ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ି ପୁଲିସ୍କୁ ମିଳିଛି ଏକ ବଡ଼ ସଫଳତା । ମାଓବାଦୀ ନାଁରେ ଘରୁ ଲୁଟ୍ କରୁଥିବା ଗ୍ୟାଙ୍ଗ୍ର ୪ ସଦସ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଏହି ଘଟଣାରେ ସମ୍ପୃକ୍ତ ଆଉ ଦୁଇ ଦୁବୃର୍ତ୍ତ ଫେରାର ଥିବା ଦାରିଙ୍ଗବାଡ଼ି ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବାଲିଗୁଡ଼ା ଏସ୍ଡିପିଓ ମନୋଜ କୁମାର ପୂଜାରୀ ସୂଚନା ଦେଇଛନ୍ତି । ଗିରଫ ପରେ ସେମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ମରଣାସ୍ତ୍ର, ୧୪ ଗ୍ରାମ ସୁନା, ନଗଦ ୧୦,୫୦୦ ଟଙ୍କା ଓ ଲୁଟ୍ ସମୟରେ ସେମାନେ ବ୍ୟବହାର କରୁଥିବା ଗୋଟିଏ ବାଇକ୍କୁ ଜବତ କରିଛି ପୁଲିସ ।
ଏସ୍ଡିପିଓଙ୍କ ସୂଚନା ଅନୁଯାୟୀ, ଚଳିତ ମାସ ୧୦ ତାରିଖ ରାତି ପ୍ରାୟ ୧୨ଟା ସମୟରେ ନିଜକୁ ମାଓବାଦୀ ବୋଲି ପରିଚୟ ଦେଇ ଦାରିଙ୍ଗବାଡ଼ି ଥାନା ଅଧୀନ ମକପାଟା ଗ୍ରାମର ପ୍ରମୋଦ ପ୍ରଧାନ ଓ ଟେପାରୀ ଗ୍ରାମର ବିଶ୍ୱନାଥ ପ୍ରଧାନଙ୍କ ଘର ନିକଟରେ ପହଞ୍ଚôଥିଲେ । ପ୍ରଥମେ ଆମେ ଭୋକରେ ଅଛୁ, କିଛି ଖାଇବାକୁ ଦିଅ କହି କବାଟ ବାଡେ଼ଇଥିଲେ । ହେଲେ ଏହି ଦୁଇ ପରିବାର କବାଟ ଖୋଲିନଥିଲେ । ତେଣୁ ସେମାନେ ବୋମା ପକାଇ ଘର ଉଡ଼ାଇଦେବୁ ବୋଲି ଧମକ ଦେଇଥିଲେ । ଫଳରେ ଭୟଭୀତ ହୋଇ ପ୍ରମୋଦ ପ୍ରଧାନ ଓ ବିଶ୍ୱନାଥଙ୍କ ପରିବାର ଲୋକ ଘର କବାଟ ଖୋଲିବାକୁ ବାଧ୍ୟ ହୋଇଥିଲେ । କବାଟ ଖାଲିବା ମାତ୍ରେ ୬ଜଣ ଦୁବୃର୍ତ୍ତ ଘରେ ପଶି ବନ୍ଧୁକ ଓ ମାରଣାସ୍ତ୍ର ଦେଖଇ ଟଙ୍କା, ସୁନା, ଡାଲି ଓ ଚାଉଳ ଲୁଟି ନେଇଥିଲେ । ଘଟଣା ନେଇ ଦୁଇ ପରିବାର ପ୍ରଥମେ ଭୟଭୀତ ହୋଇପଡ଼ିଥିଲେ । ପରବର୍ତ୍ତୀ ସମୟରେ ଉଭୟଙ୍କ ପରିବାର ପକ୍ଷରୁ ଲୁଟ୍ ନେଇ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଏତଲାକୁ ଭିତ୍ତି କରି ଦାରିଙ୍ଗବାଡ଼ି ଥାନାଧିକାରୀ କୌଶିକ ମାଝୀ ଓ ଏସ୍ଆଇ ସୌମ୍ୟକାନ୍ତ ପଣ୍ଡା ଘଟଣାର ଛାନ୍ଭିନ୍ ଆରମ୍ଭ କରିଥିଲେ । ଏହାପରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ନିଜକୁ ମାଓବାଦୀ ବୋଲି ପରିଚୟ ଦେଇ ଲୁଟ୍ କରୁଥିବା ଗ୍ୟାଙ୍ଗ୍ର ୪ଜଣ ସଦସ୍ୟଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ପୁଲିସ । ଗିରଫମାନେ ହେଲେ ସିମନବାଡ଼ି ଗ୍ରାମର କୃପାକର ମୁଖୀ(ବାଣୁଆ), ଆଲୋକ ରଞ୍ଜନ ନାୟକ(ଡିଲୁ), ଜେରେହ ନାୟକ(ଅମର) ଓ ବାଲିଗୁଡ଼ା ଥାନା ସୀତାପଙ୍କା ଗ୍ରାମର ବଳରାମ ପ୍ରଧାନ । ତେବେ ଏହି ଘଟଣାରେ ସମ୍ପୃକ୍ତ ଆଉ ଦୁଇ ଦୁବୃର୍ତ୍ତ ଏବେ ବି ଫେରାର୍ ଥିବା ଏସ୍ଡିପିଓ କହିଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ


Comments are closed, but trackbacks and pingbacks are open.