ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା କୁଲାବେଢ଼ା ଜଙ୍ଗଲରେ ମାଓବାଦୀ-ଯବାନଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି । ଯବାନଙ୍କୁ ମୁକାବିଲା ନ କରିପାରି ମାଓବାଦୀମାନେ ଜଙ୍ଗଲ ଭିତରେ ଲୁଚି ପଳାଇଛନ୍ତି । ପରେ ମାଓକ୍ୟାମ୍ପ୍ରୁ ବନ୍ଧୁକ ସହ ବିପୁଳ ପରିମାଣର ଗୋଳାବାରୁଦ ଜବତ କରାଯାଇଛି । ମାଓବାଦୀଙ୍କ ହିଂସାକାଣ୍ଡ ଯୋଜନାକୁ ପଣ୍ଡ କରିଛନ୍ତି ଯବାନ । ଏ ସମ୍ପର୍କରେ ଆଜି ମାଲକାନଗିରି ଏସ୍ପି ରିଶିକେଶ ଡି ଖିଲାରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
କୋରାପୁଟ ମାଲକାନଗିରି ସୀମାନ୍ତରେ ମାଓବାଦୀଙ୍କ ଗୁପ୍ତ କ୍ୟାମ୍ପ୍ ଚାଲିଥିବା ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଥିଲା । ଗତ ଦୁଇ ଦିନ ହେଲା ମାଲକାନଗିରି ଜିଲ୍ଲାର ଡିଭିଏଫ୍ ଓ ଏସ୍ଓଜି ଯବାନମାନେ ସେହି ଜଙ୍ଗଲରେ କମ୍ବିଂ ଅପରେସନରେ ଯାଇଥିଲେ । ମାଓସର୍ଚ୍ଚ ଅପରେସନ ସାରି ଫେରୁଥିବା ବେଳେ ମାଥିଲି ଥାନା କୁଲାବେଢ଼ା ଗାଁ ନିକଟ ଜଙ୍ଗଲରେ ହଠାତ୍ ମାଓବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ । ତା’ର ପାଲଟା ଓ କଡ଼ା ଜବାବ ଦେଇଥିଲେ ଯବାନ । ଉଭୟଙ୍କ ମଧ୍ୟରେ କିଛି ସମୟ ଧରି ଗୁଳି ବିନିମୟ ଚାଲିଥିଲା । ଯବାନଙ୍କୁ ମୁକାବିଲା ନ କରିପାରି ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ । ସର୍ଚ୍ଚ ଅପରେସନ ବେଳେ ମାଓକ୍ୟାମ୍ପ୍ରୁ ୧ଟି ଇନସାସ୍ ରାଇଫଲ୍, ବହୁ ପରିମାଣର ଗୁଳି, ଏକେ-୪୭ ବନ୍ଧୁକର ମାଗାଜିନ୍, ଡିଟୋନେଟର, ବ୍ୟାଟେରି, ପାୱାର ବ୍ୟାଙ୍କ, ବିସ୍ଫୋରକ ଦ୍ରବ୍ୟ, ମାଓ କିଟ୍ ବ୍ୟାଗ୍, ଡିଜିଟାଲ୍ କ୍ୟାମେରା, ମାଓ ପୋଷାକ, ପୋଷ୍ଟର୍, ବ୍ୟାନର୍, ମାଓପୁସ୍ତକ ଓ ବିପୁଳ ପରିମାଣର ମାଓସାମଗ୍ରୀ ଜବତ କରାଯାଇଛି ।
ଜବତ ମାଓସାମଗ୍ରୀକୁ ମାଲକାନଗିରି ଜିଲ୍ଲା ପୁଲିସ୍ ଅଫିସ୍ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦର୍ଶନ କରାଯାଇଛି । ମୁଖ୍ୟମନ୍ତ୍ରୀ ଓ ଡିଜି ଆତ୍ମସମର୍ପଣ କରି ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ମାଓବାଦୀଙ୍କୁ ଆହ୍ୱାନ ଦେଇଛନ୍ତି । କରୋନା ଚିକିତ୍ସା ଓ ସରକାରୀ ଯୋଜନାରେ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଏସ୍ପି ଶ୍ରୀ ଖିଲାରୀ କହିଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.