଛି । ତେବେ ଅନେକ ଯାତ୍ରୀ ଗନ୍ତବ୍ୟସ୍ଥଳକୁ ଯାଇନପାରି ନାହିଁନଥିବା ଅସୁବିଧା ଭୋଗୁଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons