ମାଲକାନଗିରି, (ବି.ବି.ନୁ୍ୟଜ): ମାଓ ନେତା ଆକିରାଜୁ ହରଗୋପାଳ ଓରଫ ରାମକ୍ରିଷ୍ଣା ଓରଫ ଆର୍କେ ଛତିଶଗଡ଼ ରାଜ୍ୟର ଦକ୍ଷିଣ ବସ୍ତର ଜଙ୍ଗଲରେ ବୁଧବାର ପ୍ରାଣ ହରାଇଛନ୍ତି । ତାଙ୍କୁ ୬୩ ବର୍ଷ ହୋଇଥିଲା । କିଛି ଦିନ ହେବ ସେ କିଡ୍ନୀ ରୋଗରେ ଆକ୍ରାନ୍ତ ଥିଲେ । ସେହି ଜଙ୍ଗଲରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ।
ସ୍ୱତନ୍ତ୍ର ଗୁଇନ୍ଦା ଶାଖା ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆର୍କେ ସିପିଆଇ ମାଓବାଦୀ କେନ୍ଦ୍ରୀୟ କମିଟି ସଦସ୍ୟ ତଥା ଆନ୍ଧ୍ର ଓଡ଼ିଶା ସୀମା ସ୍ୱତନ୍ତ୍ର ଜୋନାଲ କମିଟିର ମୁଖ୍ୟ ଦାୟିତ୍ୱରେ ରହିଥିଲେ । ଆର୍କେ ଏନଆଇଏ, ଆନ୍ଧ୍ର, ଓଡ଼ିଶା, ଛତିଶଗଡ଼ ଓ ତେଲଙ୍ଗାନା ପୁଲିସର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଥିଲେ । ଏସବୁ ରାଜ୍ୟରେ ବିଭିନ୍ନ ସମୟରେ ମାଓବାଦୀଙ୍କ ଦ୍ୱାରା ୨୦୦ରୁ ଊଦ୍ଧ୍ୱର୍ ହିଂସାକାଣ୍ଡରେ ଆର୍କେ ସମ୍ପୃକ୍ତ ଥିଲେ । ତାଙ୍କ ମୁଣ୍ଡରେ ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ସରକାର ଘୋଷଣା କରିଥିଲେ । ମାଲକାନାଗିରିର ପୂର୍ବତନ ଜିଲ୍ଲାପାଳ ଭିନିଲ କ୍ରିଷ୍ଣାଙ୍କ ଅପହରଣ, କୋରାପୁଟ ଅସ୍ତ୍ରାଗାର ଲୁଟ୍, ନୟାଗଡ଼ ଅସ୍ତ୍ରାଗାର ଆକ୍ରମଣରେ ସେ ସାମିଲ ଥିଲେ । ଚିତ୍ରକୋଣ୍ଡା ଜଳଭଣ୍ଡାର ଆଲମପେକା ଲଞ୍ଚରେ ଆକ୍ରମଣ କରି ୩୪ ଜଣ ଆନ୍ଧ୍ର ଗ୍ରେହାଉଣ୍ଡ ଯବାନଙ୍କୁ ହତ୍ୟାର ସେ ଥିଲେ ସୂତ୍ରଧର । ଆର୍କେର ମୃତୁ୍ୟ ପରେ ମାଓ କେନ୍ଦ୍ରୀୟ କମିଟି ସମେତ ୪ଟି ରାଜ୍ୟର ମାଓ ସଂଗଠନକୁ ଶକ୍ତ ଧକ୍କା ଲାଗିଛି ।
ତେବେ ଚିକିତ୍ସା ଅଭାବରୁ ତାଙ୍କର ମୃତୁ୍ୟ ହୋଇଥିବା ପତ୍ନୀ ଏ. ସିରିଶା ସୂଚନା ଦେଇଛନ୍ତି । ଆନ୍ଧ୍ରପ୍ରଦେଶର ପ୍ରକାଶମ୍ ଜିଲ୍ଲା ଅନ୍ତର୍ଗତ ତାଙ୍ଗୁତୁରୁରେ ରହୁଥିବା ସିରିଶା ଜଣେ ମାଓ ସଦସ୍ୟଙ୍କଠାରୁ ବୁଧବାର ଆର୍କେଙ୍କ ମୃତୁ୍ୟ ସମ୍ପର୍କରେ ସୂଚନା ପାଇଥିବା ପ୍ରକାଶ କରିଛନ୍ତି । ଗୁରୁବାର ବସ୍ତର ଜଙ୍ଗଲରେ ଆର୍କେଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସେ କିଡ୍ନୀ ରୋଗରେ ଆକ୍ରାନ୍ତ ଥିବା ବେଳେ ପୁଲିସ ଭୟରେ ଡାକ୍ତରଙ୍କ ପରାମର୍ଶ ନେଇପାରିନଥିଲେ । ପୋଲିସ ମାଓ ଗତିବିଧି ଉପରେ କଡ଼ା ନଜର ରଖିଥିଲା । ଏପରିକି ନିକଟସ୍ଥ ଡାକ୍ତରଖାନା ଉପରେ ମଧ୍ୟ ତୀକ୍ଷ୍ମଣ ଦୃଷ୍ଟି ରଖିଥିଲା । ଫଳରେ ଆର୍କେ ଚିକିତ୍ସା ସେବା ପାଇ ନପାରି ମୃତୁ୍ୟମୁଖରେ ପଡ଼ିଲେ ବୋଲି ପତ୍ନୀ ସିରିଶା ଅଭିଯୋଗ କରିଛନ୍ତି ।
ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ୧୯୫୮ରେ ଜନ୍ମିତ ଆର୍କେ କଳାରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଏପରିକି ୱାରଙ୍ଗଲ ଏନ୍ଆଇଟିରୁ ବିଟେକ୍ ଡିଗ୍ରୀ ମଧ୍ୟ କରିଥିଲେ । ପରେ କିଛିଦିନ ପାଇଁ ଶିକ୍ଷକତା କରିଥିଲେ । ୧୯୭୮ରେ ସେ ପିପୁଲ୍ସ ୱାର୍ ଗ୍ରୁପ୍ (ପିଡବ୍ଲୁଜି)ରେ ସାମିଲ ହୋଇଥିଲେ । ସେ ଗୁଣ୍ଟୁରୁ ଜିଲାରୁ କାମ ଆରମ୍ଭ କରି ପରେ ନାଲ୍ଲାମାଳା ଜଙ୍ଗଲକୁ ଚାଲି ଯାଇଥିଲେ । ସେ ବିଭିନ୍ନ ଥାନା ଉପରେ ଆକ୍ରମଣ କରିବା ସହ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଲୁଟିବା ପରେ ଜଙ୍ଗଲକୁ ଯାଇ ଲୁଚି ରହିବାରେ ସକ୍ଷମ ହୋଇଥିଲେ । ୧୯୯୨ରେ ସେ ପିଡବ୍ଲୁଜିର ରାଜ୍ୟ କମିଟି ସଦସ୍ୟ ହେଲେ । ୨୦୦୦ ଜାନୁଆରୀରେ ପିଡବ୍ଲୁଜିର ନବମ କଂଗ୍ରେସରେ ସେ କେନ୍ଦ୍ରୀୟ କମିଟିର ସଦସ୍ୟ ହୋଇଥିଲେ ।
୨୦୦୦ ମସିହା ମାର୍ଚ୍ଚ ମାସରେ ତେଲୁଗୁ ଦେଶମ୍ ପାର୍ଟିର ମନ୍ତ୍ରୀ ଏ ମାଧବ ରେଡ୍ଡୀଙ୍କ ହତ୍ୟା ଘଟଣାରେ ଆର୍କେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା । ମନ୍ତ୍ରୀଙ୍କ ଜନ୍ମସ୍ଥାନ ନାଲଗୋଣ୍ଡା ଜିଲାର ଭୋନଗିରିରେ ଘାଟକେଶର ଓଭରବ୍ରିଜ୍ ଦେଇ ମନ୍ତ୍ରୀ ଏ ମାଧବ ରେଡ୍ଡୀ ଏକ ଗାଡ଼ିରେ ଯାଉଥିବା ବେଳେ ଏହାକୁ ମାଓବାଦୀ ବୋମାରେ ଉଡ଼ାଇ ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତୁ୍ୟ ହୋଇଥିଲା । ପରବର୍ତ୍ତୀ ସମୟରେ ଆର୍କେ ସିପିଆଇ (ଏମ୍ଏଲ୍)ର ଆନ୍ଧ୍ରପ୍ରଦେଶ ରାଜ୍ୟ କମିଟି ସମ୍ପାଦକ ଭାବେ ନିଯୁକ୍ତି ପାଇଥିଲେ । ଆନ୍ଧ୍ର ପୋଲିସର ମାଓବାଦୀ ବିରୋଧୀ ଫୋର୍ସ ଏବଂ ଗ୍ରେହାଉଣ୍ଡ କମାଣ୍ଡୋଙ୍କ ସଜାଗ ଦୃଷ୍ଟି ସତ୍ତେ୍ୱ ଆର୍କେ ୨୦୦୪ ସେପ୍ଟେମ୍ବର ମାସ ଯାଏ ନାଲ୍ଲାମାଳା ଜଙ୍ଗଲରେ ସକ୍ରିୟ ରହିଥିଲା ।
ତକ୍ରାଳୀନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇ ଏସ୍ ରାଜଶେଖର ରେଡ୍ଡୀ ମାଓବାଦୀଙ୍କ ସହ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତାବ ଦେବା ପରେ ଆର୍କେ ଏବଂ ଅନ୍ୟ ୧୦ ଜଣ ମାଓ ନେତା ୨୦୦୪ ଅକ୍ଟୋବର ୧୧ ତାରିଖରେ ଜଙ୍ଗଲ ଛାଡ଼ିଥିଲେ । ତେବେ ଆଲୋଚନା ଫଳପ୍ରଦ ନହେବାରୁ ମାଓ ନେତାମାନେ ପୁଣି ଜଙ୍ଗଲକୁ ଚାଲି ଯାଇଥିଲେ । ଏହା ପରଠାରୁ ଆର୍କେକୁ ଆଉ ଦେଖିବାକୁ ମିଳିନଥିଲା । ସିପିଆଇ (ମାଓବାଦୀ) ଆନ୍ଧ୍ର-ଓଡ଼ିଶା ବର୍ଡର ସ୍ପେଶାଲ ଜୋନାଲ କମିଟିର ସେ ମୁଖ୍ୟ ପରାମର୍ଶଦାତା ଥିଲେ । ମେକାନିକାଲ ଇଞ୍ଜିନିୟର ହୋଇଥିବାରୁ ଆରକେ ଅସ୍ତ୍ରଶସ୍ତ୍ର, ଆଇଇଡି ଓ ବିସ୍ଫୋରଣ ପରିଚାଳନା କରିବାରେ ମାହିର ପାଲଟିଥିଲେ । ୨୦୧୮ରେ ଆରକେ ସିପିଆଇ (ମାଓବାଦୀ) ସଦସ୍ୟ ହେଲେ ।
ଆର୍କେର ପତ୍ନୀ ସିରିଶା ଓରଫ ପଦ୍ମା ମାଓ ସଂଗଠନର ଜଣେ ପୂର୍ବତନ ସଦସ୍ୟା । ୨୦୧୦ ନଭେମ୍ବର ୧୩ ତାରିଖରେ ସିରିଶା ଆର୍କେ ଓ ପୁଅ ପୃଥ୍ୱୀରାଜଙ୍କୁ ଭେଟିବାକୁ କୋରାପୁଟ ଜଙ୍ଗଲକୁ ଯାଉଥିବା ବେଳେ ଦୁଧାରୀ ନିକଟରେ ପୁଲିସ ହାତରେ ଧରା ପଡ଼ିଥିଲେ । ଆନ୍ଧ୍ର ସରକାର ତାଙ୍କୁ ମାଓ ଥଇଥାନ ଯୋଜନା ଅଧୀନରେ ସହାୟତା ପ୍ରଦାନ କରିଥିଲେ । ତେବେ ୨୦୧୬ରେ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ରାମଗୁଡା ଠାରେ ପୁଲିସ ଏନ୍କାଉଣ୍ଟରରେ ତାଙ୍କ ପୁଅ ପୃଥ୍ୱୀରାଜ ଓରଫ ମୁନ୍ନାଙ୍କର ମୃତୁ୍ୟ ହୋଇଥିଲା ।
Comments are closed, but trackbacks and pingbacks are open.