ମାଲକାନଗିରି,(ବି.ବି.ନୁ୍ୟଜ୍): ମାଓବାଦୀଙ୍କ ଯୋଜନା ପଣ୍ଡକଲେ ଯବାନ । ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ପାହଡ ତଳେ ଲୁଚାଇ ରଖିଥିବା ୨୪୯ ରୁ ଅଧିକ ଜିଲୋଟିନ୍ ଷ୍ଟିକ୍ ହେଲା ଜବତ । ମାଲକାନଗିରି ଜିଲ୍ଲା ବଡିଗେଟା ପଞ୍ଚାୟତ ନିକଟ ଜାଗଲକୋଣ୍ଡା ଜଙ୍ଗଲରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଲ୍ୟାଣ୍ଡମାଇନ୍ ପ୍ରସ୍ତୁତିରେ ବ୍ୟବହୃତ ଏହି ଷ୍ଟିକ୍ ଜବତ ପରେ ଯବାନଙ୍କ କମ୍ବିଂ ଜୋର୍ କରାଯାଇଛି ।
ସୂଚନା ଅନୁସାରେ, ଗତ ଗୁରୁବାର ସନ୍ଧ୍ୟାରେ ବିଏସଏଫ୍ ଯବାନମାନେ କମ୍ବିଂରେ ଯାଇଥିଲେ । ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ସମୟରେ ଏକ ପାହଡ ଖୋଲରେ ଯବାନଙ୍କ ନଜର ପଡିଥିଲା । ଖୋଲ ଭିତରେ ବସ୍ତାରେ କିଛି ସାମଗ୍ରୀ ରହିଥିବା ଜଣାପଡିଥିଲା । ଯବାନମାନେ ସେଠାରେ ପହଂଚିବା କ୍ଷଣି ମେଟାଲ୍ ଡିଟେକ୍ଟର ସାଇରନ୍ ବାଜିଥିଲା । ପରେ ଯବାନମାନେ ସତର୍କତାର ସହ ଖୋଲଭିତରୁ ବସ୍ତାକୁ ଉଦ୍ଧାର କରିଥିଲେ । ବସ୍ତା ଖୋଲିବାରୁ ତା ଭିତରୁ ବହୁ ପରିମାଣର ବିସ୍ଫୋରକ ଦ୍ରବ୍ୟ ମିଳିଥିଲା । କ୍ୟାମ୍ପକୁ ଅଣାଯାଇ ଏଗୁଡିକର ଯାଂଚ କରାଯାଇଥିଲା । ଯାଞ୍ଚବେଳେ ମୋଟ ୨୪୯ ଟି ଜିଲୋଟିନ୍ ଷ୍ଟିକ୍ ମିଳିଥିଲା । ଯାହାର ଓଜନ ପ୍ରାୟ ୨୧ କେଜି ଜଣାପଡିଥିଲା । ଜିଲୋଟିନ୍ ଷ୍ଟିକ୍ଗୁଡିକୁ ମାଓବାଦୀମାନେ ଲ୍ୟାଣ୍ଡମାଇନ୍ ପ୍ରସ୍ତୁତିରେ ବ୍ୟବହାର କରିଥାନ୍ତି ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ, ଉକ୍ତ ଜଙ୍ଗଲକୁ ଅନେକ ସମୟରେ ଯବାନମାନେ ସର୍ଚ୍ଚ ଅପରେସନ୍ରେ ଯାଇଥାନ୍ତି । ଯବାନଙ୍କୁ ଟାର୍ଗେଟ୍ କରି ମାଓବାଦୀମାନେ କୌଣସି ଏକ ବଡ ଧରଣର ବିସ୍ଫୋରଣ କରିବାକୁ ଯୋଜନା କରୁଥିଲେ ବୋଲି ପୁଲିସ ସନେ୍ଦହ କରିଛି ।
Comments are closed, but trackbacks and pingbacks are open.