ଭବାନୀପାଟଣା,(ବି.ବି.ନ୍ୟୁଜ୍): କଳାହାଣ୍ଡି ଜିଲ୍ଲା ସଦର ଥାନା ଅର୍ନ୍ତଗତ ବାର୍ହାଖୋଜ ଗାଁରୁ ଆଜି ପୋଲିସ ଜଣେ ମାଓ ସମର୍ଥକଙ୍କୁ ଗିରଫ କରିଛି ପୁଲିସ । ତାଠାରୁ ବିପୁଳ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ କରାଯାଇଛି । ଗିରଫ ମାଓ ସମର୍ଥକ ଜଣକ ବାର୍ହାଖୋଜ୍ର ଲକି ମାଝୀଙ୍କ ପୁଅ ମାଙ୍ଗା ମାଝୀ (୨୮) ବୋଲି ସଦର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି ।
ମାଓବାଦୀଙ୍କ ସହିଦ ସପ୍ତାହ ପାଳନ ଏବଂ କିଛିଦିନ ହେଲା ଜିଲ୍ଲା ମାଓ ଗତିବିଧି ସକ୍ରିୟ ଥିବାବେଳେ ପୁଲିସ ପକ୍ଷରୁ ଅପରେଶନ୍ ଜୋର୍ଦାର ଚାଲିଛି । ଗତକାଲି ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଥିଲା ଯେ ଜଣେ ବ୍ୟକ୍ତି ନେହେଲା ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କୁ ବିସ୍ଫୋରକ ସାମଗ୍ରୀ ପହଞ୍ଚାଇବାକୁ ଯାଉଛି । ସୂଚନା ଆଧାରରେ ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ସଦର ଥାନା ଆଇଆଇସି ପ୍ରଦୀପ ଧରୁଆଙ୍କ ନେତୃତ୍ୱରେ ସଶସ୍ତ୍ର ପୁଲିସ ଟିମ୍ ତଲାସି ଅଭିଯାନରେ ବାହାରିଥିଲେ । ତଲାସି ବେଳେ ବାରାଖୋଜରୁ ନେହେଲା ଗାଁକୁ ଏକ ବ୍ୟାଗ୍ ଧରି ଜଣେ ଯୁବକ ଯାଉଥିବା ଦେଖି ତାକୁ ଅଟକାଇ ଥିଲେ । ତଲାସି ବେଳେ ଉକ୍ତ ବ୍ୟାଗରୁ ୨୦ଟି ଜିଲେଟିନ୍, ୫ଟି ଇଲେକ୍ଟ୍ରିକ୍ ଡିଟୋନେଟର, ୯୫ ମିଟର ଇଲେକ୍ଟ୍ରିକ୍ ତାର ଓ ୪୫ଟି ମାଓ ପ୍ରାଚୀର ପତ୍ର ଦେଖିବାକୁ ମିଳିଥିଲା । ପରେ ଉକ୍ତ ଯୁବକ ମାଙ୍ଗା ମାଝୀର ଘରକୁ ଯାଇ ତଲାସ କରିବାରୁ ପୁଲିସ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଥିଲା । ପରେ ପୁଲିସ ତାକୁ ଜେରା ଆରମ୍ଭ କରିଥିଲା । ଜେରା କଲାବଳେ ସେ କହିଛି, ୨୦୧୫ ମସିହା ଅକ୍ଟୋବର ୫ତାରିଖରେ ନେହେଲା ସଂରକ୍ଷିତ ଜଙ୍ଗଲରେ ଥିବା ମୁଙ୍ଗୁଡ଼ା ଗାଁରେ ପୁଲିସ ଓ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳି ବିନିମୟ ଓ ୨୦୧୬ ମସିହା ଡିସେମ୍ବର ୨୭ରେ ଟେଙ୍ଗନାବାହାଲି ଜଙ୍ଗଲରେ ଥିବା ମେରକୁଲ ଗାଁରେ ପୁଲିସ ଓ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟ ଘଟଣାରେ ମଧ୍ୟ ଉପସ୍ଥିତ ଥିଲା ବୋଲି ସ୍ୱୀକାର କରିଛି । ସେ ମାଓବାଦୀଙ୍କୁ ରାସନ ସାମଗ୍ରୀ, ୟୁନିଫର୍ମ ପହଞ୍ଚାଉଥିଲା । ସେ ସୁରକ୍ଷା ବାହିନୀର ଚଳାଚଳ ସମ୍ପର୍କରେ ମାଓବାଦୀଙ୍କୁ ସୂଚନା ଦେଉଥିଲା । ଏହା ବ୍ୟତୀତ ମାଓବାଦୀଙ୍କୁ ବିସ୍ଫୋରକ ସାମଗ୍ରୀ, ଅସ୍ତ୍ର ଶସ୍ତ୍ର, ବ୍ୟାଟେରୀ ଆଦି ପହଞ୍ଚାଉଥିଲା ବୋଲି ପୁଲିସ ଆଗରେ ସ୍ୱୀକାର କରିଛି ବୋଲି ଏସ୍ପି କହିଛନ୍ତି । ଆଜି ଏହି ମାଓ ସମର୍ଥକକୁ ଗିରଫକରି ପୁଲିସ କୋର୍ଟଚାଲାଣ କରିଛି । ଜାମିନ ଆବେଦନ ନାମଞ୍ଜୁର ହେବାରୁ ଜେଲ ହାଜଦକୁ ପଠାଇ ଦିଆଯାଇଛି । ନେହେଲା ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ଚଳପ୍ରଚଳ ଗତିବିଧି ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିଛି ଏବଂ ପୁଲିସ ରୁଟିନ୍ ଭାବରେ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଓ କମ୍ବିଂ ଅପରେସନ ବିଭିନ୍ନ ସମୟରେ କରିଆସୁଛି ବୋଲି ଏସ୍ପି ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.