ସୋରଡ଼ା: ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଦେଉଛନ୍ତି ମାଟ୍ରିକ୍ ପରୀକ୍ଷା । ସେ ଏସ୍ଓଏସ୍ସି (ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରମାଣପତ୍ର) ବିଦ୍ୟାର୍ଥୀ ତଥା ପତ୍ର ବିନିମୟ ପାଠ୍ୟକ୍ରମରେ ପରୀକ୍ଷା ଦେଉଛନ୍ତି । ପ୍ରଥମ ଥର ପାଇଁ ସେ ମାଟ୍ରିକ୍ ପରୀକ୍ଷା ଦେଉଛନ୍ତି । ସ୍ୱାସ୍ଥ୍ୟଗତ କାରଣରୁ ବିଧାୟକଙ୍କ ପାଇଁ ସ୍ୱତନ୍ତ୍ର କୋଠରୀ ବ୍ୟବସ୍ଥା ହୋଇଥିଲା । ଶୁକ୍ରବାରରୁ ଆରମ୍ଭ ହୋଇଛି ମାଟ୍ରିକ୍ ଅଫ୍ଲାଇନ୍ ଓ ଏସ୍ଓଏସ୍ସି ପରୀକ୍ଷା । ସୋରଡ଼ା (କେନ୍ଦ୍ର ନମ୍ବର ୩୦୬ ଡିବି) ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଉକ୍ତ ହାଇସ୍କୁଲରେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ମଧ୍ୟ ଏସ୍ଓଏସ୍ସି ବିଦ୍ୟାର୍ଥୀ ଭାବେ ତଥା ପତ୍ର ବିନିମୟ ପାଠ୍ୟକ୍ରମରେ ପରୀକ୍ଷା ଦେଇଛନ୍ତି ।
ସୋରଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଏସ୍ଓଏସ୍ସି ପରୀକ୍ଷାର୍ଥୀ ୨୫ ଜଣଙ୍କ ମଧ୍ୟରୁ ୨୦ ଜଣ ପରୀକ୍ଷା ଦେଇଥିଲେ । ୫ ଜଣ ଅନୁପସ୍ଥିତ ଥିଲେ । ମାଟ୍ରିକ୍ ପରୀକ୍ଷାର୍ଥୀ ରେଗୁଲାର୍୍ ୬ ଜଣ, ଏକ୍ସରେଗୁଲାର୍ ୨ ଜଣ ଥିଲେ । ପତ୍ର ବିନିମୟ ପାଠ୍ୟକ୍ରମର ପରୀକ୍ଷାର୍ଥୀଙ୍କ ମଧ୍ୟରେ ରହିଛନ୍ତି ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ । ତାଙ୍କର ରୋଲ୍ ନମ୍ବର ରହିଥିଲା ୨୧୧୩୦୬୧୫୦୦୧ । ବିଧାୟକ ଜଣଙ୍କ ସହ ବାଇକ୍ରେ ବସି ସ୍କୁଲରେ ପହଞ୍ଚିଲେ । ହାତରେ ଆଡ୍ମିଟ୍ କାର୍ଡ ସାଙ୍ଗକୁ ଡାକ୍ତରୀ ଚିଠା ରହିଥିଲା । ସେଠାରେ ଛାତ୍ରଛାତ୍ରୀଙ୍କ ସମେତ ବିଧାୟକଙ୍କ ଥର୍ମାଲ୍ ସ୍କ୍ରିନିଂ କରାଯାଇ ଥିଲା । ସେହି ସମୟରେ ବିଧାୟକଙ୍କ ହାତରେ ଏକ ମୋବାଇଲ୍ ରହିଥିଲା ଯାହାକୁ ସେ ପରୀକ୍ଷା କେନ୍ଦ୍ର ମଧ୍ୟକୁ ଯିବା ପୂର୍ବରୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଥିଲେ । ଥଣ୍ଡା, କଫ, ଛିଙ୍କରେ ଆକ୍ରାନ୍ତ ଥିବା ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏକ ଡାକ୍ତରୀ ଚିଠା ପ୍ରଦାନ କରିଥିଲେ ସୋରଡା ଏମ୍ଏଲ୍ଏ । ଏହା ପରେ ବିଧାୟକଙ୍କୁ ଏକ ସ୍ୱତନ୍ତ୍ର ଆଇସୋଲେସନ୍ ରୁମ୍ରେ ବସିବାକୁ କୁହାଯାଇଥିଲା । ଉକ୍ତ ରୁମ୍ରେ ଚେୟାର ଟେବୁଲରେ ବସି ପରୀକ୍ଷା ଦେଇଥିଲେ ବିଧାୟକ । କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ୍ ପ୍ରଶାନ୍ତ ପଣ୍ଡା, ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଶିଶିରକାନ୍ତ ସ୍ୱାଇଁ ଦାୟିତ୍ୱରେ ଥିବା ବେଳେ ଶିକ୍ଷୟିତ୍ରୀ ଶୁଭଶ୍ରୀ ପାଢୀ, ସୁଚିତ୍ରା ଡାକୁଆ, ଶିକ୍ଷକ ଜୟନ୍ତ ପଣ୍ଡା, ସୁଶୀଲ ପ୍ରଧାନ ପରୀକ୍ଷା ପରିଚାଳନା କରିଥିଲେ । ଆଇସୋଲେସନ୍ ରୁମ୍ରେ ଇନ୍ଭିଜିଲେଟର ଭାବେ ଅଚୁ୍ୟତାନନ୍ଦ ସେଠୀ ପ୍ରଥମ ଦିନରେ ଦାୟିତ୍ୱରେ ଥିଲେ ବୋଲି ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଶିଶିରକାନ୍ତ ସ୍ୱାଇଁ ସୂଚନା ଦେଇଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ


Comments are closed, but trackbacks and pingbacks are open.