ଛତ୍ରପୁର, (ବି.ବି.ନୁ୍ୟଜ): ଛତ୍ରପୁର ବ୍ଲକ୍ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଚନ୍ଦ୍ରପଦା ଗ୍ରାମରେ ମାଟି ତଳୁ ଦୁଇ ଶିବ ଲିଙ୍ଗ ଠାବ । ଗ୍ରାମ ନିକଟ ଏକ କ୍ଷେତରୁ ଶିବ ଲିଙ୍ଗ ମିଳିବା ପରେ କାର୍ତ୍ତିକ ସୋମବାର ଓ ସଂକ୍ରାନ୍ତି ଥିବାରୁ ସକାଳୁ ସକାଳୁ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ଲୋକେ ଏହାର ପୂଜାର୍ଚ୍ଚନା ମଧ୍ୟ କରିଥିଲେ ।
ଗ୍ରାମବାସୀଙ୍କ ସୂଚନା ମୁତାବକ ଚନ୍ଦ୍ରପଦା ଗାଁର କାଳିଆ ପ୍ରଧାନଙ୍କ ନାତି ଅନନ୍ତ ପ୍ରଧାନଙ୍କୁ ରବିବାର ରାତିରେ ସ୍ୱପ୍ନାଦେଶ ହୋଇଥିଲା । ମୁଁ ମାଟି ମଧ୍ୟରେ ଅଛି, ମୋତେ କଷ୍ଟ ହେଉଛି, ମୋତ ବାହାର କର ବୋଲି ସ୍ୱପ୍ନ ହୋଇଥିଲା । ସେ ନିଦରୁ ଅଚାନକ ଉଠିବା ବେଳକୁ ତାଙ୍କୁ ଘରେ ଚନ୍ଦନର ସୁଗନ୍ଧିତ ବାସ୍ନା ହୋଇଥିଲା । ରାତିରେ ତାଙ୍କୁ ଆଉ ନିଦ ହୋଇନଥିଲା ବୋଲି କହିଛନ୍ତି ଅନନ୍ତ । ସକାଳେ ସେ ସ୍ୱପ୍ନାଦେଶ ମୁତାବକ ନିକଟସ୍ଥ ପଦରକୁ ଯାଇଥିଲେ । ସେଠାରେ ମଧ୍ୟ ଚନ୍ଦନ ବାସ୍ନା ହୋଇଥିଲା । ପଦରର କିଛି ଅଂଶ ଖୋଳିବା ପରେ ଭୁରୁଭୁରୁ ହୋଇ କିଛି ବାହାରୁଥିବା ଦେଖିଥିଲେ । ସେଠାରୁ ଚନ୍ଦନ ବାସ୍ନା ହେଉଥିଲା ବେଳେ ମାଟି ତଳୁ ଗୋଟିଏ ଶିବଲିଙ୍ଗ ବାହାରିଥିଲେ । ପାଖରେ ଆଉ ଏକ ସ୍ଥାନ ଖୋଳିବା ବେଳେ ସେଠୁ ମଧ୍ୟ ଲିଙ୍ଗଟିଏ ବାହାରିଥିଲେ । ଲୋକ ସେଠି ପୂଜାର୍ଚ୍ଚନା କରିବା ସାଙ୍ଗକୁ ଦର୍ଶନ ପାଇଁ ଗହଳି କରିଥିଲେ । ଶିବରାତ୍ର ପରେ ମଧ୍ୟ ତାଙ୍କୁ ଏଭଳି ସ୍ୱପ୍ନାଦେଶ ହୋଇଥିଲା, କିନ୍ତୁ ତାହାକୁ ସେ ଗୁରୁତ୍ୱ ଦେଇ ନଥିଲେ । ସ୍ୱପ୍ନ ପୁନରାବୃତ୍ତି ହେବା ପରେ ସେ ବାଧ୍ୟ ହୋଇ ପଦରକୁ ଖୋଜି ଆସିଥିଲେ ବୋଲି ଅନନ୍ତ କହିଛନ୍ତି ।
Comments are closed, but trackbacks and pingbacks are open.