ନୂଆପଡ଼ା,(ବି.ବି.ନୁ୍ୟଜ୍): ନୂଆପଡ଼ା ଜିଲ୍ଲାରେ ବହୁଦିନ ପରେ ପୁଣି ମାଓବାଦୀଙ୍କ ଗତିବିଧି ପରିଲକ୍ଷିତ ହୋଇଛି । ସୁନାବେଡ଼ା ଅଭୟାରଣ୍ୟର ବୋଡେନ ଥାନା ପାଟଦର୍ହା ସଂରକ୍ଷିତ ଜଙ୍ଗଲରେ ଏସ୍ଓଜି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ମାଓବାଦୀମାନେ ସୁରକ୍ଷାକର୍ମୀଙ୍କୁ ମୁକାବିଲା କରିନପାରି ଛତ୍ରଭଙ୍ଗ ଦେଇଥିଲେ । ଯବାନମାନେ ସର୍ଚ୍ଚ ଅପରେସନ କରି ଏକ ମାଓକ୍ୟାମ୍ପକୁ ଠାବ କରି ସେଠାରୁ ବହୁ ପରିମାଣର ମାଓ ସାମଗ୍ରୀ ଜବତ କରିଥିବା ସ୍ଥାନୀୟ ସିଲଦାସ୍ଥିତ ରିଜର୍ଭ ଅଫିସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ବିନିତ ଅଗ୍ରୱାଲ ସୂଚନା ଦେଇଛନ୍ତି ।
ମାଓବାଦୀଙ୍କ ଗଡ଼ ସୁନାବେଡ଼ା ଅଭୟାରଣ୍ୟରେ ପୁଣି ମାଓବାଦୀମାନେ ଚଳପ୍ରଚଳ ଆରମ୍ଭ କରିଛନ୍ତି । ଗତ ୬ ତାରିଖରେ ସୁନାବେଡ଼ା ଅଭୟାରଣ୍ୟ ବୋଡେନ ଥାନା ପାଟଦର୍ହା ସଂରକ୍ଷିତ ଜଙ୍ଗଲରେ ମାଓବାଦୀମାନେ ଲୁଚି ରହିଥିଲେ । ସେଠାରେ ମାଓବାଦୀମାନେ ନିଜ ସଂଗଠନକୁ ସୁଦୃଢ଼ କରି କୌଣସି ଏକ ଅଘଟଣ ଘଟାଇବାକୁ ଯୋଜନା କରୁଥିଲେ । ଏହି ଖବର ନୂଆପଡ଼ା ପୁଲିସ ଖବର ପାଇଥିଲା । ଏସ୍ପି ବିନିତ ଅଗ୍ରୱାଲଙ୍କ ତତ୍ତ୍ୱାବଧାନରେ ଏସ୍ଓଜି, ଡିଭିଏଫ ଯବାନ ମାନେ ସୁନାବେଡା ଅଭୟାରଣ୍ୟ ଭିତରେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଗତ ୭ ତାରିଖ ପୂର୍ବାହ୍ନ ୧୧ଟା ୪୫ରେ ପାଟଦର୍ହା ସଂରକ୍ଷିତ ଜଙ୍ଗଲରେ ମାଓବାଦୀ ମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ପରେ ଯବାନମାନେ ପାଳଟା ଗୁଳି ଚାଳନା କରି ମାଓବାଦୀଙ୍କୁ ଉଚିତ୍ ଜବାବ ଦେଇଥିଲେ । ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ କିଛି ସମୟ ଧରି ଗୁଳିବିନିମୟ ହୋଇଥିଲା । ଯବାନମାନେ ପ୍ରାୟ ୩୦ ରାଉଣ୍ଡ ଗୁଳିଚାଳନ କରିଥିଲେ । ଶେଷରେ ସୁରକ୍ଷାକର୍ମୀଙ୍କୁ ସମନା କରିନପାରି ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ ।
ସେଠାରେ ଯବାନମାନେ ସର୍ଚ୍ଚ ଅପରେସନ କରି ଏକ ମାଓକ୍ୟାମ୍ପ ଠାବ କରିଥିଲେ । ସେଠାରୁ ହେଭର ସେକ୍ ୫ ଟି, ସୋଲାର ପ୍ଲେଟ, ପାଣି ଜାରକିନ ୩ ଟି, ମାଓ ପୁସ୍ତିକା, ରାଇଫେଲ ସିଲିଂ ୪ ଟି, ଟିଫିନ କ୍ୟାରିୟର, ଭୁଜାଲି, ଜୋତା, କୋଦାଳ, ପୋଲିଥିନ ୪ ଟି, ଇଲେକ୍ଟ୍ରି ମିଟର, ମୋବାଇଲ ଚାର୍ଯ୍ୟର, ପାଣି ବୋତଲ, ଟର୍ଚ୍ଚ ଲାଇଟ, ପାଣି ଜଗ୍, ପ୍ଲାଷ୍ଟିକ ଦଉଡି, ଛତା, ପ୍ଲେଟ, ହିନ୍ଦୀ ଭାଷାର ଦୈନିକ ଖବରକାଗଜ, ଡ୍ରେସ୍ କପଡ଼ା ସମେତ ବହୁ ପରିମାଣର ରୋଷେଇ ସାମଗ୍ରୀ ଜବତ କରିଥିଲେ । ଏବେ ସୁନାବେଡା ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ଯବାନମାନେ କମ୍ବିଂ ଅପରେସନ କରୁଛନ୍ତି । ସୁରକ୍ଷା କର୍ମୀଙ୍କ ତରଫରୁ କୌଣସି କ୍ଷୟକ୍ଷତି ହୋଇନଥିବା ଏସପି ଶ୍ରୀ ଅଗ୍ରୱାଲ ସୂଚନା ଦେଇଛନ୍ତି ।


Comments are closed, but trackbacks and pingbacks are open.